‘ସୁପର-୩୦’ର ଜଣେ ଛାତ୍ରଙ୍କ କାହାଣୀ: ଦୋକାନରେ କାମ କରୁଥିଲେ, ଏବେ ମାସିକ ରୋଜଗାର ଲକ୍ଷାଧିକ ଟଙ୍କା

ପାଟଣା: ବଲିଉଡ୍‌ର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ୍‌ ରୋଶନଙ୍କ ଅଭିନିତ ଫିଲ୍ମ ‘ସୁପର-୩୦’କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା। ଏହି ଫିଲ୍ମଟି ସଫଳ ଶିକ୍ଷାବିତ୍‌ ତଥା ବିହାରର ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାରଙ୍କ କାହାଣୀ ଉପରେ ଆଧାରିତ। ଯିଏ କି ଗରିବ ମେଧାବୀଙ୍କୁ ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ପଢ଼ିବାର ସୁଯୋଗ ଦେବା ପାଇଁ ଫ୍ରି କୋଚିଂ ସେଣ୍ଟର୍ ଆରମ୍ଭ କରିଥିଲେ। ୨୦୦୮ରେ ସୁପର୍ ଥାର୍ଟି ପ୍ରୋଗ୍ରାମ୍‌ର ସମସ୍ତ ୩୦ ଜଣ ଛାତ୍ରଛାତ୍ରୀ ଆଇଆଇଟି-ଜେଇଇ କ୍ଲିୟର୍ କରିବା ପରେ ଏହା ଦେଶ ବିଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା।

ଆଜି ଆମେ ସେହି ସୁପର ୩୦ର ଜଣେ ଛାତ୍ରଙ୍କ ଜୀବନୀ ଉପରେ ଆଲୋଚନା କରିବା ଯିଏ କି ଏକ ଛୋଟିଆ ତେଜରାତି ଦୋକାନରେ କାମ କରୁଥିଲେ । ହେଲେ ଏବେ ସେ ମାସକୁ ଲ‍କ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି। ସେ ଛାତ୍ର ଜଣକ ହେଉଛନ୍ତି ବିହାରର ୨୩ ବର୍ଷୀୟ ଧନଞ୍ଜୟ କୁମାର।

ଧନଞ୍ଜୟ ପିଲାଟିବେଳୁ ତାଙ୍କ ବାପାଙ୍କ ଦୋକାନରେ କାମ କରୁଥିଲେ। ହେଲେ ତାଙ୍କର ପାଠ ପ୍ରତି ବେଶ୍ ଆଗ୍ରହ ଥିଲା। ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସେ ଗାଁ ସ୍କୁଲରେ ପଢ଼ୁଥିଲେ। ଅର୍ଥାଭାବ ଯୋଗୁ ଅଧିକ ପଢ଼ିବା ପାଇଁ ସେ ବାହାରକୁ ଯାଇ ନ ପାରି ଗାଁର ସରକାରୀ ସ୍କୁଲରେ ନାମ ଲେଖାଇଥିଲେ।  ପାଖରେ ଟଙ୍କା ନଥିବାରୁ ସେ ପଢ଼ିବା ପାଇଁ ବହିଟିଏ ବି କିଣିପରାରୁ ନଥିଲେ। ମାର୍କେଟ୍‌ରେ ମିଳୁଥିବା ସେକେଣ୍ଡ ହାଣ୍ଡ ବହି କିମ୍ବା ଏହାର ଫଟୋକପି ସଂଗ୍ରହ କରି ସେ  ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବହୁ କଷ୍ଟରେ ପଢ଼ିଥିଲେ। ଘରେ ଟିଭି ନଥିବାରୁ ଦେଶବିଦେଶର ଖବର ଜାଣିବା ସେ ସବୁବେଳେ ଖବର କାଗଜ ପଢ଼ୁଥିଲେ।

ଏହି ଖବର କାଗଜରୁ ହିଁ ତାଙ୍କୁ IIT-JEE ପରି ପରୀକ୍ଷା ବିଷୟରେ ଜଣାପଡ଼ିଲା। ଏହାପରେ ସେ ଖବରକାଗଜରେ ସେହି ବ୍ୟକ୍ତିମାନଙ୍କ କାହାଣୀ ପଢ଼ିବାକୁ ଲାଗିଲେ ଯେଉଁମାନେ ଅନେକ ଅସୁବିଧା ଭିତରେ ମଧ୍ୟ ନିଜ ପରିଶ୍ରମ ବଳରେ ସଫଳତା ପାଇଛନ୍ତି। ଏହାପରେ ଧନଞ୍ଜୟଙ୍କ ମନରେ ମଧ୍ୟ କିଛି କରିବା ପାଇଁ ଇଚ୍ଛା ଜାଗ୍ରତ ହେଲା।

ଦଶମ ଶ୍ରେଣୀରୁ ଜଣେ ଇଞ୍ଜିନିୟର ହେବା ପାଇଁ ସ୍ୱପ୍ନ ଦେଖୁଥିଲେ ଧନଞ୍ଜୟ।  ହେଲେ ଯେବେ ସେ ଦଶମ ଶ୍ରେଣୀ ପରୀକ୍ଷା ପାସ କଲେ, ଦେଖିଲେ ଯେ ତାଙ୍କ ସହପାଠୀମାନେ ଇଞ୍ଜିନିୟରିଂ ଆଡମିଶନ୍‌ ଲାଗି ବାହାରକୁ ପ୍ରାଇଭେଟ୍ କୋଚିଂ ପାଇଁ ଯାଉଛନ୍ତି। ହେଲେ ସେ ଜାଣି ଥିଲେ ତାଙ୍କ ପାଖରେ ଏତେ ଟଙ୍କା ନାହିଁ କୋଚିଂ ନେବା ପାଇଁ। ତେଣୁ ଇଞ୍ଜିନିୟର ସ୍ୱପ୍ନ ତାଙ୍କର ସେଇଠି ମଉଳି ଯାଇଥିଲା।

ହେଲେ ଏହି କଠିନ ସମୟରେ ତାଙ୍କୁ ଗୋଟିଏ ଆଶାର କିରଣ ଦେଖାଗଲା । ଆଉ ସେ ହେଉଛି ‘ସୁପର-୩୦’। ଧନଞ୍ଜୟ ଖବର କାଗଜରୁ ସୁପର-୩୦ ଓ ଆନନ୍ଦ କୁମାରଙ୍କ ବିଷୟରେ ପଢ଼ିଥିଲେ। ତାଙ୍କୁଠୁ ସେ ଅନେକ ପ୍ରେରଣା ମଧ୍ୟ ପାଇଥିଲେ। ତେଣୁ ସେ ଏକାଦଶ ପାସ୍‌ କରିବା ପରେ ନିଜ ବନ୍ଧୁଙ୍କ ସହ ପଟଣା ପଳାଇଥିଲେ ସୁପର-୩୦ରେ ଟେଷ୍ଟ ଦେବାକୁ। ତାଙ୍କ ପାଖରେ ଟ୍ରେନ୍‌ ଟିକଟ୍ କରିବାକୁ ମଧ୍ୟ ଟଙ୍କା ନଥିଲା। ହେଲେ ଯେମିତି ବି ହେଉ ସେ ଯାଇ ପଟଣାରେ ପହଞ୍ଚିଥିଲେ। ସେଠାରେ ପହଞ୍ଚି ସେ ପ୍ରଥମ ଟେଷ୍ଟ ଦେଇଥିଲେ ଓ ପରେ ଆନନ୍ଦ କୁମାର ତାଙ୍କ ଇଣ୍ଟରଭ୍ୟୁ ନେଇଥିଲେ। ପାଠ ପ୍ରତି ଧନଞ୍ଜୟଙ୍କ ଆଗ୍ରହ ଓ ତାଙ୍କ ପ୍ରତିଭା ଦେଖି ଆନନ୍ଦ କୁମାର ତାଙ୍କୁ ସୁପର-୩୦’ରେ ରଖିଦେଲେ। ଏଠାରେ ରହି ଧନଞ୍ଜୟ ନିଜ ସ୍ୱପ୍ନ ସାକାର କରିବାରେ ଲାଗିପଡ଼ିଲେ।

ଧନଞ୍ଜୟ ନିଜ ପ୍ରଥମ ଚେଷ୍ଟାରେ ହିଁ ଟେଷ୍ଟ କ୍ଲିୟର କରିଦେଇଥିଲେ। ହେଲେ ଏଥର ତାଙ୍କୁ NITରେ ଆଡମିଶନ୍‌ ମିଳୁଥିଲା। ତେଣୁ ସେ ପୁଣିଥରେ ଆନନ୍ଦ ସାରଙ୍କ ସାହାଯ୍ୟରେ ଅନେକ ପରିଶ୍ରମ କରି ଆଉଥରେ ପରୀକ୍ଷା ଦେଲେ ଓ ଭଲ ରାଙ୍କ ରଖି ୨୦୧୫ରେ ସେ IIT ଖଡ଼ଗପୁରରେ ଆଡମିଶନ ପାଇଥିଲେ। ହେଲେ କାଉଁସେଲିଂ ଫିସ୍‌ ଦେବାକୁ ତାଙ୍କ ପାଖରେ ଆଦୌ ଅର୍ଥ ନଥିଲା। ଏହି ସମୟରେ ଆନନ୍ଦ କୁମାର ତାଙ୍କୁ ଫିସ୍‌ର ଟଙ୍କା ଯୋଗାଡ଼ କରି ଦେଇଥିଲେ।

 IITରେ ପୂରା ପାଠ୍ୟକ୍ରମ ପାଇଁ ଫିସ୍‌ ଥିଲା ୧ ଲକ୍ଷ ଟଙ୍କା। ହେଲେ ଆବେଦନ ପରୀକ୍ଷାରେ ଭଲ ନମ୍ବର ରଖିଥିବାରୁ ତାଙ୍କୁ ବ୍ୟାଙ୍କରୁ ଲୋନ୍‌ ମିଳିଯାଇଥିଲା ଓ ସେ ସେଠାରେ ପଢ଼ି ପାରିଥିଲେ। ଧନଞ୍ଜୟ ସେଠାରେ ନିଜ ସ୍ୱପ୍ନ ପୂରା କରିବା ପାଇଁ ଓ ନିଜ ପରିବାରକୁ ଏକ ଭଲ ଜୀବନ ଦେବା ପାଇଁ ଅନେକ ପରିଶ୍ରମ କରିଥିଲେ। ଫଳରେ ପରବର୍ତ୍ତୀ ସମୟରେ ତାଙ୍କୁ ଆମେରିକୀୟ କମ୍ପାନୀ ‘ମ୍ୟାଥ୍‌ୱର୍କସ୍’ରେ ଏକ ଭଲ ଚାକିରୀ ମିଳିଯାଇଥିଲା। ଯାହାର ଟ୍ରେନିଂ ପିରିୟଡରେ ଦରମା ଲକ୍ଷେ ଟଙ୍କା ଉପରକୁ ଥିଲା।

ତାଙ୍କ ପରି ସ୍ୱପ୍ନ ଦେଖୁଥିବା ପିଲାଙ୍କୁ ସେ ଏକ ବାର୍ତ୍ତା ଦେଇ କହିଛନ୍ତି,  ଭବିଷ୍ୟତକୁ ନେଇ ଅତ୍ୟଧିକ ଚିନ୍ତା କରିବା ଫଳରେ ଆମ ମନରେ ଏକ ଡର ଆସିଯାଏ । ଏହି ଡର ହିଁ ସଫଳତାର ମାର୍ଗରେ କଣ୍ଟା ସଦୃଶ ଠିଆ ହୁଏ । ତେଣୁ କେବେ ହେଲେ ଭବିଷ୍ୟତ ଓ ଫଳର ଚିନ୍ତା କରନ୍ତୁ ନାହିଁ। କେବଳ ନିଜ ଲକ୍ଷ ଉପରେ ଧ୍ୟାନ ଦିଅ ଓ ଏହାକୁ ପାଇବାକୁ କଠିନ ପରିଶ୍ରମ କର।‘

 

You might also like