ଅମୃତଭଣ୍ଡା ଓ ସଜନାଗଛ ଅର୍ଥନୀତି

ଅମରେଶ ବିଶ୍ୱାଳ

କରୋନା ପରେ ସମଗ୍ର ବିଶ୍ୱର ଅର୍ଥନୀତି ଭାଙ୍ଗିପଡ଼ିବ। ଆମକୁ ଏବେ କିଛି ଜଣାପଡୁନି। କିଛିଦିନ ପରେ ଏହାର ଅନୁଭବ ଆପଣ କରିପାରିବେ। କିନ୍ତୁ ଦିନ ଥିଲା ଓଡ଼ିଶାର ଅର୍ଥନୀତି ବିଶ୍ୱ ଦ୍ୱାରା ଆଦୌ ପ୍ରଭାବିତ ହେଉନଥିଲା। କେମିତି ଆମ ଅର୍ଥନୀତିର ଦିଗ ବଦଳେଇ ଆମକୁ ଏକ ଭୟଙ୍କର ଛକରେ ଠିଆ କରାଯାଇଛି, ସେ ସଂପର୍କରେ ଅମରେଶ ବିଶ୍ୱାଳଙ୍କ ବିଶ୍ଳେଷଣ ପଢନ୍ତୁ

ବିଗତ ଦିନରେ ଯେତେ ବିପତ୍ତି ଆସିଥିଲେ ମଧ୍ୟ, ଓଡ଼ିଶା ଓ ଆନ୍ଧ୍ର ପରି କୃଷିପ୍ରଧାନ ରାଜ୍ୟ ଗୁଡ଼ିକର ଅର୍ଥନୀତି କେବେ ପ୍ରଭାବିତ ହେଉନଥିଲା। ଏହାର ମୁଖ୍ୟ କାରଣ ହେଲା, ପୂର୍ବରୁ ଆମମାନଙ୍କର ଅଧିକାଂଶ ଦୈନନ୍ଦିନ ଆବଶ୍ୟକତା ‘ବଜାର-କୈନ୍ଦ୍ରିକ’ ନଥିଲା। ଯାହାକିଛି ଆବଶ୍ୟକତା ଥିଲା, ତାହା ଆମେ ନିଜେ, ନିଜ ଘରର ଭାଡ଼ି, ବିଲ, ବାଡ଼ି ବଗିଚାରୁ ମେଣ୍ଟାଇ ପାରୁଥିଲୁ। ବର୍ଷବର୍ଷ ଧରି ବ୍ୟବସ୍ଥାକୁ ସେମିତି ତିଆରି କରାଯାଇଥିଲା।

ମୋର ମନେ ଅଛି, ଆମେ ଯେତେବେଳେ ପିଲା ହେଇଥିଲୁ, ଆମର କିମ୍ବା ଆମ ସାହିରେ କୌଣସି ଘରକୁ ବଜାରରୁ ପରିବା ଆସୁନଥିଲା। ବଜାର ଉପରେ ନିର୍ଭର କରିବାକୁ ପଡୁଥିଲା ତେଲ, ଲୁଣ ଏବଂ ଆଉକିଛି ଗ୍ରୋସରି ପାଇଁ, ତାହା ମଧ୍ୟ ଖୁବ୍ ଅଳ୍ପ। ଆଳୁ ଓ ପିଆଜ ମଧ୍ୟ ଆସୁଥିଲା, କିନ୍ତୁ ସବୁବେଳେ ନୁହେଁ। ତାହା ବି କିଛି କିଛି ବାଡ଼ିରୁ ମିଳି ଯାଉଥିଲା। ସମସ୍ତଙ୍କ ବାଡ଼ିରେ ଥିବା ଗୋଟିଏ ଲେଖାଁ ଅମୃତଭଣ୍ଡା, ସଜନା, ଲେମ୍ବୁ, କମଳା, କୋଳିଗଛ ଏବଂ ଶାଗ, କଖାରୁ ଓ ବାରମାସୀ ସିମ୍ବ ଲଟା, କାକୁଡ଼ି ଓ ଲଟାଜହ୍ନି ଆମର ପରିବା ଅଭାବ ମେଣ୍ଟାଉଥିଲା।

ଏସବୁ ଆଲୋଚନା କରିବାର ଆବଶ୍ୟକତା ହେଲା, ଏବେ ଯେଉଁ କରୋନା ସ୍ଥିତି ଦେଖାଦେଇଛି, ଏହାପରେ ଭୟଙ୍କର ଆର୍ଥିକ ସମସ୍ୟା ଦେଖାଦେବ ବୋଲି ଆଶଂକା କରାଯାଉଛି। ବିଶ୍ୱ ଓ ଜାତୀୟ ଅର୍ଥନୀତି ୨୦ ବର୍ଷ ତଳକୁ ଚାଲିଗଲା ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି। ‘ଅର୍ଥନୈତିକ ଜରୁରିକାଳୀନ ସ୍ଥିତି’ ପରି ଅବସ୍ଥା। ଏହାପରେ କଳ କାରଖାନା ଚାଲିଲେ ବି ସେମାନଙ୍କ ‘ଉତ୍ପାଦ’ ବା ପ୍ରଡକ୍ଟକୁ କିଏ କିଣିବ? ସାରା ବିଶ୍ୱ ତ ପ୍ରଭାବିତ। ଶିଳ୍ପାଞ୍ଚଳ ଶ୍ରମିକ ମଧ୍ୟ କୋଉଠୁ ଆସିବେ? ଏଭଳି ସ୍ଥିତିରେ କମ୍ପାନୀମାନଙ୍କ ପାଖରେ ବିକଳ୍ପ ହେଲା, ଛଟେଇ ନହେଲେ ଦରମା କାଟ୍। ନହେଲେ ସଂପୂର୍ଣ୍ଣ ବନ୍ଦ।

ଉଦାହରଣ ସ୍ୱରୂପ, ଗୁଜରାଟ ରାଜ୍ୟକୁ ନିଆଯାଉ। ସେଠି ଆନୁମାନିକ ସାଢ଼େ ୭ ଲକ୍ଷ ଶିଳ୍ପ ଶ୍ରମିକ ବିଭିନ୍ନ ରାଜ୍ୟରୁ ଯାଇ କାମ କରି ସେଠାକାର କାରଖାନା ସବୁକୁ ଚଲାଉଥିଲେ। ଏବେ ସେମାନେ ନିଜ ନିଜ ରାଜ୍ୟକୁ ଫେରି ଆସିଲେଣି। ଆଗାମୀ ୨ ବର୍ଷ ଭିତରେ ସେମାନେ ସେଠିକୁ ଫେରିବାର ଚାନ୍ସ ନାହିଁ। ତେଣୁ ପ୍ରଶ୍ନ ଉଠୁଚି, ସେ ସବୁ କାରଖାନା ଚାଲିବ କେମିତି? ଏପଟେ ଯେଉଁମାନେ ସେଠିକା ଶିଳ୍ପରେ ଖଟି କିଛି ରୋଜଗାର କରୁଥିଲେ, ସେମାନେ ଗାଁରେ ରହି କରିବେ କ’ଣ? ଆପଣ କରିପାରନ୍ତି, ସେମାନେ ଗାଁରେ ରହି ଚାଷବାସ କରିବେ। ଆମ ଓଡ଼ିଶା ପୁଣି ହସିଉଠିବ, ପୂରି ଉଠିବ। ହଉ, ଆପଣଙ୍କ କଥାକୁ ତର୍ଜମା କରାଯାଉ।

ଏବେ ଆଉ ସ୍ଥିତି ସେମିତି ନାହିଁ। ବର୍ତ୍ତମାନର ସରକାର ଆମ ଓଡ଼ିଶାର ପାରମ୍ପାରିକ ଅର୍ଥନୀତିର ମେରୁଦଣ୍ଡକୁ ଭାଙ୍ଗି ଦେଇଛନ୍ତି। ଲୋକଙ୍କୁ ଟଙ୍କିକିଆ ଚାଉଳ ଓ ମାଗଣା ଭତ୍ତା ଦେଇ ଦେଇ କର୍ମକୋଢ଼ିଆ କରିଦେଇଛନ୍ତି। ଲୋକେ ଆଉ କାମ କରିବାକୁ ରାଜି ନୁହେଁ, ବରଂ ସେମାନେ ଜାଣି ସାରିଛନ୍ତି, ଏ ସରକାର ସେମାନଙ୍କୁ ସବୁ ମାଗଣା ଦେବାକୁ ବାଧ୍ୟ। ହେଉ, ଯଦିବି ଆପଣଙ୍କ କଥା ଅନୁଯାୟୀ, ଏବେ ସୁରତ ଫେରନ୍ତା ଭାଇମାନେ ଚାଷ କରିବାକୁ ବାହାରିବେ, ତେବେ ସେମାନେ ଜାଣିବାକୁ ପାଇବେ ଯେ, ତାଙ୍କର ଆଉ ସେ ପୂର୍ବ ସାଜସରଂଜାମ ନାହିଁ। ଅର୍ଥାତ, ହଳ ଲଙ୍ଗଳ ଓ ବଳଦ ତ ନାହିଁ, ଆମ ସମାଜରେ ଓ ସରକାରରେ, ଚାଷକୁ ନେଇ ଯେଉଁ ସୁନ୍ଦର ଓ ଗର୍ବିତ ବ୍ୟବସ୍ଥା ଥିଲା, ତାହା ମଧ୍ୟ ଆଉ ନାହିଁ। ଅର୍ଥାତ ଚାଷ କରିବା ଏବେ ଏକ ପଛୁଆ ଲୋକର କାମ, ନିମ୍ନଋଚିର ଲୋକଟିଏ ଏହାକୁ କରେ, ଯାହାର କୌଣସି ଅନ୍ୟ କାମ ନାହିଁ, ବା ପାଠ ପଢିଲା ନାହିଁ, ଦୋକାନ କରିପାରିଲା ନାହିଁ, କଣ୍ଟ୍ରାକ୍ଟି କରିପାରିଲା ନାହିଁ, ରାଜନୀତି କରିପାରିଲା ନାହିଁ, ସେ ହିଁ ବାଧ୍ୟରେ ଚାଷ କରୁଥିବ, ଆଡଜଷ୍ଟମେଣ୍ଟ ପାଇଁ। ଚାଷ ଆଉ ଏକ ମୁଖ୍ୟ କର୍ମ ନାହିଁ, ଏହା ସାଇଡ୍ ଆର୍ଟିଷ୍ଟ ପରି।

ଆପଣ କହିପାରିବେ କି, ସୁରତ ଓ ପଶ୍ଚିମବଙ୍ଗରୁ ଫେରିଥିବା ଆମ ଭାଇମାନେ ଗାଁରେ ଆଉ ଚାଷବାସ କରିପାରିବେ? ଯଦିବି କରିବେ, ଆମ ସରକାରୀ ବ୍ୟବସ୍ଥାରେ ଆଉ ଚାଷକୁ ପ୍ରୋତ୍ସାହନ ଦେଲାଭଳି କିଛି ନାହିଁ। ଶିଳ୍ପ ପାଇଁ ଷ୍ଟାର୍ଟଅପ୍ ଅଛି, କୃଷି ପାଇଁ ନାହିଁ। ବାର୍ଦ୍ଧକ୍ୟ, ବିଧବା, ସ୍ୱାମୀ ପରିତ୍ୟକ୍ତା, ବେକାରୀ, ଏମିତି କେତେକେତେ ଭତ୍ତା ଅଛି। ମେଡିକାଲରେ ପିଲା ଜନ୍ମ କଲେ କିମ୍ବା ଝିଅ ଜନ୍ମ କଲେ ସରକାର ଟଙ୍କା ଦେଉଛନ୍ତି। କିନ୍ତୁ ଚାଷୀଭତ୍ତା ନାହିଁ। ଚାଷ ଯିଏ କଲା ସେ ତା ନିଜ ରିସ୍କରେ ପାପଟିଏ କଲା।

ପ୍ରତି ମାଆ ଏବେବି ଗାଁ ଗାଉଁଲିରେ ତା ପିଲାକୁ ଡରଉଛି, ‘ଯଦି ତୁ ପାଠ ନପଢ଼ିବୁ ତେବେ ଚାଷ କରିବୁ।’ ପିଲାଟି ଡରି ମରି ଭାବୁଛି, ‘ଚାଷ କରିବା ଏକ ଖରାପ ଓ ପାପ କର୍ମ ବୋଧହୁଏ।’ ତେଣୁ ସେ ଚାଷକୁ ଘୃଣା କରି କରି ବଡ଼ ହେଲା। କିନ୍ତୁ ଜୀବନସାରା ଚାଷରୁ ଆସୁଥିବା ଫଳମୂଳ ଖାଇଖାଇ ସେ ବଡ଼ ହେଲା। ଯାହା ଆମ ବାଡ଼ି ବଗିଚାରେ ଥିଲା, ଆମେ ଦୈନିକ ସେଇଆକୁ ଖାଇକି ବଂଚୁଥିଲୁ, ଆମ ପିଲାମାନେ ପବ୍ଲିକ୍ ସ୍କୁଲରେ ଇଂଲିଶରେ ସେହି ପନିପରିବାର ନାଁ ଜାଣିଲେ। ଏବଂ ଜାଣିଲେ ଯେ, ଏସବୁ ଯିଏ ଫଳାଏ, ସେ ଗୋଟେ ସମାଜର ନିମ୍ନସ୍ତରର ମଣିଷ। କେବଳ ଗୀତ ଗାଇଲା ବେଳେ ଚାଷୀକୁ ଟେକିଟାକି ଥୁଅନ୍ତି ପ୍ରବଞ୍ଚକ କବିମାନେ। ‘ଜୟ ଯୱାନ ଜୟ କିଷାନ’ ସ୍ଲୋଗାନ ପୁରୁଣା ହେଇଗଲାଣି, ତାକୁ ଆଉ କେହି ବଦଳଉ ନାହାଁନ୍ତି। ଏପଟେ ସରକାର ମଧ୍ୟ ଶିଳ୍ପ ଶିଳ୍ପ ହେଇ ହେଇ ଏମିତି ହେଉଛନ୍ତି, ତାହା ଟିଭିରେ ଦେଖି, ପେପରରେ ପଢ଼ି, ପିଲାଟି ଭାବୁଛି, ଶିଳ୍ପ ହିଁ ମୁଖ୍ୟ କଥା, ଚାଷ ପାପକଥା।

ଆପଣ କହିପାରିବେ କି, ସୁରତ ଓ ପଶ୍ଚିମବଙ୍ଗରୁ ଫେରିଥିବା ଆମ ଭାଇମାନେ ଗାଁରେ ଆଉ ଚାଷବାସ କରିପାରିବେ? ଯଦିବି କରିବେ, ଆମ ସରକାରୀ ବ୍ୟବସ୍ଥାରେ ଆଉ ଚାଷକୁ ପ୍ରୋତ୍ସାହନ ଦେଲାଭଳି କିଛି ନାହିଁ। ଶିଳ୍ପ ପାଇଁ ଷ୍ଟାର୍ଟଅପ୍ ଅଛି, କୃଷି ପାଇଁ ନାହିଁ। ବାର୍ଦ୍ଧକ୍ୟ, ବିଧବା, ସ୍ୱାମୀ ପରିତ୍ୟକ୍ତା, ବେକାରୀ, ଏମିତି କେତେକେତେ ଭତ୍ତା ଅଛି। ମେଡିକାଲରେ ପିଲା ଜନ୍ମ କଲେ କିମ୍ବା ଝିଅ ଜନ୍ମ କଲେ ସରକାର ଟଙ୍କା ଦେଉଛନ୍ତି। କିନ୍ତୁ ଚାଷୀଭତ୍ତା ନାହିଁ। ଚାଷ ଯିଏ କଲା ସେ ତା ନିଜ ରିସ୍କରେ ପାପଟିଏ କଲା। ତା ଭିତରେ ପୁଣି ପାଣିପଞ୍ଚାୟତ, ସାରବଣ୍ଟନ, ବିହନବଣ୍ଟନ, ଏସବୁରେ ଦୁର୍ନୀତି ଓ ରାଜନୀତି। ସରକାର ଚାଷ କ୍ଷେତ୍ରକୁ ନେଇ କେବଳ ସଫଳତାର ସହ ରାଜନୀତି କରିପାରିଛନ୍ତି। ଚାଷ କିନ୍ତୁ ଯେଉଁଠି ସେଇଠି।

କିଛିଦିନ ଭିତରେ କରୋନା ସ୍ଥିତି ସୁଧୁରି ଯିବ। ତା ପରେ? କୋଟିକୋଟି ଟଙ୍କା ଲୋନ୍ କରି ସରକାର କେତେ ମାଗଣା ଭତ୍ତା ଦେବେ ଜଣାଯିବ। ଆଳୁ ଆଣିବେ ପଶ୍ଚିମବଙ୍ଗରୁ, ଅଣ୍ଡା ଆଉ ମାଛ ଆଣିବେ ଆନ୍ଧ୍ରରୁ। ଏ ସରକାର ଯିବା ପୂର୍ବରୁ ଓଡ଼ିଶାକୁ ବନ୍ଧା ପକେଇ ଦେଇ ଯିବ। ଉତ୍ପାଦନ ନାହିଁ, କେନ୍ଦ୍ରଠାରୁ ରାଜ୍ୟ ଯାଏଁ ଯୋଜନା ଏତେଯେ, ବର୍ଷଟିଏ ଘୋଷିଲେବି ପିଲାଏ ମନେରଖି ପାରିବେ ନାହିଁ, କୋଉଟା କାହା ପାଇଁ।

ଫୋନ୍- ୯୭୭୭୫୮୮୮୯୧

You might also like