ରାମ ମନ୍ଦିର ନିର୍ମାଣ ଲାଗି ବଢୁଛି ଚାପ ; ଅଯୋଧ୍ୟାରେ ଉଦ୍ଧବ ଠାକ୍‌ରେଙ୍କ ପୂଜାର୍ଚ୍ଚନା

ଉତ୍ତର ପ୍ରଦେଶ :  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ ପ୍ରୟାସ।  ଏଥିପାଇଁ କାଲିଠାରୁ ଅଯୋଧ୍ୟାରେ ଅାରମ୍ଭ ହେଉଛି ବିଶ୍ୱହିନ୍ଦୁ ପରିଷଦର ଧର୍ମ ସଂସଦ। ଏଥିରେ ସାରା ଦେଶରୁ ସନ୍ଥ ଓ ସାଧୁ ଯୋଗଦେବେ। ଏଥିସହ ପ୍ରାୟ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ଏକାଠି ହେବାର ସମ୍ଭାବନା ରହିଛି। ଅଯୋଧ୍ୟାରେ ରାମ ମନ୍ଦିର କିପରି ନିର୍ମାଣ ହୋଇପାରିବ ସେ ନେଇ ମୁଖ୍ୟତଃ ଏଥିରେ ଅାଲୋଚନା ହେବ।

୧୯୯୨ ବାବ୍ରି ମସଜିଦ ଭଙ୍ଗା ଘଟଣା ପରେ ପ୍ରଥମ ଥର ପାଇଁ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ଅଯୋଧ୍ୟାରେ ଏକାଠି ହେବେ ବୋଲି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।

ସେପଟେ ଅଯୋଧ୍ୟାରେ ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଅଭିଯାନ ଅାରମ୍ଭ କରିଛନ୍ତି। ଅାଜିଠାରୁ ଶିବସେନାର ଦୁଇଦିନିଅା କାର୍ଯ୍ୟକ୍ରମ ଅାରମ୍ଭ ହେଉଛି। ଏଥିପାଇଁ ହଜାର ହଜାର ଶିବସେନା କର୍ମୀ ଟ୍ରେନ୍‌ରେ ଅଯୋଧ୍ୟାରେ ପହଞ୍ଚିଛନ୍ତି। ଶିବସେନା ପକ୍ଷରୁ ଏଥର ସ୍ଲୋଗାନ ରଖାଯାଇଛି ‘ପେହେଲେ ମନ୍ଦିର, ଫିର ସରକାର’। ଉଦ୍ଧବ ଠାକ୍‌ରେ ସରଜୁ ନଦୀ ଘାଟରେ ମହା ଅାଳତିରେ ଭାଗ ନେବା ସହ ସନ୍ଥ ସମାଜକୁ ଉଦବୋଧନ ଦେବେ।

ରାମ ମନ୍ଦିର ନିର୍ମାଣର ଶୁଭ ପକାଇବା ପାଇଁ ପୁଣେ ଶିବନେରି ଦୁର୍ଗରୁ ସେ ମାଟି ନେଇ ଅାସିଛନ୍ତି। ଅାଉ ଯେଉଁ ଶିବସେନା କର୍ମୀ ମାନେ ଅଯୋଧ୍ୟାରେ ପହଞ୍ଚି ନପାରିବେ ସେମାନେ ସ୍ଥାନୀୟ ଅଂଚଳରେ ଅାଳତି କରିବାକୁ ନିର୍ଦ୍ଦେଶ ଦିଅାଯାଇଛି।

ଅଯୋଧ୍ୟାରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଥିବାରୁ ଅାଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପାଇଁ ସେନା ମୁତୟନ ଲାଗି ସୁପ୍ରିମକୋର୍ଟରେ ଦାବି କରିଛନ୍ତି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ।  ପରିସ୍ଥିତିକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବହୁ ବରିଷ୍ଠ ଅଧିକାରୀଙ୍କ ସହ ୧୬୦ ଜଣ ଇନସ୍ପେକ୍ଟର, ୪୨ କଂପାନି PAC, ୫ କଂପାନି RAF, ATS କମାଣ୍ଡୋ ମୁତୟନ ହୋଇଛନ୍ତି। ଏହାଛଡ଼ା ବିବାଦୀୟ ରାମ ଜନ୍ମଭୂମି ଚାରିପଟେ ସିଅାରପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି।

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଜେପିର ଅନେକ ନେତାଙ୍କ ସହ ସହଯୋଗୀଦଳ ପକ୍ଷରୁ ମଧ୍ୟ ଦାବି ଜୋର ଧରିଛି। ଏପରିକି ଏନେଇ ଏକ ଅଧ୍ୟାଦେଶ କିମ୍ବା ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିବାକୁ ସେମାନେ ଅଡି ବସିଛନ୍ତି। ସେପଟେ ଅଯୋଧ୍ୟାରେ ବିବାଦୀୟ ଜମିରେ ରାମମନ୍ଦିର ନିର୍ମାଣ ସମ୍ପର୍କିତ ମାମଲାର ଅାଗୁଅା ଶୁଣାଣି ଅାବେଦନକୁ ଖାରଜ କରିବା ସହ ଜାନୁଅାରୀ ପ୍ରଥମ ସପ୍ତାହରେ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି।

You might also like