କେତେଦିନ ରହିବ ଏ ‘ମାଇବାପ୍‌’ ସରକାର ?

ଗତ କିଛି ମାସ ପୂର୍ବରୁ ସାରା ଭାରତରେ, ପ୍ରତିଟି ରାଜ୍ୟରେ ଏବଂ ପ୍ରତିଟି ଗାଁ ଗାଁରେ ଦାଦନ ଦୁଃଖର କରୁଣ କାହାଣୀକୁ ନେଇ ଚର୍ଚ୍ଚା ଚାଲିଥିଲା। କେଉଁଠି ଲୋକେ ଚାଲି ଚାଲି ପ୍ରାଣ ହରାଉଥିଲେ ତ ଆଉ କିଏ ଅଖିଆ ଅପିଆ ଭୋକ ବିକଳରେ… ହେଲେ କୁଆଡ଼େ ଗଲା ସେ ପ୍ରସଙ୍ଗ? ଦାଦନ ଦୁଃଖର କରୁଣ କାହାଣୀ ଏବଂ ଏହାର ସମସ୍ୟାର କ’ଣ ସମାଧାନ ହୋଇଗଲା? ନା କୌଣସି ମତେ ଏଭଳି ଏକ ସାମାଜିକ-ରାଜନୈତିକ ଓ ଅର୍ଥନୈତିକ ପ୍ରସଙ୍ଗକୁ ସରକାର ଚୋରଙ୍କ ଭଳି ଖସିଯିବାରେ ସକ୍ଷମ ହେଲେ? ପଢ଼ନ୍ତୁ ଅର୍ଥନୀତିଜ୍ଞ ଡ.ଦିଲ୍ଲୀପ କୁମାର ପଣ୍ଡାଙ୍କ ଏହି ବିଶ୍ଲେଷଣ…

କୋଭିଡ୍-୧୯ ପରିପ୍ରେକ୍ଷୀରେ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ପ୍ରସଙ୍ଗ କେବଳ ଏକ ଅର୍ଥନୈତିକ ପ୍ରସଙ୍ଗ ନୁହେଁ, ବରଂ ଏହା ସହିତ ସାମାଜିକ ରାଜନୈତିକ ପରିସ୍ଥିତିର ମଧ୍ୟ ସମ୍ପର୍କ ରହିଛି। ଏହି ବିରାଟ ଗୋଷ୍ଠୀ ଯେଉଁମାନେ ନିଜ ରାଜ୍ୟ, ନିଜର ଭିଟାମାଟି ଛାଡ଼ି ଅନ୍ୟ ରାଜ୍ୟକୁ ଖଟିବାକୁ ଯାଉଛନ୍ତି ଏବେ ସେମାନେ ରାଜ୍ୟହୀନ ରାଜ୍ୟଗଠନ ଗୋଷ୍ଠୀ, ଏକ ସାମାଜିକ ଅର୍ଥନୈତିକ ଅସ୍ତିତ୍ତ୍ଵ ରକ୍ଷା ପାଇଁ ପ୍ରତିକୂଳ ପରିସ୍ଥିତି ସହ ଲଢ଼େଇ କରୁଛନ୍ତି।

ପ୍ରଶ୍ନ ହେଉଛି ଯେ, ଏତେ ବେଶୀ ସଂଖ୍ୟାରେ ଏହି ଦୁର୍ଦ୍ଦଶାଗ୍ରସ୍ତ ଶ୍ରମିକମାନେ ଦେଶାନ୍ତର ହେଉଥିବାର ପ୍ରକୃତ ତଥ୍ୟ ଏ ଯାଏ ରାଷ୍ଟ୍ର ବ୍ୟବସ୍ଥା ପାଖରେ ନ ଥିଲା। ବରଂ ଏବେ ଯେଉଁ ରିଭର୍ସ ମାଇଗ୍ରେଶନ୍ ପ୍ରକ୍ରିୟା ଆରମ୍ଭ ହୋଇଛି, ଏଇଠୁ କିଛିଟା ତଥ୍ୟ ସାମ୍ନାକୁ ଆସୁଛି। ପ୍ରାୟତଃ ଯେଉଁ ଶ୍ରମିକମାନେ ଅନ୍ୟ ରାଜ୍ୟକୁ ଯାଉଛନ୍ତି, ମୁଖ୍ୟତଃ ସମସ୍ତେ ଦୁର୍ଦ୍ଦଶାଗ୍ରସ୍ତ ପ୍ରବାସକ ଗୋଷ୍ଠୀର ଅନ୍ତର୍ଭକ୍ତ। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ାରୁ ପ୍ରାୟତଃ ଶ୍ରମିକ ଦାକ୍ଷିଣାତ୍ୟ ରାଜ୍ୟ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଚେନ୍ନାଇ ଭଳି ସହରରେକୁ ଯାଇ ଇଟାଭାଟିରେ କାମ କରିବା ପାଇଁ ଯାଇଥାନ୍ତି। ଏମାନେ ନିଯୁକ୍ତି ଦାତାଙ୍କଠାରୁ ବଡ ଠିକାଦାର ତଥା ଦଲାଲ ମାଧ୍ୟମରେ ଏକ ମୋଟା ଅଙ୍କର ମୋଟ ହିସାବରେ ବଡ଼ ରକମ ଅର୍ଥରାଶି ‘ବଏନା’(ଆଡଭାନ୍ସ) ଆକାରରେ ଆଣିଥାନ୍ତି ଏବଂ ନିର୍ଦ୍ଦିଷ୍ଟ ଭାବେ ବର୍ଷକୁ କେତେମାସ କାମ କରିବେ ସେଥିନିମନ୍ତେ ଚୁକ୍ତିବଦ୍ଧ ହୋଇଥାନ୍ତି ।

ଯଦି କୌଣସି କାରଣ ବଶତଃ ଚୁକ୍ତିବଦ୍ଧ ସମୟସୀମାର କିଛି ସମୟ ପୂର୍ବରୁ ଚାଲି ଆସନ୍ତି ତେବେ ସେହି ସମୟ ଅବଧିକୁ ‘ଲଗତି’ କୁହାଯାଏ। କାରଣ ଏହି ସମୟର ଶ୍ରମ, ଶ୍ରମିକ ମୁଣ୍ଡ ଉପରେ ଋଣ ସ୍ଵରୂପ ରହିଥାଏ। ଯାହାକୁ ସେ ଆଗାମୀ କାର୍ଯ୍ୟସତ୍ର (ସେସନ୍)ରେ ଭରଣା କରିବାକୁ ବାଧ୍ୟ ହେବେ। ଏହି ପ୍ରକାରେ ସେ ଏକ ପ୍ରକାର ଋଣଶ୍ରମର ଦାସ ଶ୍ରମିକ(Bonded Labourer with Labour Debt) ଭାବେ ରହିଥାଏ । ଏହି ବଏନା ବା ଲଗ୍ତି ବ୍ୟବସ୍ଥାରେ ବନ୍ଧନଗ୍ରସ୍ତ ଶ୍ରମିକଙ୍କୁ ଦାଦନ ଶ୍ରେଣୀଭୁକ୍ତ କରାଯାଏ ।

ଓଡ଼ିଶାର ଯେଉଁ ଅଞ୍ଚଳରୁ ବି ଶ୍ରମିକ ଅନ୍ୟ ରାଜ୍ୟକୁ ଯାଉଛନ୍ତି-ଏଇ ଯେପରି ଗଞ୍ଜାମରୁ ସୁରତର ସୂତାକଳରେ କାମ କରିବାକୁ ବା କେନ୍ଦ୍ରାପଡ଼ା, ଜଗତସିଂହପୁର ଅଞ୍ଚଳରୁ ବାଙ୍ଗାଲୋର, ମହାରାଷ୍ଟ୍ର ଓ ଗୋଆକୁ ନିର୍ମାଣକାମ କରିବାକୁ ବା ବାଲେଶ୍ଵର, ଯାଜପୁର ଅଞ୍ଚଳରୁ ପଶ୍ଚିମବଙ୍ଗକୁ-ଏମାନେ ସମସ୍ତେ ଦାଦନ ଶ୍ରେଣୀଭୁକ୍ତ ନ ହେଲେ ମଧ୍ୟ ‘ଦୁର୍ଦ୍ଦଶାଗ୍ରସ୍ତ ପ୍ରବାସକ’ର ଅନ୍ତର୍ଭୁ୍କ୍ତ। ଏମାନେ ମଧ୍ୟ ପ୍ରାୟତଃ ଠିକାଦାରଙ୍କ ମାଧ୍ୟମରେ ଯାଇଥାନ୍ତି ଓ ସେଠାରେ ତା’ର ଅଧୀନରେ କାମ କରିଥାଆନ୍ତି। ତେଣୁ ସମସ୍ତଙ୍କୁ ଅଣକୁଶଳୀ ଗୋଷ୍ଠୀ ରୂପେ ଧରାଯାଏ।

ତୃତୀୟ ସମାନତା ହେଉଛି ଯେ, ସମସ୍ତେ ଅଣ ସଂଗଠିତ (Informal ବା UnOrganised) କ୍ଷେତ୍ରରେ କାମ କରନ୍ତି, ଯେଉଁଠି କୌଣସି ପ୍ରକାର ସାମାଜିକ ନିରାପତ୍ତା ବ୍ୟବସ୍ଥା ନଥାଏ। କରୋନା ପରିପ୍ରେକ୍ଷୀରେ ଏହି ସାମାଜିକ- ଅର୍ଥନୈତିକ ଅସୁରକ୍ଷିତ ବ୍ୟବସ୍ଥାର ନଗ୍ନରୂପ ସାମନାକୁ ଆସିଲା।  ଲକଡାଉନର ୧୦ ରୁ ୧୫ ଦିନ ଭିତରେ ସେମାନେ ଏମିତି ଶୂନ୍ୟହସ୍ତ ହୋଇଗଲେ ଯେ, ତାଙ୍କ ପାଖରେ ଘରଭଡ଼ା ଦେବାଠୁ ଆରମ୍ଭ କରି ମୁଠାଏ ଖାଇବା ପାଇଁ ମଧ୍ୟ ନିମ୍ନତମ ସାଧନ ନ ଥିଲା। ତେଣୁତାଙ୍କ ପାଖରେ ନିଜର ଜନ୍ମମାଟିକୁ ଫେରିବା ବ୍ୟତୀତ ଆଉ କୌଣସି ବିକଳ୍ପ ନଥିଲା। କିନ୍ତୁ ଗଣମାଧ୍ୟମ ହେଉ କି ଅନ୍ୟ ଯେଉଁମାନେ ଏହି ବିକଳ ପଳାୟନକୁ ଲକ୍ଷ୍ୟ କରି କହୁଛନ୍ତି ଯେ, ସେମାନେ ଯଦି ଭୋକରେ ମରିବେ ତେବେ ଅନ୍ୟ ପ୍ରଦେଶର ମାଟିରେ କାହିଁକି ମରିବେ ? ନିଜର ଜନ୍ମ ମାଟିରେ କାହିଁକି ମରିବେନି ଭାବିକି ଏତେ ଦୁଃଖ କଷ୍ଟରେ ଚାଲିଆସୁଛନ୍ତି।

ମୋ ମତରେ ଏ ପ୍ରକାର ଉକ୍ତି କେବଳ ଏକ ଭାବପ୍ରବଣତାର ଉକ୍ତି ଏବଂ ଏହା କହିକି ଏହି ଅମାନବୀୟ ଯାତ୍ରାରେ ଅନ୍ତ ପକେଇ ଦେବାର ଅର୍ଥ ହେଉଛି ଆମର ସହରାଞ୍ଚଳ ବସ୍ତିରେ ସାମାଜିକ-ଅର୍ଥନୈତିକ ଭିତ୍ତିଭୂମିର ଦାରିଦ୍ର୍ୟ ପ୍ରତି ଆଖି ବନ୍ଦ କରିଦେବା। ଏମିତି ଏକ ନିଃସ୍ୱ ସାମାଜିକ- ଅର୍ଥନୈତିକ ଭିତ୍ତିଭୂମିକୁ ଆଧାର କରି ଏହି ପ୍ରବାସୀ ଶ୍ରମିକମାନେ ସେଠି ବିନାକାମ, ବିନା ଅର୍ଥରେ ୧୦-୧୫ ଦିନରୁ ଅଧିକା ରହି ପାରିବେ ନାହିଁ। ଏହି ଦୁର୍ବଳତା ଓ ପ୍ରବାସୀ ଶ୍ରମିକଙ୍କ ଉପରେ ତା’ର ପ୍ରଭାବକୁ ଅବହେଳା କରିବା ବା ଜାଣିଶୁଣି ବୁଝିବାକୁ ଚେଷ୍ଟା ନ କରିବା ହେଉଛି ଏକ ଅର୍ଥପୂର୍ଣ୍ଣ ତଥା ନ୍ୟାୟ ସଙ୍ଗତ ବ୍ୟବସ୍ଥାର ପୁନଃଉତ୍ଥାନକୁ ଅସ୍ୱୀକାର କରିବା।

ବରଂ ତାହାର ଟିକିନିକି ସମୀକ୍ଷା କରି ବ୍ୟବସ୍ଥାଗତ ଦୁର୍ବଳତାକୁ ଦୂର କରି ଏହି ବଞ୍ଚିତ/ ସୀମାନ୍ତରୀତ ବର୍ଗଙ୍କ ପାଇଁ ଏକ ନ୍ୟାୟ ସଂଗତ ସାମାଜିକ- ଅର୍ଥନୈତିକ ଭିତ୍ତିଭୂମି ଗଠନର ପ୍ରକ୍ରିୟା ଆରମ୍ଭ ହେଉ। ଯେପରିକି ଭବିଷ୍ୟତରେ ଗରିବ ମଣିଷର ଏମିତି ଆମାନବିକ ଯାତ୍ରାର ହୃଦୟ ବିଦାରକ ଦୃଶ୍ୟ ଆଉ ଦେଖିବାକୁ ପଡ଼ିବ ନାହିଁ। ଏହି ଶ୍ରମିକ ବସ୍ତିର ଭିତ୍ତିଭୂମୀ କେବଳ ଅନିଶ୍ଚିତ ଓ ନିମ୍ନମାନର ନୁହେଁ, ବରଂ ଅତ୍ୟନ୍ତ ଖର୍ଚ୍ଚବହୁଳ ମଧ୍ଯ। ଏହି ଗରିବ ଶ୍ରେଣୀ ତାଙ୍କର ସର୍ବନିମ୍ନ ମୌଳିକ ଆବଶ୍ୟକତା (ପାନୀୟଜଳ, ସ୍ୱାସ୍ଥ୍ୟ ସେବା, ଗମନାଗମନ, ଘରଭଡ଼ା ଇତ୍ୟାଦି) ପାଇଁ ଧନୀ ତଥା ସଂଭ୍ରାନ୍ତ ଶ୍ରେଣୀଠାରୁ ନିଜ ଆୟର ଅଧିକ ଅଂଶ ଖର୍ଚ୍ଚ କରନ୍ତି। ଏ ଧରଣର ବିଡ଼ମ୍ବନାକୁ ଦାରିର୍ଦ୍ୟର କିସ୍ତି(poverty premium) କୁହାଯାଏ। ଯଦି ଏହି ଅଭିଜ୍ଞତାରୁ ଶିକ୍ଷା ଲାଭ କରି ରାଷ୍ଟ୍ର-ବ୍ୟବସ୍ଥା ଏହି ସବୁ ଭିତ୍ତିଭୂମିର ଅଭାବକୁ ଦୂର କରିବାରେ ମନସ୍ତ କରେ, ତେବେ ସହରାଞ୍ଚଳରେ ନିଯୁକ୍ତି ଭିତ୍ତିକ ପୁଞ୍ଜିନିବେଶ ତତକ୍ଷଣାତ୍ ଏହି ଶ୍ରମିକ ଗୋଷ୍ଠୀଙ୍କୁ ଆୟ ପ୍ରଦାନ କରି ମଜୁରୀରେ ସ୍ଥିରତା ଆଣିବା ସଙ୍ଗେ ସଙ୍ଗେ ତାଙ୍କୁ ଋଣଭାରର ଆଶଙ୍କାରୁ ମୁକ୍ତି ଦେଇ ପାରିବ। ମଧ୍ୟବର୍ତ୍ତୀ ଅବସ୍ଥାରେ( Mid-term)  ଏହି ଶ୍ରମିକ ପରିବାରମାନଙ୍କର ସଞ୍ଚୟରେ ମଧ୍ୟ ସ୍ଥିରତା ଆସିବାର ସମ୍ଭାବନା ରହିଛି। କାରଣ ଭିତ୍ତିଭୂମିର ସୁବିଧା ମିଳିଗଲେ ସେମାନେ ଯେଉଁ ସେବାଗୁଡ଼ିକ ପାଇଁ ଅଧିକ ଖର୍ଚ୍ଚ କରି ଦାରିର୍ଦ୍ୟର କିସ୍ତି ଚୁକ୍ତି କରୁଥିଲେ, ସେହି ଅର୍ଥ ତାଙ୍କ ହାତରେ ରହିଯିବ। ୟାର ଅନ୍ୟ ଦିଗଟି ଅବସ୍ଥା ଆଡ଼କୁ ନିର୍ଦ୍ଦେଶ କରେ। ଯଦି ଏହି ସବୁ ପରିସ୍ଥିତି ସତ୍ତ୍ୱେ ସରକାର ସହରାଞ୍ଚଳରେ ସାମାଜିକ- ଅର୍ଥନୈତିକ ଭିତ୍ତିଭୂମି ଗଠନକୁ ଉପେକ୍ଷା କରିବେ, ତେବେ ଏଇ ପ୍ରବାସୀ ଶ୍ରମିକଙ୍କ ପୁନର୍ବାର ଫେରିବାର ଆଶା ବହୁତ୍ କମ୍।

ଯଦି କରୋନା ପ୍ରଭାବିତ ଓଲଟା ପ୍ରବାସନ( Reverse Migration)  ହୋଇ ନଥାନ୍ତା ତେବେ ଦାଦନ ଶ୍ରେଣୀଭୂକ୍ତ ଶ୍ରମିକମାନେ ଯେଉଁଠି ଥିଲେ ସେଇଠି ହିଁ ରହିଥାଆନ୍ତେ। ମୌସୁମୀ ଆସିଲା ପରେ ବର୍ଷା ଋତୁରେ ଇଟାଭାଟି କାମ ବା ନିର୍ମାଣକାର୍ଯ୍ୟ ବାଧାପ୍ରାପ୍ତ ହୁଏ ଏବଂ ଏହି ସମୟରେ ସେମାନେ ଗାଁକୁ ଫେରିଆସିଲେ ଗାଁରେ ଚାଷକାମରେ ନିଯକ୍ତି ପାଇ ଯାଆନ୍ତି। କିନ୍ତୁ କରୋନା ପ୍ରଭାବିତ ଲକଡାଉନ୍ ଯୋଗୁଁ ମାର୍ଚ୍ଚ ମାସରୁ ଲକ୍ଷ୍ଯ ସ୍ଥାନରେ କାମ ଧନ୍ଦା ବନ୍ଦ ହୋଇ ଗଲାଣି। ସେଇଠି କାମ କରୁଥିବା ଯାଏ ତାଙ୍କର ଅନ୍ତତଃ ନିତିଦିନିଆ (Consumption) ଖର୍ଚ୍ଚର ଅଭାବ ରହେ ନାହିଁ। ଏବେ ଯେହେତୁ ତିନିମାସ ଆଗରୁ ପ୍ରବାସନ ସ୍ଥଳୀରୁ ଫେରି ଆସିଲେଣି ତେଣୁ ସେମାନଙ୍କୁ ଏହି ନିତିଦିନିଆ ଖର୍ଚ୍ଚ ମଧ୍ୟ ନିଜର ପକେଟରୁ ବାହାର କରିବାକୁ ପଡ଼ିବ। ଏଇ ଘଡ଼ି ହେଉଛି ସେମାନଙ୍କ ପାଇଁ ନିଜ ସହିତ ସଂଘର୍ଷ କରିବାର ମୂହୁର୍ତ୍ତ। ସେମାନେ ଏବେ ଦ୍ୱିତୀୟ ନୂତନ ଋଣଚକ୍ର (Debt Cycle)ର ଭଇଁରୀ ଭିତରେ ପଡ଼ିବେ। ପ୍ରଥମ ଋଣ ଚକ୍ର ‘ବଏନା ଆକାରରେ ଯାହା ନେଇଥିଲେ ତାକୁ ଚୁକ୍ତା କରି ପାରିନାହାନ୍ତି। ଏପରି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ସେମାନେ କ’ଣ ଅନ୍ୟ କୌଣସି ନିଯୁକ୍ତିଦାତାଠୁ ପୁଣି ବଏନା ନେଇ ଅନ୍ୟ କେଉଁ ଗନ୍ତବ୍ୟ ସ୍ଥଳ(Destination)କୁ ଯାଇ ପାରିବେ କି? ଏହାର ଉତ୍ତର ଏକ ସ୍ୱୟଂସମ୍ପୂର୍ଣ୍ଣ ‘ନା’(NO)। କାରଣ ଠିକାଦାରର  ଦଲାଲମାନେ ପ୍ରତି ଗାଁକୁ ନିଜର ନଜରରେ ରଖିଥାଆନ୍ତି। ଯଦି କୌଣସି ଶ୍ରମିକ ପରିବାର ଏମିତି ଚାଲାକି କରେ ତା’ ହେଲେ ସେମାନେ ତାଙ୍କର ଗୁଣ୍ଡା(Muscle Men) ଲଗାଇ ଶାରୀରିକ ଆକ୍ରମଣ କରନ୍ତି। ଗୋଟିଏ ଦୃଷ୍ଟିରୁ ଏଇ ଶ୍ରମିକମାନେ ବେଠି ଶ୍ରମିକ ବା କ୍ରୀତଦାସଠୁ ହୀନ ଅବସ୍ଥାରେ ଉଭୟ ସ୍ଥାନରେ( ନିଜ ଗାଁରେ ଓ କର୍ମସ୍ଥଳୀରେ) କଏଦୀ ସ୍ୱରୂପ ଏକ ପରାଧୀନ ଜୀବନଯାପନ କରନ୍ତି। ସେଇଠି କର୍ମସ୍ଥଳୀରେ ମଧ୍ୟ ନିଯୁକ୍ତିଦାତାର ଠିକାଦରର ଶକ୍ତ ପ୍ରହରୀ ମଧ୍ୟରେ ଏମାନଙ୍କୁ ରହିବାକୁ ହୁଏ। କୌଣସି ସ୍ଥାନକୁ ଏମାନେ ଠିକାଦାର ନିଯୁକ୍ତି ଗୁଣ୍ଡା ପ୍ରହରୀର ବିନା ଅନୁମତିରେ ଯାଇପାରନ୍ତି ନାହିଁ। ଏପରିକି ସେମାନଙ୍କୁ ସପ୍ତାହରେ ରହିବା ଖାଇବା ପାଇଁ ଯେଉଁ ଅଳ୍ପ ଟଙ୍କା ନଗଦ ଆକାରରେ ଦିଆଯାଏ ସେମାନେ ପ୍ରହରି ପରିବେଷ୍ଟିତ ହୋଇ ବଜାରକୁ ଯା’ନ୍ତି ଏବଂ ତେଲ ଲୁଣ ପନିପରିବା ଗୋଟିଏ ସପ୍ତାହ ପାଇଁ କିଣିକି ଆଣନ୍ତି। ହାତରେ ନଗଦ ରଖିବାକୁ ସେମାନଙ୍କୁ ଦିଆଯାଏ ନାହିଁ। କାରଣ କାଳେ ସେମାନଙ୍କ ହାତରେ ପଇସା ଥିଲେ କୁଆଡ଼େ ଲୁଚିକି ଚାଲିଯିବେ। କହିବାକୁ ଗଲେ ଏଇ କର୍ମସ୍ଥାନରେ ଦାଦନ ଶ୍ରମିକମାନେ ରାସ୍ତାର କୁକୁର ଭଳି ଜୀବନଯାବନ କରନ୍ତି। ଏହି ସବୁ ପରିସ୍ଥିତିକୁ ସୂକ୍ଷ୍ମଭାବେ ଅନୁଧ୍ୟାନ କରିବ ଯଦି ପ୍ରଶ୍ନ କରାଯାଏ ଯେ, ପରିସ୍ଥିତି ସ୍ୱାଭାବିକ ହେଲା ପରେ ଏମାନଙ୍କ ପୁଣି ଥରେ କର୍ମସ୍ଥଳୀକୁ ଫେରିବେ ନା ନାହିଁ।– ତେବେ ଏହାର ଉତ୍ତର ଏକ ନିଶ୍ଚିତ ‘ହଁ’(YES)ରେ ହିଁ ହେବ। କାରଣ ନିଜର ଶାରୀରିକ ଅସ୍ତିତ୍ୱକୁ ବଞ୍ଚାଇ ରଖିବା ପାଇଁ ଏମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ।

ଏମିତି ଏକ ଦୟନୀୟ ପରିସ୍ଥିତିରେ ବ୍ୟବସ୍ଥା, ରାଷ୍ଟ୍ର, ସଂବିଧାନ, ଚେତନଶୀଳ ବୁଦ୍ଧିଜୀବୀ, ସମାଜ ପ୍ରତି ଅଙ୍ଗୁଳି ଉଠେଇ ଅନେକ ପ୍ରଶ୍ନବାଣ ନିକ୍ଷେପ କରାଯାଇ ପାରେ। ମାର୍କ୍ସଙ୍କ ଶ୍ରେଣୀ ସଂଘର୍ଷରୁ ଭାରତୀୟ ସଂବିଧାନରେ ପ୍ରଦତ୍ତ ମୌଳିକ ଅଧିକାର ପର୍ଯ୍ୟନ୍ତ ବିସ୍ତାରିତ ହୋଇ ପାରେ ଏହି ପ୍ରଶ୍ନବାଣର କ୍ଷେତ୍ର। ସମାଜର ଚେତନାଠୁ ବୁଦ୍ଧିଜୀବୀ ଭାଷଣ ତଥା କଲମ ଯାଏ ଏଇ ପ୍ରଶ୍ନ ସବୁ ଚରିଯାଇ ପାରନ୍ତି। ବ୍ୟବସ୍ଥାଗତ ବିଫଳତା ଠୁ ଆନୁଷ୍ଠାନିକ ବିଧ୍ୱସ୍ତତା ଯାଏ ହୋଇପାରେ ଏ ସବୁ ପ୍ରଶ୍ନର ପ୍ରଶସ୍ତତା। କହିବାକୁ ଗଲେ ଏକ ରୁଗ୍ଣ ମାନସିକତା, ଅପାରଗତା, ସମ୍ବେଦନଶୀଳ ହୀନତା, ଅନୈତିକ ରାଷ୍ଟ୍ରବ୍ୟବସ୍ଥା, ପଙ୍ଗୁ ଅଥର୍ବ ନାଗରିକ ସମାଜ, ପ୍ରଚାରମୂଖୀ ବୁଦ୍ଧିଜୀବୀ ଶ୍ରେଣୀର ଅପମିଶ୍ରଣ ଦ୍ୱାରା ହଳାହଳପୂର୍ଣ୍ଣ ଏକ ନିର୍ବିକାର, ସ୍ଥାଣୁ, ଶ୍ମଶାନତୂଲ୍ୟ ସମାଜ-ରାଜନୀତି-ଅର୍ଥନୀତି ଘେରା ବିଫଳତାର ଚକ୍ରରେ ଆମେ ସମସ୍ତେ ଆବଦ୍ଧ ହୋଇଯାଇଛେ।

ମୌଳିକ ପ୍ରଶ୍ନ ଉଠେ ଯେ, ଏତେ ଦୟନୀୟ ପରିସ୍ଥିତିର ସମ୍ମୁଖୀନ ହୋଇ ରାଜରାସ୍ତା, ରେଳରାସ୍ତାରେ ପଦଯାତ୍ରା କରି ହଜାର ହଜାର ମାଇଲ୍ ଏହି ଖଟିଖିଆ ଶ୍ରେଣୀ ନିଜର ଝାଳ-ରକ୍ତ ନିଗାଡ଼ି ଜୀବନକୁ ପାଣି ଛଡ଼େଇ ଆସି ବା ସତ୍ତ୍ୱେ ବିରୋଧର ଆହ୍ୱାନ ତାଙ୍କ ମୁଖରୁ କାହିଁକି ବାହାରିଲା ନାହିଁ? କୁହାଯାଏ ଭୋକ/କ୍ଷୁଦ୍ଧା/ଶୋଷଣ/ ହେଉଛି ବିପ୍ଳବ/ବିଦ୍ରୋହର ଜନକ- ତେବେ କେତେ ଶତଥର ‘କାହିଁକି’ ‘କାହିଁକି’ ‘କାହିଁକି’ ବ୍ୟବହାର କରି ଏଇ ପ୍ରଶ୍ନକୁ ଦୋହରା ଯାଇ ପାରେ! ପ୍ରଥମ କଥା ହେଉଛି ସେମାନେ ସଂଗଠିତ ନୁହଁନ୍ତି। ସଂଗଠନ ବିନା ଆହ୍ୱାନ ଉଠାଇ ହୁଏ ନାହିଁ କି ଆନ୍ଦୋଳନ/ ବିପ୍ଳବ/ ବିରୋଧ କରି ହୁଏ ନାହିଁ। ଏଇଠି ଏକ ଯୁକ୍ତିଯୁକ୍ତ ତର୍କ ଆଗତ କରାଯାଇ ପାରେ ଯେ, ଯେଉଁ ବୁଦ୍ଧିଜୀବୀ, ବାମପନ୍ଥୀ, ମାର୍କସବାଦୀ, ପ୍ରଗତିବାଦୀ, ସାମାଜିକ ସଂଗଠନ, ଏନଜିଓମାନେ ସବୁବେଳେ ନିଜକୁ ଗରିବ, ଦଳିତ, ବଞ୍ଚିତ ସପକ୍ଷବାଦୀ ବୋଲି ଟେବୁଲ ବାଡେଇ ଜୋର ଜୋରରେ ପାଟି କରି କୁହନ୍ତି, ସେମାନେ ଏମିତି ଏକ ଅମାନବୀୟ ସ୍ଥିତିରେ କାହିଁକି ରାସ୍ତାକୁ ଓହ୍ଲେଇ ଏଇ ଗରିବ ଭୋକିଲା ଶ୍ରମିକମାନଙ୍କୁ ସଂଗଠିତ କରି ରାଷ୍ଟ୍ର ବ୍ୟବସ୍ଥାର ଅସଫଳତା ବିରୋଧରେ ଗୋଟିଏ ଜନସଂଗ୍ରାମର ଆରମ୍ଭ କରିପାରିଲେ ନାହିଁ? ଏଇ ଗରିବ ଶ୍ରମିକମାନେ ଆବାଜ ନ ଉଠେଇବାର କାରଣ ହେଉଛି ଯେ, ଏମାନେ ନିଜର ଅଧିକାର ବାବଦରେ ସଚେତନ ନୁହଁନ୍ତି କିମ୍ବା ଉପରୋକ୍ତ ଶିକ୍ଷିତ ଶ୍ରେଣୀ ଏମାନଙ୍କୁ ତାଙ୍କର ଅଧିକାର ବାବଦରେ ଜାଣତରେ ହେଉ ବା ନିଜର ସୁବିଧା ଦୃଷ୍ଟିରୁ ହେଉ ସଚେତନ କରାଉ ନାହାନ୍ତି । ଯଦିଓ ଅନେକ ସମୟରେ କିଛି କିଛି ପ୍ରସଙ୍ଗକୁ ନେଇ ନିଜର ସଂଗ୍ରାମୀ ପରିଚୟ ବା ସାମାଜିକ କର୍ମୀ (ଆକ୍ଟିଭିଷ୍ଟ) ପରିଚୟ ବା ରାଜନୌତିକ ଫାଇଦା ପାଇଁ ଏମାନଙ୍କୁ ବ୍ୟବହାର କରି ଆନ୍ଦୋଳନମାନ କରି ଆସିଛନ୍ତି ।

ଏହି ଗରିବ ଶ୍ରମିକମାନେ କେବଳ ଭୋଟ ଦେବାର ଅଧିକାର(?) ବାବଦରେ ଧ୍ୟାନଶୀଳ। କାରଣ ଭୋଟ ବଦଳରେ କିଛି ଅର୍ଥ ଓ ଦ୍ରବ୍ୟ ତାଙ୍କର ହାତକୁ ଆସେ। ରାଷ୍ଟ୍ର ନିଜର ସ୍ଥିତାବସ୍ଥାକୁ ଦୃଢ କରିବା ପାଇଁ ଏମିତି ନୀତି ପ୍ରଣୟନ କରୁଛି ଓ ରାଜନୈତିକ ଦଳର ନେତାମାନେ (ଯେଉଁ ଦଳ ଶାସନରେ ଥାଉ ନା କାହିଁକି) ଏମିତି ଭାବେ ବ୍ୟବସ୍ଥାକୁ ଅମଲାତନ୍ତ୍ର ସାହାଯ୍ୟରେ  ପରିଚାଳିତ କରୁଛନ୍ତି ଓ ନିଜକୁ  ଏଇ ଗରିବ ଜନତାଙ୍କ ଦୃଷ୍ଟିରେ ଏକ ‘ମସିହା’ ଭଳି ଉପସ୍ଥାପନ କରୁଛନ୍ତି, ସେସବୁରୁ ଜନତାଙ୍କ ଦୃଷ୍ଟିରେ ଏକ ‘ମାଇବାପ’ ସରକାରର ଛବି ଦୃଢ଼ ହେବାରେ ଲାଗିଛି ।  ସେହି ଦୃଷ୍ଟିକୋଣରୁ ଏଇ ଗରିବ ଶ୍ରେଣୀର ଶ୍ରମିକମାନେ ଏମିତି ଦୁଃସ୍ଥିତିରେ ମଧ୍ୟ ବାଧ୍ୟବାଧ୍ୟକତାରୁ ସରକାରର ହାତଟେକା ଉପରେ ଆସ୍ଥା ରଖିଛନ୍ତି ।

ଏହାକୁ ସେମାନଙ୍କ ସରକାରଙ୍କ ଉପରେ ବିଶ୍ୱାସ କୁହାଯାଇପାରେ ନା ସେମାନଙ୍କର ଅଜ୍ଞତାର ନିଦର୍ଶନ କୁହାଯାଇପାରେ ? ଏମିତି ଏକ ତଥାକଥିତ ଗଣତନ୍ତ୍ରରେ ଯେତେଦିନ ଏଇ ଗରିବ ଜନତା କେବଳ ଭୋଟର ହୋଇ ରହିଥିବେ, ସେତେଦିନ ଯାଏ “ ମାଇବାପ’ ସରକାରର ଛବି ଆହୁରି ଦୃଢ଼ତର ହୋଇ ଚାଲିଥିବ। ଯେତେଦିନ ଯାଏ ସେମାନେ ନିଜର ଅଧିକାର ବାବଦରେ ସଚେତନ ହେବେ ନାହିଁ ଏବଂ ନିଜକୁ ନାଗରିକ ଭାବେ ଉପସ୍ଥାପନ କରି ଆହ୍ୱାନ ଉଠାଇବେ ନାହିଁ, ସେତେଦିନ ଯାଏ ଏ ଗଣତନ୍ତ୍ର କେବଳ ଏକ ସ୍ୱୈରତନ୍ତ୍ର ହୋଇ ରହିଥିବ।

ଡ. ଦିଲ୍ଲୀପ କୁମାର ପଣ୍ଡା। ଅର୍ଥନୀତିଜ୍ଞ, ସମ୍ବଲପୁର

ଆହୁରି ପଢ଼ନ୍ତୁ

୩ ବର୍ଷ ହେଲା ପଡୋଶୀ ଘରେ କଟୁଛି ଜୀବନ

ନିଜ ଖର୍ଚ୍ଚରେ ଶିକ୍ଷକ ଶିକ୍ଷୟିତ୍ରୀ ତିଆରି କରୁଛନ୍ତି ପାଠ୍ୟ ଉପକରଣ

ପଞ୍ଚକ ଭାଇ ଭଉଣୀଙ୍କ କାହାଣୀ: ଏକାଠି ଜନ୍ମ ହେଇଥିଲେ ଏବେ ଏକାଠି କରୁଛନ୍ତି ବିବାହ

ଜହ୍ନରେ ମିଳିଲା ପାଣିର ସନ୍ଧାନ

ଗଞ୍ଜାମ ଭଞ୍ଜନଗରରେ ଆଉ ଜଣେ ‘ବାବା କା ଢାବା’ର କାହାଣୀ

କୋଟିଏରୁ ଅଧିକ ଟଙ୍କାରେ ସଜ୍ଜିତ ହୋଇଛନ୍ତି ପରମେଶ୍ୱରୀ ଦେବୀ

ବୁଲା କୁକୁରଙ୍କ ପ୍ରେମରେ ବନ୍ଧା ସସ୍ମିତା

ରାସ୍ତା କଡର ମଣିଷଙ୍କୁ ଖିଅର କରୁଛନ୍ତି, ଗାଧୋଇ ଦେଉଛନ୍ତି ଶିକ୍ଷିତ ଯୁବଗୋଷ୍ଠୀ

ଆଇସ୍‌କ୍ରିମ୍‌ କାଠିରେ ତିଆରି ହେଇଛି ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ପାନ ଦୋକାନୀଙ୍କ ପୁଅ ହେବେ ବୈଜ୍ଞାନିକ

ଉତ୍ତର କୋରିଆ ଜେଲ୍‌ରେ ଏମିତି ଦଣ୍ଡ ପାଆନ୍ତି କଏଦି

ଦିଆସିଲି କାଠିରେ ଯୁବକ ତିଆରି କଲେ କାଳିଆ ମୂର୍ତ୍ତି

You might also like