ଭଜନ ପ୍ରେମରେ ଭାଲୁ: ଶିକାରକୁ ଛାଡ଼ି ପ୍ରସାଦ ଖାଉଛନ୍ତି

ରାୟପୁର: ମଣିଷ-ପଶୁ ମଧ୍ୟରେ ପୁଣି ମଧୁର ସମ୍ପର୍କ ! କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଙ୍ଗଲର ହିଂସ୍ର ଜନ୍ତୁଟିଏ ଆସି ମଣିଷ ପାଖରେ ଠିଆ ହେଉଛି। ପୁଣି ଭଜନ ଶୁଣୁଛି। ପ୍ରସାଦ ଖାଇବା ପରେ ପୁଣି ଜଙ୍ଗଲକୁ ଚାଲି ଯାଉଛି। ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ଏମିତି ମଧୁର ସମ୍ପର୍କ ଗଢି ଉଠିଛି ଜଣେ ସାଧୁ ଆଉ ଭାଲୁ ପରିବାର ମଧ୍ୟରେ।

ଭଜନ ପ୍ରେମରେ ପଡ଼ିଯାଇଛନ୍ତି ଗୋଟିଏ ଭାଲୁ ପରିବାର।  ଭଜନ ଗାଉଥିବା ଜଣେ ସାଧୁଙ୍କ ପାଖକୁ ଏମାନେ ଆସି ମଣିଷଙ୍କ ଭଳି  ଶୁଣୁଛନ୍ତି। ଖାଲି ସେତିକି ନୁହେଁ, ଭଜନ ସରିବା ପରେ ସାଧୁ ଦେଉଥିବା ପ୍ରସାଦ ଖାଇ ବେଶ ଆରାମରେ ସପରିବାର ଜଙ୍ଗଲ ମଧ୍ୟକୁ ଚାଲି ଯାଉଛନ୍ତି। ଛତିଶଗଡ଼ ଓ ମଧ୍ୟପ୍ରଦେଶ ସୀମାନ୍ତ ରାହଡେଲରେ ଏଭଳି ଘଟଣା ଏବେ ବି ଜାରି ରହିଛି। ଭାଲୁମାନେ ଭଜନ ଶୁ଼ଣିବାକୁ ଫି’ ଦିନ ଆସୁଛନ୍ତି।

ଜେତପୁର ବନାଞ୍ଚଳ ଅନ୍ତର୍ଗତ ଖଡ଼ାଖୋହ ଜଙ୍ଗଲରେ ଥିବା ସୋନ ନଦୀ ପାଖ ରାଜମାଡ଼ା ଠାରେ ସୀତାରାମ ସାଧୁ ୨୦୦୩ରୁ ଛୋଟିଆ କୁଟୀର କରି ରହି ଆସୁଛନ୍ତି। କୁଟୀର ନିର୍ମାଣ କରିବା ଦିନଠାରୁ ହିଁ ସେଠାରେ ସେ ପ୍ରତିଦିନ ରାମ ଭଜନ ସହ ପୂଜାପାଠ କରୁଛନ୍ତି। ଗୋଟିଏ ଦିନ ସେ ଭଜନ କରି ଏଥିରେ ହଜି ଯାଇଥିଲେ।

ଠିକ ଏହି ସମୟରେ ଦୁଇଟି ଭାଲୁ ତାଙ୍କ ପାଖକୁ ଆସିଥିଲେ। ହେଲେ ସୀତାରମ ଭାଲୁଙ୍କ ବ୍ୟବହାର ଦେଖି ପୂରା ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଦୁଇଟି ଯାକ ଜଙ୍ଗଲୀ ଭାଲୁ ବେଶ ଚୁପଚାପ ତାଙ୍କ ଭଜନକୁ ଶୁଣୁଥିଲେ। ଏହା ଦେଖି ସୀତରାମ ସାମାନ୍ୟ ଡରି ଯାଇଥିଲେ। ହେଲେ ଭାଲୁ ଦ୍ୱୟ କୌଣସି ପ୍ରକାରର ଆକ୍ରମଣ କରି ନଥିଲେ।

ସୀତାରାମ ଭାଲୁଙ୍କ ଭଜନ ପ୍ରେମକୁ ବୁଝିବା ସହ ତାଙ୍କୁ ସେ ପ୍ରସ୍ତୁତ କରିଥିବା ପ୍ରସାଦ ଖାଇବାକୁ ଦେଇଥିଲେ। ପ୍ରସାଦ ଖାଇବା ପରେ ଭାଲୁ ଦ୍ୱୟ ପୁଣିଥରେ ଜଙ୍ଗଲ ମଧ୍ୟକୁ ଚାଲି ଯାଇଥିଲେ।

ସୀତାରାମ କହିଛନ୍ତି, ସେହି ଦିନଠାରୁ ଭଜନ ଶୁଣିବା ପାଇଁ ଭାଲୁମାନେ ଜଙ୍ଗଲ ମଧ୍ୟରୁ କୁଟୀର ନିକଟକୁ ଆସୁଛନ୍ତି। ଇତି ମଧ୍ୟରେ ଅନେକ ବର୍ଷ ବିତିଗଲାଣି। ହେଲେ ଭାଲୁଙ୍କ ଯିବା ଆସିବା ଲାଗି ରହିଛି। ଭାଲୁମାନେ ଅନେକ ସମୟରେ କୁଟୀର ନିକଟକୁ ଆସିଛନ୍ତି। କିନ୍ତୁ କେବେ ବି କୁଟୀର ମଧ୍ୟରେ ପଶି ନାହାନ୍ତି କିମ୍ବା କାହାକୁ ଆକ୍ରମଣ କରିନାହାନ୍ତି।

ଏବେ ଗୋଟିଏ ପୁରୁଷ ଓ ମହିଳା ଭାଲୁ ଆସୁଛନ୍ତି। ତାଙ୍କ ସହ ସେମାନଙ୍କର ଦୁଇଟି ଛୁଆ ମଧ୍ୟ ଭଜନ ଶୁଣିବାକୁ କୁଟୀର ପାଖକୁ ଆସୁଛନ୍ତି। ସମସ୍ତେ ଏକା ସାଙ୍ଗରେ ଆସୁଛନ୍ତି ଏବଂ ଏଠାରେ ପଡ଼ିଥିବା ବାଲି ଉପରେ ବସି ରହି ଭଜନ ଶୁଣୁଛନ୍ତି। ପ୍ରସାଦ ଖାଇବା ପରେ ସାଙ୍ଗ ହୋଇ ଜଙ୍ଗଲ ମଧ୍ୟକୁ ଚାଲି ଯାଉଥିବା ସୀତାରାମ କହିଛନ୍ତି।

ସୀତାରାମ ପୁରୁଷ ଭାଲୁର ନାମ ଲାଲା ଓ ମହିଳା ଭାଲୁର ନାଁ ଲାଲୀ ଦେଇଛନ୍ତି। ସେହିପରି ଛୁଆ ଦୁଇଟିଙ୍କ ମଧ୍ୟରୁ ଜଣଙ୍କର ନାଁ ଚୁନୁ ଓ ଆଉ ଜଣଙ୍କ ନାଁ ମୁନୁ ରଖିଛନ୍ତି।

ବନବିଭାଗ ରେଞ୍ଜ ମଧ୍ୟ ସୀତରାମଙ୍କ ଭଜନ ଶୁଣିବାକୁ କିଛି ଭାଲୁ ଆସୁଥିବା କଥାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଭଜନ ଆରମ୍ଭ ହେବା କ୍ଷଣି ଭାଲୁମାନେ ରୁଣ୍ଡ ହେଉଛନ୍ତି। ଭଜନ ଶେଷ ହେବା ପରେ ବେଶ ଶାନ୍ତିପୂର୍ଣ୍ଣ ଭାବେ ସେମାନେ ଜଙ୍ଗଲ ମଧ୍ୟକୁ ଚାଲି ଯାଉଛନ୍ତି।

You might also like