କାଲି ନୂଆ ବଜେଟ୍, ମନେ ଅଛି ତ ପୂର୍ବ ବର୍ଷର ବଜେଟ୍ ?

ସୀତାରମଣଙ୍କ ହାଲୱା ରନ୍ଧା ଆପଣଙ୍କ ଭାତହାଣ୍ଡିକୁ ସୁହାଇବ ତ?

କରୋନା କବଳରେ ଭାରତର ଅର୍ଥନୀତି ଆଣ୍ଠେଇ ପଡ଼ିଛି। ଜିଡିପି ବିଯୁକ୍ତ ୨୩ ପ୍ରତିଶତ ହେବା ସହିତ ଶିଳ୍ପ ସଂସ୍ଥା ସ୍ଥିତି ଗମ୍ଭୀର ହୋଇଛି। ଫଳରେ ଲକ୍ଷ ଲକ୍ଷ ଚାକିରି ଯିବା ସହିତ ବେରୋଜଗାରି ବଢ଼ିଛି। ବଡ଼ବଡୁଆଙ୍କ କଥା ଛାଡ଼ି ଦେଲେ ସାଧାରଣ ଜନତା ବହୁ କଷ୍ଟ ଭୋଗିଛନ୍ତି। ଏବେ ନୂଆ ବଜେଟ୍‌ ଆସିବା କଥା ଶୁଣି ସାଧାରଣ ଜନତା ମନରେ ଆଶା ସଞ୍ଚାର ହୋଇଛି ଯେ ସରକାର ନିଶ୍ଚୟ ତାଙ୍କ ପାଇଁ କିଛି ନା କିଛି ଘୋଷଣା କରିବେ। ହେଲେ ଏଥରର ବଜେଟ୍ ଆପଣଙ୍କ ଭାତ ହାଣ୍ଡିକୁ ସୁହାଇବ ନା ଘୋଡ଼ା ‌‌୬କୁ ଦାନା ୯ ଭଳି ସ୍ଥିତି ଆଣିଦେବ ସେ ସମ୍ପର୍କରେ ସ୍ତମ୍ବ ମାଧ୍ୟମରେ ସରଳ ଭାଷାରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ସାମ୍ବାଦିକ ଜଗମୋହନ ମହାରଣା ପଢ଼ନ୍ତୁ। 

ଏବେ ଚଳିବାକୁ ଟିକେ ହଇରାଣ ହେଉଛନ୍ତି ନା? ଜାଣି ପାରୁନାହାଁନ୍ତି ପଇସା କେଉଁ ବାଟେ ସରିଯାଉଛି। ମାସ ପୂରିବା ଆଗରୁ ପକେଟ୍ ଖାଲି। ଆମ ଭିତରୁ ଅନେକ୍ ଲୋକ ଏଇ ଭିତରେ ନିଜ କାମ ହରାଇଛନ୍ତି। କେହି କେହି ଅଧା ଦରମାରେ ଅଫିସ୍ ଯାଉଛନ୍ତି। ଆଉ ଭାତ ଡାଲି, ସୋୟାବିନ୍ ତରକାରି ଖାଇ ବଞ୍ଚିଛନ୍ତି। ବର୍ଷ ୨୦୨୦ରେ ଯେଉଁମାନେ ହଇରାଣ ହେବା କଥା ମାନେ ସାଧାରଣ ଜନତା, ସେମାନେ ଅତି ସାଙ୍ଘାତିକ ଭାବେ ହଇରାଣ ହୋଇଛନ୍ତି। ଆପଣ ସମସ୍ତେ  ଦୁଃଖ କଷ୍ଟର ଚିତ୍ର ଭଲ ଭାବରେ ଦେଖିଛନ୍ତି। ଯଦିଓ ଗତ କିଛି ମାସ ହେଲା ଲୋକେ ପଦାକୁ ବାହାରିଲେଣି, ଅଳ୍ପବହୁତ୍ କାମ କଲେଣି ତଥାପି କେହି ଅଣ୍ଟା ସଳଖି ଛିଡ଼ା ହୋଇନାହାନ୍ତି। ଆଉ ୟାରି ଭିତରେ ରାତି ପାହିଲେ ସାରା ଦେଶବାସୀଙ୍କୁ ବଜେଟ୍ ପଢ଼ି ଶୁଣାଇବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

କୁହାଯାଏ, ଆମ ଭାରତବର୍ଷର ବଜେଟ୍ ଏକ ଚର୍ଚ୍ଚିତ ବିଷୟ। କାରଣ କେହି କିଛି ବୁଝନ୍ତୁ ବା ନ ବୁଝନ୍ତୁ, ଚର୍ଚ୍ଚା କିନ୍ତୁ ହୁଏ। ସବୁଠି ଚର୍ଚ୍ଚା ହୁଏ। ଗୃହିଣୀମାନେ କୁହନ୍ତି ଗ୍ୟାସ ସିଲିଣ୍ଡର ଦର କମୁ। କୃଷକ ମାନେ ଆଶା କରନ୍ତି ସବସିଡି ମିଳୁ। ବୁଦ୍ଧିଜୀବୀ କୁହନ୍ତି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ବ୍ୟୟ ବରାଦ ହେଉ। କର୍ପୋରେଟ ସଂସ୍ଥାଗୁଡ଼ିକ କୁହନ୍ତି ଟାକ୍ସ ବେନିଫିଟ୍ ମିଳୁ। ସମସ୍ତେ ସବୁ ପ୍ରକାରର ସୁବିଧା ଆଶା କରନ୍ତି। ଏମିତି କି ଚା ଖଟିରେ, ପାନ ଦୋକାନରେ, ପରିବା ହାଟରେ ସବୁଠି ବଜେଟ୍ ଚର୍ଚ୍ଚା ହୁଏ।

କିନ୍ତୁ ଗତବର୍ଷ ଅର୍ଥମନ୍ତ୍ରୀ ଯାହା ବଜେଟ୍ ରେ କହିଥିଲେ ସେ କଥା ଆପଣ ମନେ ରଖିଛନ୍ତି କି? କେଉଁ ଦିଗରେ କେତେ ବ୍ୟୟ ଅଟକଳ ହୋଇଥିଲା ତା କଥା ଏବେ ଆଉ କେହି ପଚାରୁଛନ୍ତି କି? ମାତ୍ର ଏଥରର ବଜେଟ୍ ଘୋଷଣାକୁ ସମସ୍ତଙ୍କର ଆଶା। ହେଲେ ଟଙ୍କାଟା ଆସିବ କେଉଁଠୁ? Income source ବା ଆୟ ଉତ୍ସଟା କ’ଣ? ଯାହା ବି ବ୍ୟୟବରାଦ ହେବ ସେଥିପାଇଁ ଖର୍ଚ୍ଚ ଟା ଭରଣା କରିବ କିଏ? ସେ କଥାଟି କେବେ ସ୍ପଷ୍ଟ ହୁଏ କି? ଏ ସବୁ ଭିତରେ ଦେଖନ୍ତୁ ଆପଣଙ୍କ ଘରର ବଜେଟ୍ କେବେ ହ୍ରାସ ପାଇନି। ବରଂ ଆପଣଙ୍କ ବଜେଟ୍ ବଢ଼ି ବଢ଼ି ଚାଲିଛି।

ଦିନେ ଆଳୁ-ପିଆଜ ଆପଣ ୭-୮ଟଙ୍କାରେ କିଣୁଥିଲେ। ହେଲେ ଏବେ ଆଉ କିଣି ପାରୁଛନ୍ତି କି? ପେଟ୍ରୋଲ୍ ୯୦ଟଙ୍କା ଦେଲେଣି। ତା’ ଦରରେ ଆପଣ ଲଗାମ୍‌ ଲଗାଇ ପାରୁଛନ୍ତି କି? ଖର୍ଚ୍ଚ କୌଣସି ବାଟେ କମିନି। କିନ୍ତୁ ଆୟ କ’ଣ ସେହି ଅନୁପାତରେ ବଢୁଛି? ଏଠି ଗୋଟେ କଥା ଯଦି ହିସାବ କରିବେ ହୁଏତ ଆପଣଙ୍କ ମୁଣ୍ଡ ଘୂରେଇ ଦେବ। କିନ୍ତୁ ଏହା ବାସ୍ତବ କଥା, ଯାହାକୁ ଆମେ ସମସ୍ତେ ଅଣଦେଖା କରିଆସିଛନ୍ତି।

କଥାଟି ହେଲା ଆପଣଙ୍କ ଆୟ ସମାନ ଥାଇ ଯଦି ବ୍ୟୟ ବଢ଼ିଯାଉଛି ସେତେବେଳେ ଅଜଣାତରେ ଆପଣଙ୍କ ଆୟ କମିଯାଉଛି, ଯାହାକି ଆମେ ସାଧାରଣତଃ ଜାଣିପାରନ୍ତିନି। ଏଠି ଉଦାହରଣ ଟିଏ ନିଅନ୍ତୁ।

ମନେ କରନ୍ତୁ ଆପଣଙ୍କ ଦରମା ୧୦୦ଟଙ୍କା। ଆଉ ଚାଉଳ କେଜି ୨୦ଟଙ୍କା। ତାହାଲେ ଆପଣ ୫କେଜି ଚାଉଳ କିଣି ପାରିବେ। କିନ୍ତୁ ଧରିନିଆଯାଉ କରୋନା ପାଇଁ ଆପଣଙ୍କ ଦରମା ଏ ବର୍ଷ ବଢିନାହିଁ। ଯୋଉ ୧୦୦ ଟଙ୍କାକୁ ସେହି ୧୦୦ଟଙ୍କା ଅଛି। କିନ୍ତୁ ଚାଉଳ ଦାମ ୨୦ରୁ ୨୫କୁ ବଢ଼ିଗଲା। ଫଳରେ ଆପଣ ଆଉ ପୂର୍ବପରି ୫ କେଜି ଚାଉଳ କିଣି ପାରିବେନି। ବରଂ ୪କେଜି କିଣିବେ। ଅର୍ଥାତ୍ ଆପଣଙ୍କୁ ବୁଝିବାକୁ ହେବ ଯେ ଆପଣଙ୍କ ଆୟ ଏକ କେଜି ଚାଉଳ ବା ୨୦ଟଙ୍କା କମିଛି। କିନ୍ତୁ ଏ ହିସାବ ଆପଣ କେବେ କରିଛନ୍ତି କି?

ଖାଲି ସେତିକି ନୁହେଁ ଧରି ନିଅନ୍ତୁ ଚାଉଳ ଦାମ ୨୦ଟଙ୍କାରୁ ୨୫ଟଙ୍କା ହେବା ସାଙ୍ଗକୁ ଆପଣଙ୍କ ଦରମା ମଧ୍ୟ ଆଉ ୨୫ଟଙ୍କା ବଢ଼ିଲା। ମାନେ ଆପଣଙ୍କ ଆୟ ୧୦୦ଟଙ୍କାରୁ ୧୨୫ ଟଙ୍କା ହେଲା ଏବଂ ଚାଉଳ କେଜି ୨୦ଟଙ୍କାରୁ ୨୫ଟଙ୍କା ହେଲା। ଏଠି କଣ ହେବ ଦେଖନ୍ତୁ।

ଏଠି ଆପଣ ସେହି ସମାନ୍ ୫ କେଜି ଚାଉଳ କିଣିବା ପାଇଁ ସମସ୍ତ ୧୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଯାହାକି ତୁଳନାତ୍ମକ ଭାବେ ଦେଖିଲେ ପୂର୍ବର ୧୦୦ ଟଙ୍କା ସହିତ ସମାନ। ଅର୍ଥାତ୍ ୧୦୦ଟଙ୍କା ଆୟ ଵେଳେ ଯେତିକି କିଣୁଥିଲେ ୧୨୫ରେ ବି ସେତିକି କିଣିଲେ। କିନ୍ତୁ ଆପଣ ମନେମନେ ଖୁସି ହେଉଥିବେ ଯେ, ଯାହାହେଉ ମୋ ଦରମା ବଢ଼ିଗଲା। ମତେ ଆଉ ୨୫ଟଙ୍କା ଅଧିକ ମିଳିଲା। କିନ୍ତୁ ସତକଥା ହେଉଛି ଆପଣଙ୍କର ୫ ପଇସା ବି ବଢ଼ିନି।

ଏହାର ଅର୍ଥ ଆପଣଙ୍କ purchasing power (କ୍ରୟ ଶକ୍ତି)ବଢ଼ିନାହିଁ। ଏହାକୁ ଇକୋନୋମିକ୍ସରେ Money Illusion ବୋଲି କୁହାଯାଏ। ଆଉ ଆମେ ସମସ୍ତେ ଏହି ମନି ଇଲ୍ୟୁଜନର ଶିକାର୍ ହୋଇ ସାରିଛନ୍ତି। ତେବେ ଏଥର କୁହନ୍ତୁ ରାତି ପାହିଲେ ଯେଉଁ ବଜେଟ୍ ଆସିବ ତାହାକୁ ଆପଣ କେମିତି ସ୍ୱାଗତ କରିବେ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହାଲୱା ରାନ୍ଧି ବଜେଟ୍ ରିପୋର୍ଟ ପ୍ରସ୍ତୁତ କରିସାରିଲେଣି। ଏଥର ଆପଣ ନିଜ ଘରର ବଜେଟ୍ ପାଇଁ ପ୍ରସ୍ତୁତ ଅଛନ୍ତି ତ?

You might also like