କରୋନା ଭୟ; ଗୁଜବକୁ ବିଶ୍ୱାସ କରନ୍ତୁନି, ଏମିତି ସଚେତନ ରୁହନ୍ତୁ

ଭୁବନେଶ୍ୱର: ଚୀନର ଉହାନ ସହରରୁ ଆସି ସାରା ବିଶ୍ୱରେ ଆତଙ୍କ ରଚିଛି କରୋନା ଭାଇରସ। ଦିନକୁ ଦିନ କରୋନା ଭାଇରସରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସାମାନ୍ୟ ଥଣ୍ଡା ବା କାଶ ହେଲେ ବି ଲୋକେ ଡରି ଯାଉଛନ୍ତି। ତେବେ କ’ଣ ଏଇ କରୋନା ଭୂତାଣୁ ଏବଂ କିପରି ଏହା କବଳରୁ ବର୍ତ୍ତିବେ, ଆସନ୍ତୁ ଜାଣିବା।

କରୋନା ହେଉଛି ଭୂତାଣୁମାନଙ୍କର ଏକ ସମୂହ। ଏହାର ପ୍ରଥମ ଲକ୍ଷଣ ହେଉଛି ଥଣ୍ଡା-ଜ୍ୱର।  ଏହି ରୋଗ ବଢ଼ିବାକୁ ଲାଗିଲେ ଥକାପଣ ଅନୁଭବ ହେବା। ଏହି ରୋଗ ଏକାଧିକ ଦିନ ଲାଗି ରହିଥାଏ। ରୋଗୀର ଶୁଖିଲା କାଶ, ମୁଣ୍ଡ ବ୍ୟଥା ହେବା ସହ ହାତଗୋଡ ଦରଜ ହୁଏ। ଛାତିରେ କଫ ଜମିଯାଏ ଏବଂ ବାରମ୍ବାର ବାନ୍ତି ହେବା ସହ ନିଶ୍ୱାସ-ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥାଏ।  ନାକରୁ ନିୟମିତ ପାଣି ବାହାରିବା ଓ କୌଣସି ଅଙ୍ଗ କାମ ନ କରିବା ଆଦି ଏହି ସଂକ୍ରମଣର ମୁଖ୍ୟ ଲକ୍ଷଣ । ଏମିତିକି ଏହି ଭାଇରସ କିଡ଼ନୀକୁ ସଂପୂର୍ଣ୍ଣ ଅକାମୀ କରି ମଣିଷକୁ ମୃତ୍ୟୁ ଆଡକୁ ଟାଣି ନେଇଥାଏ। କରୋନା ଭାଇରସ ଶରୀରକୁ କବଜା କରିବା ପରେ ନିମୋନିଆରେ ରୋଗୀର ମୃତ୍ୟୁ ହେବାର ମଧ୍ୟ ଆଶଙ୍କା ରହିଛି।

କେମିତି ରହିବେ ସତର୍କ :

-କରୋନା ଭାଇରସ ଯେମିତି ସଂକ୍ରମିତ ନ ହେବ, ସେଥିପ୍ରତି ସମସ୍ତେ ଯତ୍ନବାନ ହେବା ଦରକାର।  କରୋନା ରୋଗୀକୁ ସ୍ୱତନ୍ତ୍ର କୋଠରୀରେ ରଖିବା ଆବଶ୍ୟକ।

-ଶ୍ୱାସ ରୋଗୀଙ୍କଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ। ଯେଉଁସବୁ ଅଂଚଳରେ ଏହି ରୋଗ ବ୍ୟାପିଛି ସେଠାକୁ ନ ଯିବା ଉଚିତ।

-କରୋନା ଭାଇରସରୁ ବର୍ତ୍ତିବା ପାଇଁ ଯଥା ସମ୍ଭବ ଭିଡ ସ୍ଥାନରୁ ନିଜକୁ ଦୂରେଇ ରଖନ୍ତୁ। ଯେପରି ମଲ୍, ମାର୍କେଟ, ଷ୍ଟେସନ, ବସଷ୍ଟାଣ୍ଡ, ଏୟାରପୋର୍ଟ ଭଳି ଭିଡ ସ୍ଥାନକୁ ଯାଉଥିଲେ ମାକ୍ସ ବ୍ୟବହାର କରନ୍ତୁ। ଥଣ୍ଡା, କାଶ, ଜ୍ୱରରେ ପୀଡିତ ଥିଲେ କାଶିବା କି ଛିଙ୍କିବା ସମୟରେ ନିଜେ ମୁହଁକୁ ଢାଙ୍କି ରଖନ୍ତୁ।

-ଭଲ ଭାବେ ସିଝା ଯାଇଥିବା ଖାଦ୍ୟ ଖାଆନ୍ତୁ। କୌଣସି ବି ପରିସ୍ଥିତିରେ ଅଧା ସିଝା ମାଂସ ଖାଆନ୍ତୁ ନାହିଁ।

-କୌଣସି ଜିନିଷକୁ ଛୁଇଁଲେ ତୁରନ୍ତ ଲିକୁଇଡ଼ କିମ୍ବା ସାବୁନରେ ହାତ ଧୋଇବାକୁ ଭୁଲନ୍ତୁ ନାହିଁ। ବ୍ୟବହାର କରିଥିବା ଟିସୁ ପେପରକୁ ତୁରନ୍ତୁ ଡଷ୍ଟବିନ୍ ରେ ଫୋପାଡ଼ି ଦିଅନ୍ତୁ।

-ଖାଇବା ପୂର୍ବରୁ ଓ ପରେ ହାତକୁ ଭଲ ଭାବେ ଧୁଅନ୍ତୁ। ଏପରିକି ପ୍ରତିଦିନ ଭଲ ଭାବେ ଗାଧୋଇବା ସହ ଅପରିସ୍କାର ଲୋକଙ୍କ ଠାରୁ ଦୂରରେ ରୁହନ୍ତ।

-ଅଫିସରେ ବି ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଅନ୍ତୁ। ନିଜ ଡେସ୍କ, ଟେବୁଲ, ଟେଲିଫୋନ, କମ୍ପୁଟରର ବୋର୍ଡଗୁଡ଼ିକୁ ନିୟମିତ ସଫା କରନ୍ତୁ। ଟିସୁ ପେପର, ମାସ୍କ ଓ ବନ୍ଦ ଥିବା ଡଷ୍ଟବିନ୍ ହିଁ ବ୍ୟବହାର କରନ୍ତୁ।

– ବିଭିନ୍ନ ସମୟରେ ଆମକୁ ଥଣ୍ଡା, ଜ୍ୱର ହୋଇଥାଏ। କରୋନା ଭାଇରସକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ଦେଖା ଦେଇଥିବା ବେଳେ ଏବେ ସାଧାରଣ ଜ୍ୱର ବା ଥଣ୍ଡା ହେଲେ ଲୋକେ ତାହାକୁ କରୋନା ଭାଇରସ ବୋଲି ଭାବି ନେଉଛନ୍ତ। କୌଣସି ଗୁଜବ କଥାକୁ ବିଶ୍ୱାସ କରନ୍ତୁ ନାହିଁ। ଏହାକୁ କରୋନା ନ ଭାବି ଭୟଭୀତ ନ ହେବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଦୀର୍ଘ ଦିନ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

 

 

 

You might also like