ଗରିବଙ୍କ ବନ୍ଧୁ ଅମର; ରୋଗୀଙ୍କ ସମ୍ପର୍କୀୟଙ୍କୁ ଖାଦ୍ୟ ଦିଅନ୍ତି, ଶବ ବି ଉଠାନ୍ତି

ବାଲେଶ୍ୱର(କୃଷ୍ଣ କୁମାର ମହାନ୍ତି): ସେବା ହିଁ ପରମ ଧର୍ମ। ଏହାକୁ ଜୀବନର ବ୍ରତ କରିନେଇଛନ୍ତି ବାଲେଶ୍ୱର ଜିଲ୍ଲା ଆଜିମାବାଦର ୭୨ ବର୍ଷୀୟ ଅମର ସିଂହ ୱାଲିଆ। ସେଥିପାଇଁ ପରିଣତ ବୟସରେ ସେ ବାହାରିଛନ୍ତି ଭୋକିଲା ମୁହଁରେ ମୁଠେ ଦାନା ଦେବାକୁ। ଆଉ ଡାକ୍ତରଖାନାରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଖାଦ୍ୟ ବାଣ୍ଚିବାକୁ। ଆଉ ଏଥିରେ ତାଙ୍କୁ ସହଯୋଗ କରୁଛନ୍ତି ତାଙ୍କ ପରିବାର। ଘର ଲୋକ ମିଶି ରୋଷେଇ କରନ୍ତି। ଖାଦ୍ୟ ତିଆରି ସରିବା ପରେ ମଧ୍ୟାହ୍ନ ଭୋଜନକୁ ଡାକ୍ତରଖାନାରେ ମାଗଣାରେ ବାଣ୍ଟି ଦିଅନ୍ତି।

‘ମାନବ ସେବା ହିଁ ମାଧବ ସେବା’ରେ ବିଶ୍ଵାସ ରଖୁଥିବା ଶ୍ରୀ ୱ।ଲିଆ ଓ ତାଙ୍କ ସାଥୀ ବିଗତ ଅଢ଼େଇ ବର୍ଷ ହେଲା ପ୍ରତି ରବିବାର ସ୍ଥାନୀୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ମାଗଣା ମଧ୍ୟାହ୍ନ ଦେଉଛନ୍ତି।  ଏଥିପାଇ ସେ ଗଢ଼ିଛନ୍ତି ‘ସେବା ହେ ସେବା’ ନାମକ ଏକ ସାମାଜିକ ସଙ୍ଗଠନ। ଏହାରି ମାଧ୍ୟମରେ ୱାଲିଆ ଓ ତାଙ୍କ ସଂଗଠନର ସଦସ୍ୟମାନେ ବାଲେଶ୍ୱର ଜିଲ୍ଲା ସଦର ଡାକ୍ତରଖାନାରେ ୧୨୪ ସପ୍ତାହ ହେଲା ଏହି ସେବା ଯୋଗାଇ ଆସୁଛନ୍ତି।

ରବିବାର ସରକାର ଖୋଲିଥିବା ଆହାର ଖାଦ୍ୟ ବଣ୍ଟନ କେନ୍ଦ୍ର ବନ୍ଦ ରହେ। ତେଣୁ ଖାଇବା ପାଇଁ ଗରିବ ରୋଗୀଙ୍କ ସମ୍ପର୍କୀୟମାନେ ହଇରାଣ ହେଉଥିବା ଲକ୍ଷ୍ୟ କରି ଆମେ ଏପରି ସେବା କାମ କରିଆସୁଛୁ ବୋଲି ୱାଲିଆ କହିଛନ୍ତି। ଖାଦ୍ୟ ହିସାବରେ ଏହି ସଂସ୍ଥା ପକ୍ଷରୁ ରୁଟି, ଆଳୁ ଭଜା ଓ ଆଚାର ବଣ୍ଟନ କରାଯାଏ। କେବେକେବେ ଖେଚୁଡି ଓ ବିଶେଷଦିନରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ମିଠା ମଧ୍ୟ ଦିଆଯାଏ।

ୱାଲିଆଙ୍କ ଏହି ସେବା ପାଇଁ କିଛି ସ୍ଥାନୀୟ ବଦାନ୍ୟ ବ୍ୟକ୍ତି ମଧ୍ୟ ତାଙ୍କୁ ସହଯୋଗ କରୁଛନ୍ତି।  ‘ସେବା ହେ ସେବା ସଙ୍ଗଠନ’ର ସଦସ୍ୟମାନେ ପ୍ରତି ରବିବାର ୪୫୦ ରୁ ୫୦୦ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଥାନ୍ତି। ଖରା, ବର୍ଷା ବା ଶୀତ ହେଉ ୧୨୪ ସପ୍ତାହ ହେଲା କୌଣସି ଗୋଟିଏ ବି ରବିବାର ସେମାନଙ୍କର ଏହି ମହତ୍ କାର୍ଯ୍ୟ ବନ୍ଦ ହୋଇନାହିଁ। ସମାଜରେ ରହୁଥିବା ଲୋକ ଓ ଭଗବାନଙ୍କ ଉପରେ ତାଙ୍କ ଅଖଣ୍ଡ ବିଶ୍ୱାସ ରହିଛି। ସେହି ବିଶ୍ୱାସ ବଳରେ ହିଁ ଏହା ସମ୍ଭବ ହୋଇପାରୁଛି ବୋଲି ୱାଲିଆ କହିଛନ୍ତି।

କେବଳ ଏତିକି ନୁହେଁ, ୱାଲିଆଙ୍କ ସଂସ୍ଥା ପକ୍ଷରୁ ବାଲେଶ୍ୱର ଜିଲ୍ଲା ସଦର ଡାକ୍ତରଖାନା ପରିସରରେ ଏକ ତୁଳସୀ ବଗିଚା ମଧ୍ୟ କରାଯାଇଛି। ଏସବୁ ଉଦ୍ୟମ ଲାଗି ୱାଲିଆଙ୍କୁ ବିଭିନ୍ନ ବର୍ଗର ଲୋକ ପ୍ରଶଂସା କରିବା ସହ ସହଯୋଗର ହାତ ମଧ୍ୟ ବଢ଼ାଉଛନ୍ତି।

ଜଣେ ଆଇନଜ୍ଞ ଭାବେ ପରିଚିତ ୱାଲିଆ ପୂର୍ବରୁ ପ୍ରତି ରବିବାର ବାଲେଶ୍ୱରର ବିଭିନ୍ନ ଶାରୀରିକ ଅନଗ୍ରସର ଲୋକଙ୍କ ଚିକିତ୍ସା କେନ୍ଦ୍ରରେ ରୋଗୀଙ୍କୁ ମାଗଣା କ୍ଷୀର ଓ ବିସ୍କୁଟ ବଣ୍ଟନ କରୁଥିଲେ। ପରେ ସେ ‘ସେବା ହେ ସେବା’ ନାମକ ସଙ୍ଗଠନ ଗଢ଼ି ସଦର ଡାକ୍ତରଖାନାରେ ରୋଗୀଙ୍କ ସଂପର୍କୀୟଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି।

କେବଳ ସେତିକି ନୁହେଁ, ଏହାପରେ ସେ ମଧ୍ୟାହ୍ନ ଭୋଜନ ସହିତ ଆର୍ଥିକ ଅନଗ୍ରସର ରୋଗୀଙ୍କ ସଂପର୍କୀୟଙ୍କୁ ସକାଳୁଆ ଜଳଖିଆ ଦେବାର ଉଦ୍ୟମ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ଡାକ୍ତରଖାନା ପରିସରରେ ଏକ ଛୋଟିଆ ଜାଗା ଦେବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି। ଆଉ ଜାଗା ମିଳିଗଲେ ରୋଗୀଙ୍କ ସଂପର୍କୀୟଙ୍କୁ ସକାଳୁଆ ଜଳଖିଆ ଭାବରେ ମୁଢ଼ି, ମିକ୍ସଚର୍, ଉପମା ଓ ଚାହା ଯୋଗାଇ ଦେବାକୁ ସେ ଯୋଜନା ରଖିଛନ୍ତି।

କେବଳ ଏତିକି ନୁହେଁ, ‘ସେବା ହେ ସେବା’ ସଂଗଠନ ପକ୍ଷରୁ ମୃତକଙ୍କ ଶବ ନେବା ଲାଗି ମାଗଣାରେ ଗାଡ଼ି ଯୋଗାଇ ଦେବାର ବନ୍ଦୋବସ୍ତ ମଧ୍ୟ କରାଯାଇଛି। ବାଲେଶ୍ୱର ସଦର ମହକୁମାରୁ ୧୫ କିଲୋମିଟର ପରିସୀମା ଭିତରେ ଥିବା ଲୋକଙ୍କୁ ଏହି ସୁବିଧା ଦିଆଯାଉଛି।

ଅମର ସିଂହ ୱାଲିଆଙ୍କୁ ଏହି ସମାଜସେବା ଲାଗି ତାଙ୍କ ପତ୍ନୀ କରମଜିତ୍ ୱାଲିଆ ସବୁବେଳେ ପ୍ରେରଣା ଦେଇ ଆସୁଥିବା କଥା ମୁକ୍ତ କଣ୍ଠରେ ସ୍ଵୀକାର କରନ୍ତି ଅମର ସିଂହ। ଦରିଦ୍ର ଓ ଅସହାୟ ମାନବର ସେବା କରିବା ଦିଗରେ ଅମରଙ୍କର ଏ ନିଷ୍ଠାପର ପ୍ରୟାସ ଆଗାମୀ ଦିନରେ ଯୁବପିଢ଼ିଙ୍କୁ ନିଶ୍ଚୟ ପ୍ରେରଣା ଦେବ।

ଆହୁରି ପଢ଼ନ୍ତୁ

ନୋବୋଲ୍ ଶାନ୍ତି ପୁରସ୍କାର ସହ ରହିଛି ଓଡ଼ିଶାର ସମ୍ପର୍କ

୯ମାସର ଗର୍ଭବତୀ ୫ମିନିଟ୍‌ରେ ଦୌଡିଲେ ୧.୬କିମି, ଭିଡିଓ ଭାଇରାଲ୍‌

‘ବାପାଙ୍କ ସ୍ୱପ୍ନ ପ୍ରେରଣା ଯୋଗାଇଛି’

କରୋନା ପାଇଁ କ୍ରିକେଟର ସାଜିଲେ କୁଲି

ମୁହଁରେ ପ୍ଲାଷ୍ଟିକ୍‌‌ ମାସ୍କ ଲଗାଇ ରାସ୍ତାରେ ବୁଲିଲେ ଲୋକ, ଭିଡିଓ ଭାଇରାଲ୍‌

NEET Result: ସୋଏବଙ୍କ ପରି ଇଏ ବି ରଖିଛନ୍ତି ଶତପ୍ରତିଶତ ମାର୍କ

ରୋଗୀ ସେବାରେ ବ୍ରତୀ ରାଜ୍ୟପାଳ

ପୁରୁଣା ଇଂଜିନ୍‌ ବ୍ୟବହାର କରି ୪ ଚକିଆ ଗାଡି ତିଆରି କଲେ ଇଂଜିନିୟରିଂ ଛାତ୍ର

ଆଦିବାସୀ ପିଲାଙ୍କୁ ପଢାଇବାର ନିଆରା ପ୍ରୟାସ: ନିଜ ଖର୍ଚ୍ଚରେ ସ୍କୁଲ୍‌ କାନ୍ଥରେ ଚିତ୍ର କଲେ ଶିକ୍ଷକ

ସ୍କୁଟି ଉପରେ ଖାଇବା ଦୋକାନ: ଟଙ୍କା ନଥିଲେ ମାଗଣା ଖାଇପାରିବେ ଗ୍ରାହକ

ଅଳିଆ ଗଦାରେ ଭେଟ: ଭୋକିଲା ଦେଖି ୩୦୦କୁକୁରକୁ ଘରକୁ ନେଇଆସିଛନ୍ତି ମହିଳା

୫ବର୍ଷ ବୟସରେ ବିବାହ କରିଥିଲେ ବାବା: କହିଲେ, ସ୍ତ୍ରୀର ପ୍ରେମ ଦିଏ ଲଢିବାକୁ ସାହାସ

You might also like