୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

ଇତିହାସ ଅନୁସାରେ ୧୫୨୮ରେ ଅଯୋଧ୍ୟାରେ ନିର୍ମାଣ କରାଯାଇଥିଲା ବାବରି ମସଜିଦ। ଏହାକୁ ନିର୍ମାଣ କରାଇଥିଲେ ମୋଗଲ ସମ୍ରାଟ ବାବରଙ୍କ ସେନାପତି ମିର୍ ବାକି । ଆଜିର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଦ୍ୱାଦଶ ଶତାଦ୍ଦୀରେ ସେଠାରେ ମନ୍ଦିର ଥିଲା । ମସଜିଦ ନିର୍ମାଣ କରାଯାଇଥିବାରୁ ୧୮୫୩ ରେ ପ୍ରଥମ ଥର ପାଇଁ ଦେଖାଦେଇଥିଲା ସାଂପ୍ରଦାୟିକ ହିଂସା।

୧୮୮୫ ମସିହାରେ ମହନ୍ତ ରଘୁବୀର ଦାସ ସେଠାରେ ଏକ ଚାନ୍ଦୁଆ ଟାଣିବାକୁ ପାଇଁ ଫୈଜାବାଦ ଜିଲ୍ଲା କୋର୍ଟକୁ ଅନୁମତି ମାଗିଥିଲେ । କୋର୍ଟ କିନ୍ତୁ ତାଙ୍କର ଏହି ଆବେଦନକୁ ଖାରଜ କରିଦେଇଥିଲେ ।

ଅସଲି ବିବାଦ ଆରମ୍ଭ ହୋଇଥିଲା ୧୯୪୯ ମସିହାରେ । ଡିସେମ୍ବର ୨୨ ତାରିଖ ରାତିରେ କେହି ଜଣେ ବାବରି ମସଜିଦ ଭିତରେ ରାମଲଲ୍ଲାଙ୍କ ମୂର୍ତ୍ତି ରଖିଦେଇଥିଲା । ଏହା ପରେ ୧୯୫୦ରେ ରାମଲଲ୍ଲାଙ୍କୁ ପୂଜା କରିବାକୁ କୋର୍ଟରେ ଆବେଦନ କରାଯାଇଥିଲା। ଏହି ଆବେଦନ କରିଥିଲେ ଗୋପାଳ ସିମଲା ବିଶାରଦ ନାମଙ୍କ ଜଣେ ବ୍ୟକ୍ତି ।

ବାବରି ମସଜିଦ ଭିତରେ ମୂର୍ତ୍ତି ରଖି ପୂଜା କରିବାକୁ ଆର୍ ଆର୍ ଦାସ ନାମକ ଆଉ ଜଣେ ବ୍ୟକ୍ତି ମଧ୍ୟ ଆବେଦନ କରିଥିଲେ।୧୯୫୯ରେ ବିବାଦୀୟ ସ୍ଥାନ ଉପରେ ଅଧିକାର ସାବ୍ୟସ୍ତ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ନିର୍ମୋହୀ ଆଖଡ଼ା । ଏହା ପରେ ୧୯୬୧ରେ ଉତ୍ତରପ୍ରଦେଶର ସୁନି ଓ୍ୱାକଫ ବୋର୍ଡ ସେହି ବିବାଦୀୟ ସ୍ଥାନର ମାଲିକାନା ଜାହିର କରି କୋର୍ଟକୁ ଯାଇଥିଲା। ସେହି ଦିନଠାରୁ ବିବାଦୀୟ ସ୍ଥାନରେ ବନ୍ଦ ଥିଲା ପୂଜାର୍ଚ୍ଚନା ।

ବିବାଦୀୟ ସ୍ଥାନରେ ପୂଜାର୍ଚ୍ଚନା କରିବାକୁ ଅନୁମତି ଦେବା ସହିତ ସେହି ସ୍ଥାନ ଖୋଲିବାକୁ ୧୯୮୬ ଫେବ୍ରୁଆରି ୧ରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସ୍ଥାନୀୟ କୋର୍ଟ । ତେବେ ୧୯୮୯ରେ ଆଲାହାବାଦ ହାଇକୋର୍ଟ ସ୍ଥିତାବସ୍ଥା ବଜାୟ ରଖିବାକୁ କହିଥିଲେ ।

ରାମଜନ୍ମଭୂମି ବାବରି ମସଜିଦ ବିବାଦ ନୂଆ ରୂପ ନେଇଥିଲା ଅଶି ଦଶକର ଶେଷ ଭାଗରେ ଓ ନବେ ଦଶକର ଆରମ୍ଭରେ ବିଜେପି ଏହାକୁ ପ୍ରସଙ୍ଗ କରିଥିଲା।  ରାମମନ୍ଦିର ନିର୍ମାଣ ପାଇଁ ଜନମତ ସୃଷ୍ଟି କରିବାକୁ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି ସାରା ଦେଶରେ କରିଥିଲେ ରଥଯାତ୍ରା । ଏହା ଦ୍ୱାରା ସାରା ଦେଶରେ ବଢ଼ିଥିଲା ବିଜେପିର ଲୋକପ୍ରିୟତା, ଯାହାକି କେନ୍ଦ୍ରରେ ସରକାର ଗଠନ ପାଇଁ ମଧ୍ୟ ଦଳକୁ ସାହାଯ୍ୟ କରିଥିଲା ୧୯୯୬ରେ।

୧୯୯୨ ମସିହା ଡିସେମ୍ବର ୬ ବଦଳାଇ ଦେଇଥିଲା ଦେଶର ଇତିହାସ।  ଏହି ଦିନ କିଛି ସଂଗଠନ ଓ କରସେବକ ଏକାଠି ହୋଇ ବାବରି ମସଜିଦକୁ ଭାଙ୍ଗି ଦେଇଥିଲେ । ଏହାକୁ ନେଇ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନି, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ, ବିନୟ କଟିଆର, ଉମା ଭାରତୀଙ୍କ ପରି ନେତାଙ୍କ ନାଁରେ ମାମଲା ମଧ୍ୟ ଚାଲିଛି। ବାବରି ମସଜିଦ ଭଙ୍ଗା ପରେ ସାରା ଦେଶରେ ଦେଖାଦେଇଥିଲା ସାଂପ୍ରଦାୟିକ ହିଂସା। ବିବାଦୀୟ ସ୍ଥାନର ଜମି ଅଧିଗ୍ରହଣ ପାଇଁ ସରକାର ୧୯୯୩ ଏପ୍ରିଲ ୩ରେ ପ୍ରଣୟନ କରିଥିଲେ ଅଯୋଧ୍ୟା ଆଇନ। ଏହାକୁ ଚ୍ୟାଲେଞ୍ଜ କରି ଆଲାହାବାଦ ହାଇକୋର୍ଟରେ ଅନେକ ରିଟ୍ ପିଟିସନ ଦାଖଲ ହୋଇଥିଲା ।

୨୦୦୨ ରେ ବିବାଦୀୟ ଜମିର ମାଲିକାନା ନେଇ ଆଲାହାବାଦ ହାଇକୋର୍ଟରେ ଆରମ୍ଭ ହୋଇଥିଲା ଶୁଣାଣି। ପ୍ରାୟ ୮ ବର୍ଷ ପରେ ଆଲାହାବାଦ ହାଇକୋର୍ଟରେ ଆସିଥିଲା ରାୟ । ସୁନି ଓ୍ୱାକଫ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମଲଲ୍ଲାଙ୍କ ମଧ୍ୟରେ ବିବାଦୀୟ ଜମିକୁ ତିନିଭାଗ କରି ବାଣ୍ଟିବାକୁ ରାୟ ଦେଇଥିଲେ ଆଲାହାବାଦ ହାଇକୋର୍ଟ।  କିନ୍ତୁ ଏଥିରେ ଅସନ୍ତୁଷ୍ଟ ହୋଇ ସୁପ୍ରିମକୋର୍ଟକୁ ଯାଇଥିଲେ ସମସ୍ତ ପକ୍ଷ।  କୋର୍ଟରେ ବାହାରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା କରିଥିଲେ ସୁପ୍ରିମକୋର୍ଟ।

ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର, ଶ୍ରୀରାମ ପଞ୍ଚୁ ଏବଂ ଜଷ୍ଟିସ ଏଫଏମ୍ କଲିଫୁଲ୍ଲାଙ୍କୁ ନେଇ ୨୦୧୯ ମାର୍ଚ୍ଚରେ ଗଠନ କରାଯାଇଥିଲା ଏକ ପ୍ୟାନେଲ।  ଅଗଷ୍ଟ ପହିଲାରେ ଏହି ପ୍ୟାନେଲ ସୁପ୍ରିମକୋର୍ଟଙ୍କୁ ନିଜ ରିପୋର୍ଟ ପ୍ରଦାନ କରିଥିଲା । ମଧ୍ୟସ୍ଥଙ୍କ ଆପୋଷ ଆଲୋଚନା ଜରିଆରେ ବିବାଦର ସମାଧାନ ନ ହେବାରୁ ଅଗଷ୍ଟ ୬ରୁ ଦୈନିକ ଶୁଣାଣି ଆରମ୍ଭ କରିଥିଲେ ସୁପ୍ରିମକୋର୍ଟ। ୪୦ ଦିନର ଶୁଣାଣି ଅକ୍ଟୋବର ୧୬ରେ ଶେଷ ହୋଇଥିଲା ଏବଂ ଶେଷରେ ଆଜି ଆଜିଛି ୫ ଶହ ବର୍ଷ ପୁରୁଣା ରାମଜନ୍ମ -ବାବ୍ରି ମସଜିଦ ବିବାଦର ସୁପ୍ରିମ ରାୟ।

ଆହୁରି ପଢ଼ନ୍ତୁ

You might also like