ଜୀବନରେ ଚ୍ୟାଲେଞ୍ଜ ନଥିଲେ, ଜୀବନରେ ମଜା କିଛି ନାହିଁ

ନା ହାତ ଅଛି, ନା ଗୋଡ଼। ତଥାପି ହାର ମାନି ନାହାନ୍ତି, ଗୁଡ଼ ଚାଷୀଙ୍କୁ ସାହାଯ୍ୟ କରିବାକୁ ସ୍ୱତନ୍ତ୍ର ଆପ ତିଆରି କଲେ ଅନନ୍ତ

  • ସକ୍ଷମ ଭିନ୍ନକ୍ଷମ ଅନନ୍ତ ବୈଶ୍ୟ ଚାଷୀଙ୍କ ପାଇଁ ତିଆରି କଲେ ସ୍ୱତନ୍ତ୍ର ଆପ୍ 
  • ନାକ ଦ୍ୱାରା ମୋବାଇଲ୍ ଫୋନ୍ ଏବଂ ଗୋଟିଏ ଅଙ୍ଗୁଳିରେ ଲାପଟପ୍ ଚଳାଉଛନ୍ତି
  • AKTUର ଟପ୍ -6  ଆପରେ ସ୍ଥାନ ପାଇଛି ଏହି ଆପ୍

କାନପୁର: ଜୀବନରେ ଚ୍ୟାଲେଞ୍ଜ ନଥିଲେ, ଜୀବନରେ କିଛି ମଜା ନାହିଁ। ଅସୁବିଧା କାହା ଜୀବନରେ ନାହିଁ ? ଜୀବନଟା ସମସ୍ତଙ୍କ ପାଇଁ ସମସ୍ୟା ବହୁଳ। ହେଲେ  ଅଦ୍ୟମ ଚେଷ୍ଟା ଓ ଆତ୍ମବିଶ୍ୱାସ ବଳରେ ଜଣେ ନିଜର ସ୍ୱପ୍ନ ପୂରଣ କରିବା ଅସମ୍ଭବ ନୁହେଁ। ହାର ନମାନି ନିରନ୍ତର ଚେଷ୍ଟା ମଣିଷକୁ ଯେକୌଣସି କଠିନ କାମରେ ସଫଳତା ପ୍ରଦାନ କରେ।  କାନପୁରର ଭିନ୍ନକ୍ଷମ ଯୁବକ ଅନନ୍ତ ବୈଶ୍ୟ ଏହାକୁ ସତ ପ୍ରମାଣିତ କରିଛନ୍ତି। ଦିବ୍ୟାଙ୍ଗ ହୋଇ ମଧ୍ୟ ସଫ୍ଟୱେୟାର ଡେଭେଲପର ହୋଇ ଜଣେ କୁଶଳୀ ଉଦ୍ୟୋଗୀ ହେବାର ସ୍ୱପ୍ନ ଦେଖୁଛନ୍ତି।

କାନପୁରର ଦିବ୍ୟାଙ୍ଗ ଯୁବକ ଅନନ୍ତ ବୈଶ୍ୟ। ହାତ ନାହିଁ କି ଗୋଡ଼ ନାହିଁ। ଅନନ୍ତ ଜନ୍ମରୁ ଦିବ୍ୟାଙ୍ଗ। ଦୁଇ ହାତରେ କିଛି ବି ଧରି ପାରନ୍ତି ନାହିଁ।ନିଜେ ଚାଲିବା ପାଇଁ ମଧ୍ୟ ଅକ୍ଷମ। ଦୈନନ୍ଦିନ କାମ ପାଇଁ ପରିବାର ଓ ସାଙ୍ଗସାଥୀ ଉପରେ ନିର୍ଭରଶୀଳ। ଏସବୁ ସତ୍ତ୍ୱେ ସେ କେବେ ହାରିଯାଇ ନାହାନ୍ତି। ଜଣେ ସଫ୍ଟୱେୟାର ଡେଭେଲପର ହୋଇ ଲୋକଙ୍କ ସମସ୍ୟା ଦୂର କରିବାକୁ ଚାହାନ୍ତି। ନିଜ ଶାରୀରିକ ଅକ୍ଷମତାକୁ ଚ୍ୟାଲେଞ୍ଜ କରି ସେ ଆଗକୁ ବଢିବାକୁ ଚାହାନ୍ତି। ଆଉ ତାଙ୍କର ସେ‌ଏହି ଅଧାଗଢ଼ା ସ୍ୱପ୍ନରେ ଏବେ ଡେଣା ଲାଗିଛି।

ଆଖୁ ଚାଷ କରୁଥିବା କୃଷକଙ୍କ ସଠିକ ମୂଲ୍ୟ ମିଳିପାରୁ ନଥିବା ଜାଣି, ସେ ଏକ ଆପ୍ ତିଆରି କରିଛନ୍ତି। ଗୋଟିଏ ବଜାର ନଥିବାରୁ କୃଷକ କମ ଦାମରେ ଗୁଡ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି। ତେବେ ସେ ତିଆରି କରିଥିବା ଆପ୍ ସାହାଯ୍ୟରେ ସିଧାସଳଖ କୃଷକଙ୍କ ସହ ଯୋଗାଯୋଗ କରିପାରିବ ବ୍ୟବସାୟୀ। ଫଳରେ ଭଲ ଦୁଇ ପଇସା ରୋଜଗାର କରିପାରିବେ ଆଖୁ ଚାଷୀ। ତେବେ ଏଥିପାଇଁ ଆପରେ ପ୍ରଥମେ କୃଷକଙ୍କୁ ନିଜ ନାମ ଓ ଠିକଣା ସମ୍ପର୍କିତ ତଥ୍ୟ ଦେଇ ରେଜିଷ୍ଟ୍ରେସନ୍ କରିବାକୁ ପଡ଼ିବ। ଆଉ ତା’ପରେ ଗୁଡର ଦାମ ନିର୍ଦ୍ଧାରିତ କରିବେ। କେବଳ ଏତିକି ନୁହେଁ କୃଷକମାନେ ନିଜେ ନିଜ ସାମଗ୍ରୀର ମାର୍କେଟିଙ୍ଗ ମଧ୍ୟ କରିପାରିବେ।

ଦିବ୍ୟାଙ୍ଗ ଯୁବକ ଅନନ୍ତ ବୈଶ୍ୟ ନାକରେ ମୋବାଇଲ ଚଳାଉଥିବାର ଦୃଶ୍ୟ

ନାକ ଦ୍ୱାରା ମୋବାଇଲ୍ ଅପରେଟ୍ ଓ ଅଙ୍ଗୁଳି ସାହାଯ୍ୟରେ ଲାପଟପ୍ ଚଳାଉଥିବା ଅନନ୍ତଙ୍କ ସ୍ୱପ୍ନ ବହୁତ ବଡ଼। ଏହି ଉଚ୍ଛାଭିଳାସୀ ଯୁବକ ଜଣକ ଆଗକୁ ଆଗେଇବା ପାଇଁ ଗୋଟିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ି, ଆଗକୁ ଆଗେଇବା ଆରମ୍ଭ କରିଛନ୍ତି।ନିଜକୁ ସକ୍ଷମ ମଣି କୃଷକଙ୍କ ପାଇଁ ଏକ ସ୍ୱତନ୍ତ୍ର ଆପ୍ ତିଆରି କରିଛନ୍ତି,ଯାହା ଏକେଟିୟୁ ଟପ-୬ରେ ସ୍ଥାନ ମିଳିଛି। ୱାନ ଡିଷ୍ଟ୍ରିକ୍ଟ ୱାନ ପ୍ରୋଜେକ୍ଟରେ ହେବାକୁଥିବା ପ୍ରତିଯୋଗିତା ପାଇଁ ସେ ଆପ୍ ତିଆରି କରୁଛନ୍ତି।

ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରୋଜେକ୍ଟ ଯୋଜନା ଅନୁସାରେ ଏକେଟିୟୁ ସମସ୍ତ ଟେକ୍ନିକାଲ୍ ସଂସ୍ଥାକୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଇଡ଼ିଆ ମାଗିଥିଲା କାନପୁର ପ୍ରଶାସନ। ଏହି ପ୍ରତିଯୋଗିତାରେ୧୫୭ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଚୟନ ହୋଇଥିବା ପ୍ରତିଯୋଗୀଙ୍କ ମଧ୍ୟରେ ଟପ୍-୬ ସ୍ଥାନ ପାଇଛନ୍ତି କାନପୁରର ଅନନ୍ତ ବୈଶ୍ୟ। ଡଃ ଆମ୍ବେଦକର ଇନ୍ସଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫର୍ ହ୍ୟାଣ୍ଡିକ୍ୟାପ୍ କଲେଜରେ ବିଟେକ୍ ଦ୍ୱିତୀୟ ବର୍ଷ ଛାତ୍ର ଅନନ୍ତ।

ତେବ ସେ ତିଆରି କରିଥିବା ଆପର ପ୍ରୋଟୋଟାଇପ୍ ଡେଭେଲପ୍ କରିବାକୁ ଏକେଟିୟୁ ପକ୍ଷରୁ ତାଙ୍କୁ ୧୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ଅନନ୍ତ ନିଜ ମେଣ୍ଟରଙ୍କ ସାହାଯ୍ୟରେ ପ୍ରୋଟୋଟାଇପ ତିଆରି କରୁଛନ୍ତି। ଅନନ୍ତଙ୍କ ଏହି ଉପଲବ୍ଧି ପାଇଁ ତାଙ୍କ କଲେଜର ଅଧ୍ୟାପକ ବହୁତ ଖୁସି ଥିବା କଥା ପ୍ରକାଶ କରିଛନ୍ତି।

You might also like