ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ପାର୍ ହେଉଛନ୍ତି ଲୋକେ
ଗଜପତି : ଜୀବନକୁ ବାଜି ଲଗାଇ ଉଛୁଳା ନଦୀରେ ପାର୍ ହେଉଛନ୍ତି ଲୋକେ। ହାତରେ ଖଣ୍ଡିଏ ବାଡି ସାହାଯ୍ୟରେ ବିପଦଜନକ ଭାବେ ନଦୀ ପାର୍ ହେଉଛନ୍ତି ଲୋକେ। ଲୋକେ ଏଠି ବାଧ୍ୟ ହେଉଛନ୍ତି ଏଭଳି ଭାବେ ଯାତାୟତ କରିବାକୁ। ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ୍ ଗାଣ୍ଡୁପଦର ଗାଁ ଏବଂ ମୋହନା ବ୍ଲକ୍ର କମଳାପଦର ଗାଁଲୋକଙ୍କ ଦୁଖ ସାଜିଛି ବଡଝର ନଦୀ। ଟିକିଏ ପାଣି ବଢିଲେ ଅାଖପାଖ ଗାଁର ପାଖାପାଖି ୧୦ ହଜାର ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଉଥିବା ବେଳେ ବର୍ଷା ୩ ମାସ ପାଲଟେ ଲୋକଙ୍କ ପାଇଁ କାଳ ସମୟ।
ସେପଟେ ୨୦୧୪-୧୫ ମସିହାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ତିଅାରି କାମ ଅାରମ୍ଭ ହୋଇଥିଲେବି ସଂପୃକ୍ତ ଠିକାଦାର କାମ ଛାଡି ଚାଲିଯିବାରୁ ଅଧପନ୍ତରିଅା ହୋଇପଡିରହିଛି ପୋଲ କାମ। ଏନେଇ ନିର୍ବାହୀ ଯନ୍ତ୍ରୀଙ୍କ କହିବା କଥା, ବର୍ଷା ଛାଡିବା ପରେ ଶେଷ କରାଯିବ କାମ।
ସେପଟେ ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ୍ ଶୁଣ୍ଢିପଦର ପଂଚାୟତର ସେକାମାଳ ଗାଁରେ ବି ସବୁଦିନ ନାଳ ପାର୍ ହୋଇ ଯିବା ଅାସିବା କରୁଛନ୍ତି ଲୋକେ। ରାସ୍ତାଟିଏ ନଥିବାରୁ ସବୁଦିନ ଏଭଳି କାଦୁଅ, ପାଣି ଭିତରେ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ଟିକେ ପାଣି ବଢିଲେ ଏକମାତ୍ର ରାସ୍ତା କୁହାଯାଉଥିବା ଏଇ ନାଳରେ ଯାତାୟତ ପୁରା ଠପ୍ହୋଇଯାଏ ।
ଅନ୍ୟପଟେ ରାସ୍ତା ନଥିବାରୁ ଲୋକେ ସ୍ୱାସ୍ଥ୍ୟସେବା ପାଇପାରୁନଥିବାବେଳେ ରୋଗୀଙ୍କୁ ଖଟିଅାରେ ବୁହା ହେଉଥିବା ଅଭିଯୋଗ ହୋଇଛି। ଏନେଇ କଣ୍ଟାମାଳ ବିଡିଓ କହିଛନ୍ତି, ଖୁବ୍ ଶୀଘ୍ର ରାସ୍ତାର ବନ୍ଦୋବସ୍ତ କରାଯିବ।
କେଉଁଠି ନଦୀ ଡରାଉଛି ଲୋକଙ୍କୁ ତ ଅାଉ କେଉଁଠି ନାଳସମସ୍ୟା ଯୋଗୁ ଲୋକଙ୍କ ନିତିଦିନିଅା କାମରେ ବାଧା ସୃଷ୍ଟି ହେଉଛି। ଉଭୟ କ୍ଷେତ୍ରରେ ପ୍ରଶାସନ ଦୃଷ୍ଟି ଦେଲେ ଲୋକେ ଯିବାଅାସିବା କରିବାରେ ସୁବିଧା ପାଇପାରିବେ ବୋଲି ଅାଶା କରାଯାଉଛି।