କାନ୍ଥରେ ହୋଇଛି କଳାପଟା, ୨୦୦ ପିଲାଙ୍କୁ ମାଇକ୍ ସାହାଯ୍ୟରେ ପାଠ ପଢାଉଛନ୍ତି ଶିକ୍ଷକ
ନୂଆଦିଲ୍ଲୀ: ସାମାଜିକ ଦୂରତା ରଖି ଚାଲିଛି ପାଠପଢା। ଗୋଟେ କି ଦୁଇଟି ନୁହେଁ ଝାଡଖଣ୍ଡ ସ୍କୁଲ୍ରେ ୨୦୦ରୁ ଅଧିକ ପିଲାଙ୍କୁ ନିଆରା ଢଙ୍ଗରେ ପାଠ ପଢାହେଉଛି। କାନ୍ଥରେ କଳାପଟା ହୋଇଛି, ପିଲାମାନେ ପରସ୍ପରଠୁ ଦୂରତା ରଖି ବସୁଛନ୍ତି। ଦୂରରେ ଥାଇ ଶିକ୍ଷକ ମାଇକ୍ ମାଧ୍ୟମରେ କଥାବାର୍ତ୍ତା କରୁଛନ୍ତି। କରୋନା ମହାମାରୀ ସମୟରେ ଏମିତି ନିଆରା ଶୈଳୀରେ ପାଠ ପଠାଉଥିବାରୁ ଏହି ସ୍କୁଲ୍ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରଶଂସା କରିଛନ୍ତି ଉଦ୍ୟୋଗପତି ହର୍ଷ ଗୋଏଙ୍କା।
ଟୁଇଟ୍ କରି ହର୍ଷ ଲେଖିଛନ୍ତି, ଝାଡଖଣ୍ଡର ଏକ ବିଦ୍ୟାଳୟରେ କାନ୍ଥରେ କଳାପଟା କରାଯାଇଛି, ୨୦୦ରୁ ଅଧିକ ପିଲା ଏଠାରେ ପାଠ ପଢୁଛନ୍ତି। ଶିକ୍ଷକ ଦୂରରେ ମାଇକ୍ ଧରି ପିଲାଙ୍କୁ ପାଠ ପଢାଉଛନ୍ତି। ଏହା କରୋନା ମହମାରୀ ସମୟରେ ଶିକ୍ଷାଦାନର ବହୁତ ଭଲ ପଦ୍ଧତି। ଅତୁଳନୀୟ ଭାରତ।
ହର୍ଷଙ୍କ ଏହି ଟ୍ୱିଟ୍କୁ ୩ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି। ୫୦୦ ରୁ ଅଧିକ ରି-ଟ୍ୱିଟ୍ ମିଳିଛି। କିଛି ଟ୍ୱିଟର ବ୍ୟବହାରକାରୀ ଏଥିରେ ନିଜର ପ୍ରତିକ୍ରିୟା ଦେଇ ଲେଖିଛନ୍ତି, କରୋନା ମହାମାରୀ ସମୟରେ ମଧ୍ୟ ଏଠାରେ ପାଠପଢାରେ ଅବହେଳା ହୋଇନଥିବାରୁ ଏଠାକାର ଶିକ୍ଷକଙ୍କୁ ଧନ୍ୟବାଦ। କିଛି ଲୋକ ଏମିତି ନିଆରା ପଦ୍ଧତିରେ ପାଠ ପଢାଉଥିବାରୁ ଏଠାକାର ଶିକ୍ଷକ ମାନଙ୍କୁ ସମ୍ମାନୀତ କରିବା ଆବଶ୍ୟକ ବୋଲି କହିଛନ୍ତି।
In a village in Jharkhand, blackboards have been placed with social distancing where students write their lessons and the teacher uses a loudspeaker to teach them. 200 students are taught in this special class.
Amazing initiative in our incredible India! pic.twitter.com/OJH4JPRMkd— Harsh Goenka (@hvgoenka) October 5, 2020
ତେବେ ଏହି ସ୍କୁଲ୍ର ଜଣେ ଶିକ୍ଷକଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ସମୟରେ ପିଲାମାନଙ୍କ ପାଠପଢାରେ ବାଧା ଦେଖାଦେଇଛି। ଲକ୍ଡାଉନ୍ ସମୟରେ ସରକାର ଅନ୍ଲାଇନ୍ ଶିକ୍ଷା ପାଇଁ କହିଲେ। କିନ୍ତୁ ଡୁମ୍କା ଡୁମରଥର ଗ୍ରାମରେ ଥିବା ଏହି ସରକାରୀ ବିଦ୍ୟାଳୟରେ ପଢୁଥିବା ପ୍ରାୟ ପିଲାମାନଙ୍କ ପାଖରେ ସ୍ମାର୍ଟଫୋନ୍ର ସୁବିଧା ନାହିଁ। ତେଣୁ ଆମେ ଏଠାରେ ‘ଶିକ୍ଷା ଆପ୍ନେ ଦ୍ୱାର୍’ ଅର୍ଥାତ୍ ଶିକ୍ଷା ନିଜ ଦୁଆରେ ଆରମ୍ଭ କରିଥିଲୁ। ଏହାଦ୍ୱାରା ଶିକ୍ଷାର୍ଥୀ ମାନେ ସେମାନଙ୍କ ଦୁଆରେ ସୁବିଧାର ସହ ପାଠ ପଢି ପାରୁଛନ୍ତି। ପିଲାମାନଙ୍କୁ ପାଠ ପଢାଇବା ପାଇଁ କାନ୍ଥରେ ୧୦୦ରୁ ଅଧିକ କଳାପଟା ତିଆରି ହୋଇଛି।