QR କୋଡ୍‌ ସ୍କାନ୍ କରି ପେମେଣ୍ଟ କରୁଥିଲେ ସାବଧାନ ! ଆକାଉଣ୍ଟରୁ ଏମିତି ଲୁଟିନେବେ ଟଙ୍କା

କେନ୍ଦ୍ର ସରକାରଙ୍କର ଡିଜିଟାଲ ଇଣ୍ଡିଆ ଅଭିଯାନ ପରେ ଡିଜିଟାଲ୍ ପେମେଣ୍ଟ ଅଧିକ ବଢ଼ିଯାଇଛି। ତେଣୁ କାହାକୁ ପେମେଣ୍ଟ କଲେ QR କୋଡ୍‌ର ବ୍ୟବହାର କରିବାକୁ ପଡୁଛି। ପେଟ୍ରୋଲ ପମ୍ପ ହେଉ କିମ୍ବା ଛୋଟ ଦୋକାନ, ଯେଉଁଠି ଯାହା କିଣିଲେ ସେଇଠି QR କୋଡ୍‌ ମାଧ୍ୟମରେ ପେମେଣ୍ଟ କଲେ। କିନ୍ତୁ ଦୁଃଖର କଥା ହେଲା ଟେକ୍ନୋଲୋଜି ଯେତେ ଆଗେଇଲା ଠକମାନେ ବି ସେତେ ଚାଲାକ ହେଲେ। ଠକାମୀର ବିଭିନ୍ନ ଫନ୍ଦା ବାହାର କଲେ। QR କୋଡ୍‌ରେ ବି ଠକେଇ ଆରମ୍ଭ ହେଲା। କୋଡ୍ ସ୍କାନ୍ କରିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାୟବ କରିଦେଉଛନ୍ତି ସାଇବର ଠକ। ତାହା କେମିତି ଜାଣନ୍ତୁ।

QR କୋଡ୍ ଫିସିଙ୍ଗ କ’ଣ ?

Quick Response  ବା QR କୋଡ୍‌ ପ୍ରଥମେ ଜାପାନ୍‌ରେ ତିଆରି କରାଯାଇଥିଲା। ଏବେ ଏହା ସାରା ବିଶ୍ୱରେ ବହୁଳମାତ୍ରାରେ ବ୍ୟବହାର କରାଯାଉଛି। ଭାରତରେ ମଧ୍ୟ ଏହାର ବହୁଳ ବ୍ୟବହାର ହେଉଛି। ଖାସ୍ କରି କରୋନା ପରେ ‘କ୍ୟାସ୍‌-ଲେସ୍ ଟ୍ରାଞ୍ଜାକ୍ସନ’ ବଢ଼ିଯିବାରୁ ଏହାର ବ୍ୟବହାର ଅଧିକ କରାଯାଉଛି। ପ୍ରତ୍ୟେକ ବ୍ୟକ୍ତି ଛୋଟବଡ଼ ଆର୍ଥିକ କାରବାର ପାଇଁ QR କୋଡ୍‌ର ବ୍ୟବହାର କରୁଛନ୍ତି। ଯଦି ଆପଣ ବି ଏହାର ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। ନହେଲେ ଠକାମୀର ଶିକାର ହୋଇପାରନ୍ତି।

ଆପଣ QR କୋଡ୍‌ ବ୍ୟବହାର କରି ଟଙ୍କା ଦେଲା ବେଳେ ଠକ ଏହି କୋଡ୍‌କୁ ବଦଳାଇ ଦିଅନ୍ତି। ଫଳରେ ଆପଣଙ୍କ ପେମେଣ୍ଟ ସେମାନଙ୍କ ଅକାଉଣ୍ଟକୁ ଚାଲିଯାଏ। ତେବେ QR କୋଡ୍ ବଦଳାଇବାର ଏହି ପ୍ରକ୍ରିୟାକୁ QR କୋଡ୍ ଫିସିଙ୍ଗ ବୋଲି କୁହାଯାଏ। ଏହାଦ୍ୱାରା ଆପଣଙ୍କ ଟଙ୍କା ଦୋକାନୀ ପାଖକୁ ନଯାଇ ଠକର ଆକାଉଣ୍ଟକୁ ଚାଲିଯାଏ।

ବିଭିନ୍ନ ପ୍ରକାରର QR କୋଡ୍ ଫିସିଙ୍ଗ ହୋଇଥାଏ।

ଉଦହରଣ ସ୍ୱରୂପ- ଠକ ଆପଣଙ୍କୁ ଏକ ମେସେଜ୍ କିମ୍ବା ଇ-ମେଲ୍ ଦେବ। ଯେଉଁଥିରେ ଆପଣ ୫୦,୦୦୦ ଟଙ୍କା ଜିତିଛନ୍ତି ବୋଲି ଲେଖାଯାଇଥିବ ଓ ଏକ କ୍ୟୁଆର୍‌ କୋଡ୍ ଦିଆଯାଇଥିବ। ଏହି କୋଡ୍‌ରେ ସ୍କାନ୍ କରି ୟୁପିଆଇନ୍ ପିନ୍ ଦେଇ ଜିତିଥିବା ଟଙ୍କା ନେଇପାରିବେ ବୋଲି ମେସେଜରେ ଲେଖାଥିବ। ଆପଣ ଟଙ୍କା ଲୋଭରେ କ୍ୟୁଆର୍ କୋଡ୍‌ରେ ସ୍କାନ୍ କରି ୟୁପିଆଇ ନମ୍ବର ଦେବା ମାତ୍ରେ ସଙ୍ଗେ ସଙ୍ଗେ ଆପଣଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଅନ୍ୟ ଆକାଉଣ୍ଟକୁ ଚାଲିଯିବ।

ସେହିପରି ଅନ୍ୟ ଏକ ଉପାୟ ଅନୁସାରେ ଆପଣ ପେଟ୍ରୋଲ୍ ପମ୍ପ କିମ୍ବା କୌଣସି ଦୋକାନରେ QR କୋଡ୍ ମାଧ୍ୟମରେ ପେମେଣ୍ଟ କରୁଥିଲେ ଠକ ଅରଜିନାଲ କ୍ୟୁଆର୍‌ କୋଡ୍‌କୁ ନିଜ QR କୋଡ୍‌ରେ ବଦଳାଇ ଦେବ। ପରେ ଆପଣଙ୍କ ପେମେଣ୍ଟ ଦୋକାନୀଙ୍କ ପାଖକୁ ନ ଯାଇ ସିଧା ଆକାଉଣ୍ଟକୁ ଚାଲିଯିବ।

ଠକାମୀରୁ ବଞ୍ଚନ୍ତୁ

୧. QR କୋଡ୍ ଫିସିଙ୍ଗରୁ ରକ୍ଷା ପାଇବାକୁ ହେଲେ ପେମେଣ୍ଟ ବେଳେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଯେତେବେଳେ ବି ଆପଣ କାହାକୁ ପେମେଣ୍ଟ କରୁଛନ୍ତି  ସ୍କାନିଂ ପରେ ପେମେଣ୍ଟ ରିସିଭରର ନାଁ ଆସୁଛି କି ନାହିଁ ପ୍ରଥମେ ଚେକ୍‌ କରନ୍ତୁ। ପରେ ପେମେଣ୍ଟ କରନ୍ତୁ।

୨. ମେସେଜ୍ କିମ୍ବା ଇ-ମେଲ୍‌ରେ ଆସୁଥିବା ଲୋଭନୀୟ ମେସେଜ୍‌କୁ କ୍ଲିକ୍‌ କରନ୍ତୁ ନାହିଁ କି କୋଡ୍ ସ୍କାନ କରନ୍ତୁ ନାହିଁ।

୩. ମୋବାଇଲ୍‌ କ୍ୟାମେରା ସିଧାସଳଖ କୋଡ୍‌ ସ୍କାନ୍ କରିବା ଅପେକ୍ଷା କୋଡ୍ ସମ୍ପର୍କରେ ସବିଶେଷ ତଥ୍ୟ ଦେଉଥିବା ଆପ୍ ବ୍ୟବହାର କରନ୍ତୁ। ଫଳରେ ରିସିଭରଙ୍କ ସମ୍ପର୍କରେ ସୁନିଶ୍ଚିତ ହୋଇଯିବେ।

୪. ଯଦି ବ୍ୟାଙ୍କରେ ଆପଣଙ୍କ ଅଜାଣତରେ କୌଣସି ଟ୍ରାଜାକ୍ସନ ହୋଇଛି ତେବେ ତୁରନ୍ତ ଏହାର ତଦାରଖ କରନ୍ତୁ। ଏଥିପାଇଁ ନିଜ ବ୍ୟାଙ୍କର ସହଯୋଗ ନିଅନ୍ତୁ। ତା ସହିତ ଠକାମୀରେ ଶିକାର ହେଲେ ସାଇବର ସେଲ୍‌ରେ ଅଭିଯୋଗ କରନ୍ତୁ।

ପଢନ୍ତୁ : ୪ ବର୍ଷରେ ୪୦୦ ଥର ଇଣ୍ଟର୍‌ନେଟ୍‌ ଶଟ୍‌ଡାଉନ୍‌; ଘଣ୍ଟାକୁ ଦୁଇ କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛି ଭାରତ

You might also like