ବାବୁସାନ୍‌ଙ୍କୁ ଦେଖି ରୋଗଶଯ୍ୟାରେ ହସିଲା ଚିଣ୍ଟୁ

ମହାନତା ଦେଖାଇଲେ ଅଭିନେତା ବାବୁସାନ୍ । ନିଜର ଜଣେ ଫ୍ୟାନ୍ସଙ୍କ ଇଚ୍ଛା ପୂରଣ କରିବା ପାଇଁ ପହଞ୍ଚିଥିଲେ ଏସ୍‌ସିବିର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ। ଆଉ ନିଜର ପ୍ରିୟ ଅଭିନେତାଙ୍କୁ ରୋଗ ଶଯ୍ୟା ନିକଟରେ ଦେଖି ଖୁସିରେ ଗଦ୍‌ଗଦ୍‌ ହୋଇଯାଇଥିଲା ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ୧୪ ବର୍ଷୀୟ ଚିଣ୍ଟୁ ।

କଟକ ( ପ୍ରଭାତ ବିଷୋୟୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ୧୪ ବର୍ଷର ଚିଣ୍ଟୁ ଡାକ୍ତରଖାନା ଶଯ୍ୟାରେ ଶୋଇଥିଲା। ମୁହଁରେ ବାରି ହୋଇପଡ଼ୁଥିଲା ଯନ୍ତ୍ରଣାର ଚିହ୍ନ। ମଝିରେ ମଝିରେ କଷ୍ଟ ସହି ନ ପାରି କାନ୍ଦି ପକାଉଥିଲା। ହେଲେ ସେଦିନ ଚିଣ୍ଟରୁ ଓଠଧାରରେ ଖେଳି ଯାଇଥିଲା ହସ ଦୁଇଧାର। ଚିଣ୍ଟୁର ମୁହଁରେ ସେ ନୀରିହ ହସ ଦେଖି ପେଟ ପୂରି ଯାଇଥିଲା ବାପା ମା’ଙ୍କର। ସାମ୍ନାରେ ଛିଡ଼ା ହୋଇଥିଲେ ତା’ର ଅତିପ୍ରିୟ ଅଭିନେତା ବାବୁସାନ୍‌।

୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲା ୧୪ ବର୍ଷୀୟ ଚିଣ୍ଟୁ। ଦୁଇ ଗୋଡ଼ ଦୁଇ ହାତରେ କରେଣ୍ଟ ଲାଗି ଜଳି ଯାଇଥିଲା ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା। ହେଲେ ସେଠାରୁ ନିରାଶ ହେବା ପରେ ଗତ ୨୮ ତାରିଖରେ ଆସିଥିଲା ଏସସିବି ପ୍ଲାଷ୍ଟିକ ସର୍ଜରୀ ଓ ବର୍ଣ୍ଣ ବିଭାଗକୁ। ଡାକ୍ତରମାନଙ୍କ ଚେଷ୍ଟା ପରେ ଚିଣ୍ଟୁ ଏବେ ବିପଦମୁକ୍ତ ଅଛି।   ଏତେବଡ ଦୁର୍ଘଟଣାରୁ ଚିଣ୍ଟୁ ବଞ୍ଚିଗଲା ସିନା ତା’ର ଦୁଇ ହାତ ଓ ଗୋଟିଏ ଗୋଡ କଟାଯାଇଛି। ଏବେ ବି କଟକ ବଡ଼ ମେଡିକାଲର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛି ଚିଣ୍ଟୁ। ପ୍ରାୟ ମାସେ ହେବ ଚିଣ୍ଟୁରଚିକିତ୍ସା ଚାଲିଛି ।

ଚିଣ୍ଟୁର ପ୍ରିୟ ଅଭିନେତା ବାବୁସାନ୍‌। ତାଙ୍କୁ ଦେଖିବାକୁ ଭାରି ଇଚ୍ଛା ଥିଲା ଚିଣ୍ଟୁର। ଚିଣ୍ଟୁର ଅନୁରୋଧ ରକ୍ଷା କରି ବାବୁସାନ ବି ଆସିଥିଲେ ଡାକ୍ତରଖାନା। ଖାସ୍‌ ତାଙ୍କର କୁନି ଫ୍ୟାନ୍ସଙ୍କୁ ଭେଟିବା ପାଇଁ। ବାବୁସାନଙ୍କୁ ଦେଖି ଏତେ କଷ୍ଟ ମଧ୍ୟରେ ବି ଚିଣ୍ଟୁ ସେଦିନ ହସୁଥିଲା।  ରୋଗ ଶଯ୍ୟା ପାଖରେ ନିଜର ପ୍ରିୟ ଅଭିନେତା ବାବୁସାନଙ୍କୁ ଦେଖି ପ୍ରଥମେ ତ ନିଜକୁ ବିଶ୍ୱାସ କରିପାରିନଥିଲା ଚିଣ୍ଟୁ । ତାର ଖୁସିକୁ ପ୍ରକାଶ କରି ପାରିନ ଥିଲା। ତେବେ ସେ କେତେ ଖୁସି, ତାହା ତା ମୁହଁରୁ ସ୍ପଷ୍ଟ ଭାବେ ବାରି ହୋଇପଡିଥିଲା।  ବାବୁସାନଙ୍କ ସହ ଫଟୋ ଉଠାଇଥିଲା । ବାବୁସାନ୍ ଚିଣ୍ଟୁର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ସହ ଆଲୋଚନା କରିଥିଲେ। ତାର ଚିକିତ୍ସା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ଅନ୍ୟପକ୍ଷେ ପୁଅର ଚିକିତ୍ସା ପାଇଁ ସବୁ ସଞ୍ଚିତ ଅର୍ଥକୁ ଖର୍ଚ୍ଚ କରିସାରିଲେଣି ବାପା ପ୍ରଦୀପ ବିଶ୍ୱାଳ। ପ୍ରଦୀପ ଜଣା ପାଣି ପାଇପ୍ ମିସ୍ତ୍ରୀ। ବହୁ କଷ୍ଟରେ ପରିବାର ଚଳାନ୍ତି। ସେଇ କଷ୍ଟ ଭିତରେ ଯାହା କିଛି ସଞ୍ଚିଥିଲେ ତାହା ଚିଣ୍ଟରୁ ଚିକିତ୍ସାରେ ସରିଲାଣି। ଆଗକୁ କେମିତି ଚିକିତ୍ସା କରିବେ ସେ ନେଇ ପ୍ରଦୀପ ଚିନ୍ତାରେ ପଡିଛନ୍ତି।  ଚିଣ୍ଟୁକୁ ସରକାରୀ କିମ୍ବା ବେସରକାରୀ ସ୍ତରରୁ ସହାୟତା ପାଇଁ ଆବେଦନ କରିଛନ୍ତି।

You might also like