‘ବନ୍ଦେ ଉତ୍କଳ ଜନନୀ…’ ସଙ୍ଗୀତ ନୁହେଁ, ଅସ୍ତିତ୍ୱର ଇସ୍ତାହାର

‘ବନ୍ଦେ ଉତ୍କଳ ଜନନୀ ….’ ଖାଲି ଏକ ସଂଗୀତର ଝଙ୍କାର ନୁହେଁ, ଏକ ଜାତିର ସ୍ୱାଭିମାନର ମହ୍ଲାର। କୋଟି କୋଟି ଓଡ଼ିଆଙ୍କ ଅସ୍ତିତ୍ୱର ଇସ୍ତାହାର । ମାଟିରୁ ଆକାଶ ଆଉ ପାଣିରୁ ପବନ.. ସମସ୍ତଙ୍କୁ ଏକତାର ଡ଼ୋରରେ ବାନ୍ଧି ରଖିବାର ଏକ ପବିତ୍ର ମନ୍ତ୍ରଧ୍ୱନି । ଏହାର ପ୍ରତିଟି ଶବ୍ଦରେ ଗୁନ୍ଥି ହୋଇ ରହିଛି ୪ କୋଟି ଓଡ଼ିଆଙ୍କ ଭାବପ୍ରବଣତା.. ।

ପ୍ରତିଟି ଶବ୍ଦରେ ରହିଛି ଦେଶଭକ୍ତିର ଅଫୁରନ୍ତ ଉଚ୍ଛ୍ୱାସ

ମେ’ ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନ ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ଓ ଓଡ଼ିଶା ବାହାରେ ଥିବା ପ୍ରତ୍ୟେକ ଓଡ଼ିଆଙ୍କୁ ଏକ ସମୟରେ ‘ବନ୍ଦେ ଉତ୍କଳ ଜନନୀ..’ ଗାଇବା ପାଇଁ ଅନୁରୋଧ କରିଥିଲେ।  ସେହିଦିନ ହିଁ ଏ ଜାତି ଅନୁଭବ କରିଥିଲା ଏହି ଗୀତରେ ଥିବା ଦେଶଭକ୍ତିର ଅଫୁରନ୍ତ ଉଚ୍ଛ୍ୱାସକୁ । ଏହାର ଉଚ୍ଚାରଣ ସତେ ଯେମିତି ମନଭିତରେ ଆଙ୍କି ଦେଉଥିଲା ଉତ୍କଳମାତାର ପୂର୍ଣ୍ଣ ଅବୟବ ! ଏହାର ପ୍ରତିଟି ଶବ୍ଦ ଯେମିତି କହୁଥିଲା ଉତ୍କଳମାତାର ଗର୍ବଗୌରବ, ସୌନ୍ଦର୍ଯ୍ୟ ଆଉ  ଐଶ୍ୱର୍ଯ୍ୟ ଏବଂ ଐତିହ୍ୟ ଆଉ ପରମ୍ପରାର କାହାଣୀ..

ବନ୍ଦେ ଉତ୍କଳ ଜନନୀ ଗାଇବା ବେଳେ ଯେମିତି ଥରି ଉଠିଥିଲା ସମସ୍ତଙ୍କ ହୃଦତନ୍ତ୍ରୀ । ମନର ଅତଳ ଗହ୍ୱରରେ ପ୍ରଜ୍ଜ୍ୱଳିତ ହୋଇ ଉଠିଥିଲା ଦେଶପ୍ରେମର ଅମଳିନ ଦୀପଶିଖାଟିଏ ।

୧୦୮ ବର୍ଷ ସଂଗ୍ରାମର ଫଳ

ଦୀର୍ଘ ୧୦୮ ବର୍ଷର ସଂଗ୍ରାମ ପରେ ସେହି ସଙ୍ଗୀତ ‘ ବନ୍ଦେ ଉତ୍କଳ ଜନନୀ..’କୁ ମିଳିଛି ଜାତୀୟ ସଙ୍ଗୀତର ମାନ୍ୟତା । ଏହି ସଫଳତା ପଛରେ ରହିଛି ଅନେକ ସଂଘର୍ଷ, ସଂଘାତର କାହାଣୀ ।

ଓଡ଼ିଆ ଜାତିର ଗର୍ବ ଓ ଗୌରବ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ  ଲିଖିତ ଏହି ସୁମଧୁର ସଙ୍ଗୀତ ପ୍ରଥମେ ୧୯୧୨ ମସିହାରେ ଉତ୍କଳ ସମ୍ମିଳନୀର ଅଧିବେଶନରେ ଗାନ କରାଯାଇଥିଲା।
ସେତେବେଳେ ଖଣ୍ଡବିଖଣ୍ଡିତ ଥିଲା ଉତ୍କଳ ମାତାର କଳେବର । ସେଇ ବୀଦିର୍ଣ୍ଣ ଉତ୍କଳକୁ ଏକତ୍ରିତ କରିବା ପାଇଁ ଆରମ୍ଭ ହୋଇଥିଲା ଅଭିଯାନ । ଗଠିତ ହେଲା ଉତ୍କଳ ସମ୍ମିଳନୀ । ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବଶେନ ୧୯୧୨ ମସିହାରେ ବାଲେଶ୍ୱରଠାରେ ବସିଥିଲା । ସେତେବେଳେ କାନ୍ତକବିଙ୍କ ଦ୍ୱାରା ଲିଖିତ ଏହି ବନ୍ଦେ ଉତ୍କଳ ଜନନୀ ଗୀତକୁ ପ୍ରାରମ୍ଭିକ ସଙ୍ଗୀତ ଭାବେ ଗାନ କରାଯାଇଥିଲା । ଏହି ଗୀତକୁ ସେତେବେଳେ ଗାଇଥିଲେ ବାଞ୍ଛାନିଧି ଦାଶ ।

କାନ୍ଦି ପକାଇଥିଲେ ଗୋପବନ୍ଧୁ ଦାସ

ଗୀତର ଭାବ, ଭାଷା, ଲାଳିତ୍ୟ ସେଦିନ ସମସ୍ତଙ୍କ ଆଖିକୁ ଓଦା କରି ଦେଇଥିଲା । ମନରେ ଶତ ସିଂହର ବଳ ଭରି ଦେଇଥିଲା । ସେହି ଅଧିବେଶନରେ ଅଧ୍ୟକ୍ଷତା କରିଥିଲେ ଉତ୍କଳମଣି ଗୋପବନ୍ଧୁ ଦାସ । ଏହି ଗୀତ ଶୁଣିବା ପରେ ଦାସଙ୍କ ଆଖିରୁ ଗଡ଼ି ଆସିଥିଲା ଦୁଇଧାର ଲୁହ । ଭାବ ବିହ୍ୱଳ ହୋଇ କାନ୍ତକବିଙ୍କୁ କୁଣ୍ଢାଇ ପକାଇଥିଲେ ।

୧୯୩୬ ଏପ୍ରିଲ ୧ ତାରିଖରେ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଥିଲା ଉତ୍କଳ । ସେଦିନ ମଧ୍ୟ ଏହି ସଙ୍ଗୀତ ଗାନ କରାଯାଇଥିଲା ।
ଦେଶ ସ୍ୱାଧୀନ ହେବା ପରେ ଭାଷା ଭିତ୍ତିରେ ଅନେକ ରାଜ୍ୟ ଗଠିତ ହେଲା । ବର୍ତ୍ତମାନ ସୁଦ୍ଧା ୯ଟି ରାଜ୍ୟରେ ରାଜ୍ୟ ଭିତ୍ତିକ ଜାତୀୟ ସଙ୍ଗୀତ ରହିଛି । ଓଡ଼ିଶା ଏସବୁ ରାଜ୍ୟର ପୂର୍ବରୁ ସ୍ୱତନ୍ତ୍ର ହୋଇଥିଲେ ମଧ୍ୟ ଏହାର ନିଜସ୍ୱ ଜାତୀୟ ସଙ୍ଗୀତ ନ ଥିଲା ।

୧୯୯୪ରେ ବିଧାନସଭାରେ ଗାନ କରାଗଲା

୧୯୯୪ରେ ହିଁ ବନ୍ଦେ ଉତ୍କଳ ଜନନୀକୁ ଜାତୀୟ ସଙ୍ଗୀତର ମାନ୍ୟତା ଦେବା ପାଇଁ ଦାବି ଜୋର ଧରିଥିଲା । ସେହିବର୍ଷ ତତ୍କାଳୀନ ବାଚସ୍ପତି ଯୁଧୀଷ୍ଠିର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ସର୍ବ ଦଳୀୟ ବୈଠକ । ନଭେମ୍ବର ୭ ତାରିଖରେ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ବିଧାନସଭାର ପ୍ରତି ଅଧିବେଶନର ଶେଷ ଦିବସରେ ବନ୍ଦେ ଉତ୍କଳ ଜନନୀକୁ ଉଦ୍‌‌ଯାପନୀ ସଙ୍ଗୀତ ଭାବେ ଗାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଆଉ ଆଜି ଯାଏ ମଧ୍ୟ ତାହା ହୋଇ ଆସୁଛି ।

୨୦୦୦ରେ ବାଚସ୍ପତି ଶରତ କର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟର ଜାତୀୟ ସଙ୍ଗୀତ ରୂପେ ମାନ୍ୟତା ଦେବାକୁ ପ୍ରସ୍ତାବ ଦେଇଥିଲେ । ୨୦୦୬ରେ ତତ୍କାଳୀନ ବାଚସ୍ପତି ମହେଶ୍ୱର ମହାନ୍ତି ଏ ନେଇ ଏକ କମିଟି ଗଠନ କରିଥିଲେ । ସେତେବେଳେ ଏହି ଗୀତର କିଛି ଅଂଶ ବାଦ ଦେଇ ଏହାକୁ ରାଜ୍ୟ ଜାତୀୟ ସଂଗୀତ ଭାବେ ଗ୍ରହଣ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ସ୍ୱିକୃତୀ ପ୍ରଦାନ କରିଥିଲା ।
ଏହାପରେ ୨୦୧୫ ମସିହା ଫେବ୍ରୁଆରୀ ୨୫ ତାରିଖରେ ସରକାର ଏ ନେଇ ଏକ କମିଟି ଗଠନ କଲେ । ସେ ସମୟର ଆଇନ ସଚିବ ଏହାର ଅଧ୍ୟକ୍ଷ ଥିଲେ ଏବଂ ସୂଚନା ଓ ଲୋକ ସମ୍ପର୍କ ସଚିବ ଓ ସଂସ୍କୃତି ସଚିବ ସଦସ୍ୟ ଥିଲେ । ତତ୍କାଳନୀ ସଂସ୍କୃତି ସଚିବ ଅରବିନ୍ଦ ପାଢୀ ଏହି କମିଟିର ସଦସ୍ୟ ତଥା ଆହାହକ ଥିଲେ । ସେତେବେଳେ ସଂସ୍କୃତି ମନ୍ତ୍ରୀ ଥିଲେ ଅଶୋକ ପଣ୍ଡା । ଏହି କମିଟି ବିଭିନ୍ନ ରାଜ୍ୟରେ ଜାତୀୟ ସଙ୍ଗୀତ ଅଛି ନାହିଁ ତାହାର ଯାଞ୍ଚ କରିଥିଲେ । ଜଣାପଡ଼ିଥିଲା ୯ଟି ରାଜ୍ୟରେ ଏଭଳି ଭାଷା ଭତ୍ତିକ ଜାତୀୟ ସଙ୍ଗୀତ ରଖିଛନ୍ତି । ଏ ନେଇ କାନ୍ତକବିଙ୍କ ପରିବାରବର୍ଗଙ୍କ ସହ  ଅଲୋଚନା କରାଯାଇଥିଲା । 

କମିଟି ତାର ତଦନ୍ତ ସାରିବା ପରେ ୨୦୧୫ ଜୁଲ।ଇ ୧୦ ତାରିଖରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ସରକାରଙ୍କୁ ଦେଇଥିଲା । ଏଥିରେ “ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ସୁପାରିଶ କରା ଯାଇଥିଲା ।
ଶେଷରେ ମେ’ ୩୦ ତାରିଖରେ କରୋନା ଯୋଦ୍ଧାଙ୍କ ସମ୍ମାନରେ ଏହି ସଙ୍ଗୀତ ଗାନ କରାଯିବା ପରେ ପୁଣି ଥରେ ଏହାକୁ ଜାତୀୟ ସଙ୍ଗୀତ କୀରିବା ଦାବି ଉଠିଥିଲା । ଶେଷରେ ଆସିଥିଲା ୧୦୦ ବର୍ଷର ସେଇ ପ୍ରତିକ୍ଷୀତ ମୁହୂର୍ତ୍ତ । ମେ’ ୭ ତାରିଖ । ଏହି ଦିନ ବନ୍ଦେ ଉତ୍କଳ ଜଜନୀ ଗୀତରେ ବାଜିଥିଲା କ୍ୟାବିନେଟ ମୋହର ।

image

 

ଆହୁରି ପଢ଼ନ୍ତୁ

ସବୁଜିମାରେ ହସିବ ମରୁଭୂମି; ୭ ଘଣ୍ଟାରେ ହୋଇପାରିବ ଚାଷ ଉପଯୋଗୀ

ଭାରତୀୟଙ୍କ ମସ୍ତିଷ୍କ ଚୀନ୍‌ ଲୋକଙ୍କ ମସ୍ତିଷ୍କଠାରୁ ଛୋଟ

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଗୀତ ଗାଇ ମନ ମୋହିଲେ କୋରାପୁଟ ଝିଅ ନମିତା

ନିଜ ପାଇଁ ନିଜେ: ଏକା ଏକା ୩ କିଲୋମିଟର କେନାଲ ଖୋଳିଲେ ଚାଷୀ

ଗଛରେ ମାତ୍ର ୪ଟି ପତ୍ର, ଦାମ୍ ଶୁଣିଲେ ହୋସ୍ ଉଡ଼ିଯିବ

Pranab Mukharjee Death: ପ୍ରଣବ ଦା’ ଙ୍କ ପାଞ୍ଚ ଦଶନ୍ଧିର ରାଜନୀତିରେ ପୂର୍ଣ୍ଣଛେଦ

ଚୀନ୍‌ରେ ଏବେ ବି ପୂଜା ପାଉଛନ୍ତି ଏଇ ଭାରତୀୟ

Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ ‘ଅଟଳ ଟନେଲ୍‌‌’

ଜାତୀୟ କ୍ରୀଡ଼ା ଦିବସରେ ‘ହକି ଯାଦୁଗର’ଙ୍କୁ ସଲାମ୍

ଚିତ୍ରକର ଆଙ୍କିଥିଲେ ଜବରଦସ୍ତ ପେଣ୍ଟିଂ; ଲୋକେ କହିଲେ ସୁଶାନ୍ତ ସିଂହ ରାଜପୁତ

ବାପାଙ୍କ ସହ ମିଶି ଅଷ୍ଟମ ଶ୍ରେଣୀର ଛାତ୍ର କଲା ନିଆରା ଉଦ୍ଭାବନ

You might also like