ବିନା ଫିଙ୍ଗରପ୍ରିଣ୍ଟରେ ଷ୍ଟାର୍ଟ ହେବନି ଗାଡ଼ି, ଯାନବାହାନ ଚୋରି ରୋକିବାକୁ ବିନୟ ତିଆରି କଲେ ସ୍ୱତନ୍ତ୍ର ଡିଭାଇସ୍

ମାଲିକଙ୍କ ବିନା ଅନୁମତିରେ ଗାଡ଼ି ଛୁଇଁଲେ ମୋବାଇଲକୁ ଚାଲିଯିବ ମେସେଜ୍, ତୁରନ୍ତ ଧରାପଡ଼ିଯିବ ଚୋର

ଭୋପାଳ : ଇଚ୍ଛା ଶକ୍ତି ଆଗରେ ବୟସ ବାଧକ ସାଜେନି । କଠିନ ପରିଶ୍ରମ ଦ୍ୱାରା ଅସମ୍ଭବ ବି ସମ୍ଭବ ହୋଇପାରେ । କିଛି ଭିନ୍ନ କରିବାର ମନୋବୃତ୍ତି ସଫଳତା ସାଉଣ୍ଟିବାରେ ସହାୟକ ହୁଏ ।  ଆଉ ଏପରି କିଛି କରି ଅଳ୍ପ ବୟସରେ କମାଲ କରିଛନ୍ତି ମଧ୍ୟପ୍ରଦେଶର ୧୬ ବର୍ଷୀୟ ଛାତ୍ର । ବିଭିନ୍ନ ସ୍ଥାନରେ ଗାଡ଼ି ଚୋରି ବଢ଼ୁଥିବାରୁ ଏହାକୁ ରୋକିବା ପାଇଁ ବିନୟ ଜୟସୁଆଲ୍ ତିଆରି କରିଛନ୍ତି ସ୍ୱତନ୍ତ୍ର ଡିଭାଇସ୍ ।

କାର ଚୋରି ରୋକିବ ବିନୟଙ୍କ ସ୍ୱତନ୍ତ୍ର ଡିଭାଇସ୍ । ମାଲିକଙ୍କ ଫିଙ୍ଗରପ୍ରିଣ୍ଟ ନେଲେ ହିଁ ଗାଡ଼ି ଚାଲିବ । କାର ଷ୍ଟାର୍ଟ କରିବା ପୂର୍ବରୁ ଫିଙ୍ଗରପ୍ରିଣ୍ଟ ରେଜିଷ୍ଟର କରିବାକୁ ପଡ଼ିବ । ପିଙ୍ଗରପ୍ରିଣ୍ଟ ରେଜିଷ୍ଟର ହୋଇ ନଥିଲେ ଗାଡ଼ି ଷ୍ଟାର୍ଟ କରିହେବ ନାହିଁ । ତେବେ ଆଜିକାଲିର ମହଙ୍ଗା ଯୁଗରେ ମାତ୍ର ୩୦୦୦ ଟଙ୍କା ଦେଇ ଏହି ଡିଭାଇସ୍ କିଣିପାରିବେ ଓ ନିଜ ଗାଡ଼ିକୁ ଚୋରି ହେବାରୁ ରକ୍ଷାକରିପାରିବେ ।

ରାଜ୍ୟ ତଥା ଦେଶରେ ପ୍ରାୟ ସମୟରେ ଗାଡ଼ି ଚୋରି ହେବାର ଖବର ଆସୁଛି । ତେଣୁ ଦଶମ ପରୀକ୍ଷା ପାସ୍ କରି ପଲିଟେକନିକ ପଢ଼ୁଥିବା ବିନୟ ବଢ଼ୁଥିବା ଯାନବାହନ ଚୋରିକୁ ରୋକିବା କଥା ଚିନ୍ତା କରିଥିଲେ । ମୋବାଇଲ୍ ଫୋନ୍ ଯଦି ଫିଙ୍ଗରପ୍ରିଣ୍ଟରେ ଚାଲୁଛି, ଗାଡ଼ି କାହିଁକି ନୁହେଁ ବୋଲି ତାଙ୍କ ମୁଣ୍ଡକୁ ବୁଦ୍ଧି ଜୁଟିଥିଲା । ସବୁବେଳେ କିଛି ନୂଆ କରିବା ପାଇଁ ପ୍ରୟାସ କରୁଥିବା ବିନୟ ଇଂଟରନେଟରେ ଡିଭାଇସ୍ ତିଆରି କରିବା ପାଇଁ ସର୍ଚ୍ଚ କରିବା ଆରମ୍ଭ କରିଦେଲେ । ଅନେକ ଭିଡ଼ିଓ ଦେ‍ଖିବା ପରେ ଗାଡ଼ି ଚୋରି ରୋକିବାକୁ ଭିନ୍ନ ଭିନ୍ନ ଯନ୍ତ୍ରାଂଶ ଯୋଡ଼ି ନୂଆ ଡିଭାଇସ୍ ପ୍ରସ୍ତୁତ କରିଦେଲେ ।

ପ୍ରଥମେ ମୋଟରସାଇକଲରେ ଏହି ସ୍ୱତନ୍ତ୍ର ଡିଭାଇରସର ପ୍ରୟୋଗ କରାଯାଇଥିଲା । ପ୍ରୟୋଗ ସଫଳ ହେବାପରେ  ନିଜ ବାପାଙ୍କ କାରରେ ବିନୟ ଡିଭାଇସ୍ ଲଗାଇଥିଲେ । କାର ଷ୍ଟାର୍ଟ କରିବା ପାଇଁ ଚାବି ଲଗାଇ‍ବା ସହ ଡିଭାଇସର ଫିଙ୍ଗରପ୍ରିଣ୍ଟ୍ ଦେଲେ ହିଁ ଗାଡ଼ି ଷ୍ଟାର୍ଟ ହେଉଥିଲା । ଯେଉଁ ଲୋକଙ୍କର ଫିଙ୍ଗରପ୍ରିଣ୍ଟ ଡିଭାଇରସରେ ସେଭ କରାଯାଇ ନଥିବ, ସେ ଗାଡ଼ି ଷ୍ଟାର୍ଟ କରିପାରିବେ ନାହିଁ । ତେବେ ଆଗାମୀ ସମୟରେ ଲୋକଙ୍କ ନିକଟରେ ଏହି ଡିଭାଇସକୁ ଆଦୃତ କରାଇବା ଲାଗି ବିନୟ ଆଉ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

କେବଳ ଏତିକି ନୁହେଁ ତାର ସ୍ପାର୍କ କରି କେହି ଗାଡ଼ି ଷ୍ଟାର୍ଟ କରିବାକୁ ଚେଷ୍ଟା କଲେ ଗାଡ଼ି ମାଲିକଙ୍କ ମୋବାଇଲକୁ ତୁରନ୍ତ ମେସେଜ୍ ଚାଲିଯବ । ସାଧାରଣତଃ ବିଳାସପୂର୍ଣ୍ଣ ଗାଡ଼ି ଗୁଡ଼ିକରେ ଏପରି ଡିଭାଇସ ଲଗାଇ ଥାଆନ୍ତି ଗାଡ଼ି ମାଲିକ । ସାଧାରଣ ଗାଡ଼ିରେ ସମସ୍ତେ ଯେପରି ଏହି ଡିଭାଇସର ବ୍ୟବହାର କରିପାରିବେ ତାହାକୁ ଧ୍ୟାନରେ ରଖି ସ୍ପଳ୍ପ ମୂଲ୍ୟରେ  ଡିଭାଇସ ତିଆରି କରିଛନ୍ତି ବିନୟ । ଏହା ପୂର୍ବରୁ ସେ ଡ୍ରୋନ୍, ସ୍ୱୟଂଚାଳିତ ସାନିଟାଇଜ୍ ମେସିନ୍, ସ୍ୱୟଂଚାଳିତ ଡଷ୍ଟବିନ୍ ଆଦି ତିଆରି କରିସାରିଛନ୍ତି ।

You might also like