୧୯ ସାଧାରଣ ନିର୍ବାଚନ ପୂର୍ବରୁ ୩ ପ୍ରମୁଖ ହିନ୍ଦୀ ଭାଷୀ ରାଜ୍ୟରେ ବିଜେପିକୁ ଝଟକା

ନୂଆଦିଲ୍ଲୀ : ୧୯ ସାଧାରଣ ନିର୍ବାଚନ ପୂର୍ବରୁ ୩ ପ୍ରମୁଖ ହିନ୍ଦୀ ଭାଷୀ ରାଜ୍ୟରେ ବିଜେପିକୁ ଝଟକା। ଛତିଶଗଡ଼ରେ ୧୫ ବର୍ଷ ଧରି କ୍ଷମତାରେ ଥିବା ରମଣ ସିଂହ ନେତୃତ୍ୱାଧୀନ ବିଜେପି ସରକାର ଶୋଚନୀୟ ପରାଜୟ ବରଣ କରିଥିବା ବେଳେ ମଧ୍ୟ ପ୍ରଦେଶରେ କଡ଼ା ସଂଘର୍ଷ ହୋଇଥିଲେ ବି ଆଗରେ ରହିଛି କଂଗ୍ରେସ।

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ହାର୍ଟ ବ୍ରେକ୍। ୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ ଫୋକସରେ ରହିଥିଲା ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼। ତେବେ ସମସ୍ତ ୩ ରାଜ୍ୟରେ ବିଜେପିକୁ ଲାଗିଛି ଜବରଦସ୍ତ ଝଟକା।

ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ୧୫ ବର୍ଷ ହେଲା କ୍ଷମତାରେ ଥିବା ବେଳେ ସରକାରୀ ବିରୋଧୀ ହାଓ୍ୱା ଜୋରଦାର ବହୁଥିବା ପୂର୍ବାନୁମାନ କରାଯାଇଥିଲା। ଏହାସତ୍ୱେ ଉଭୟ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ୍ଡା ଟକ୍କର ହେବା ଆଶା କରାଯାଉଥିଲା। ମାତ୍ର ଛତିଶଗଡ଼ରେ ରମଣ ସିଂହ ସରକାର ଶୋଚନୀୟ ପରାଜୟର ସାମନା କରିଛି। ପରିବର୍ତ୍ତନର ହାଓ୍ୱାରେ ସଂପୂର୍ଣ୍ଣ ଭାବେ ଧୂଳିସାତ୍ ହୋଇଯାଇଛି। ବିଜେପିର ଆଶା ଏଠାରେ କଂଗ୍ରେସ୍ ଦୁଇ ତୃତୀୟାଂଶ ସିଟ୍ ସହ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି।

ଅନ୍ୟତମ ହିନ୍ଦୀଭାଷୀ ରାଜ୍ୟ ମଧ୍ୟପ୍ରଦେଶରେ ଚତୁର୍ଥ ଥର ପାଇଁ ଜନମତ ଲୋଡୁଥିବା ଶିବରାଜ ସିଂହ ଚୌହାନଙ୍କ ପାଇଁ ବି ଥିଲା ବଡ଼ ଅହ୍ୱାନ। ତେବେ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ପରେ ଆଗରେ ରହିଛି କଂଗ୍ରେସ। ଗଣତି ଆରମ୍ଭରୁ ପରିଣାମ ଆସିବା ଯାଏଁ ଦୁଇ ଦଳ ମଧ୍ୟରେ ଗୋଡିଆ ଗୋଡି ଲାଗି ରହିଥିଲା। କେତେବେଳେ ବିଜେପି ଆଗରେ ତ କେତେବେଳେ କଂଗ୍ରେସ ତେବେ ଚୂଡ଼ାନ୍ତ ପର୍ଯ୍ୟାୟ ବେଳକୁ ବିଜେପିକୁ ପଛରେ ଛାଡି ଦେଇଥିଲା କଂଗ୍ରେସ। ଫଳରେ କ୍ଷମତା ବଜାୟ ରଖିବା ସହ ସମ୍ମାନ ବଜାୟ ରଖିବା ଲାଗି ବିଜେପିର ପ୍ରୟାସକୁ ଲାଗିଛି ଜବରଦସ୍ତ ଧକ୍କା।

ସେପଟେ ରାଜସ୍ଥାନରେ କିନ୍ତୁ ଯାହା ଆଶା କରାଯାଉଥିଲା ତାହାହିଁ ଘଟିଛି ।୧୯୯୩ରୁ ରାଜ୍ୟରେ ପ୍ରତି ୫ ବର୍ଷରେ ସରକାର ପରିବର୍ତ୍ତନର ଧାରା ଜାରି ରହିଥିବା ବେଳେ ଏଥର ତାର ପୁନରାବୃତ୍ତି ଘଟିଛି। ବସୁନ୍ଧରା ରାଜେ ସରକାରଙ୍କୁ ପରାସ୍ତ କରି ପୁଣି କ୍ଷମତାକୁ ଫେରିଛି କଂଗ୍ରେସ।

ସାଧାରଣ ନିର୍ବାଚନକୁ ଆଉ ମାସ କେଇଟା ବାକି ଥିବା ବେଳେ ୫ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ପାଇଁ ସତର୍କ ଘଟି ସଦୃଶ ହୋଇଛି। କାରଣ ଏସବୁ ରାଜ୍ୟରେ ଯେଉଁ ଦଳ କ୍ଷମତାରେ ଥାଏ ଲୋକସଭା ନିର୍ବାଚନରେ ସେଇ ଦଳକୁ ଅଧିକ ସିଟ୍ ମିଳିବାର ନଜିର ରହିଛି। ତିନି ରାଜ୍ୟରେ ମୋଟ ୬୫ଟି ଲୋକସଭା ଆସନ ଥିବାରୁ ସାଧାରଣ ନିର୍ବାଚନରେ ଯଦି ସମାନ ଢଙ୍ଗରେ ଭୋଟିଂ ହୁଏ ତେବେ ମୋଦି କ୍ଷମତା ବଜାୟ ରଖିବା କଷ୍ଟକର ହୋଇପାରେ। ସେପଟେ କଂଗ୍ରେସ୍‌ର ମଙ୍ଗ ଧରିବା ପରେ ରାହୁଲ ଗାନ୍ଧିଙ୍କ ପାଇଁ ଏହା ବିରାଟ ସଫଳତା ବୋଲି କୁହାଯାଉଛି।

You might also like