ଓ୍ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ କ୍ଷେପଣାସ୍ତ୍ର ମାଡ଼ରେ ହିଁ ଖସିଥିଲା ପାକିସ୍ତାନର F-16 ଜେଟ୍

ମିଗ୍-21ର ଶେଷ ରେଡିଓ ମେସେଜ ସ୍ପଷ୍ଟ କଲା

ନୂଆଦିଲ୍ଲୀ  : ଭାରତୀୟ ବାୟୁସେନାର ପ୍ରଚଣ୍ଡ ଆକ୍ରମଣରେ ଦୋହଲି ଯାଇଛି ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦର ଗଡ଼ ବାଲାକୋଟ୍। IAF ଏୟାର ଷ୍ଟ୍ରାଇକ୍‌ରେ କୌଣସି କ୍ଷତି ହୋଇନଥିବା ପାକିସ୍ତାନ ଦାବି କରୁଥିଲେ ମଧ୍ୟ ଜୈଶ୍‌-ମୁଖ୍ୟ ମାସୁଦ୍ ଆଝାରର ଭାଇ ମୌଲାନା ଅମାରର ଅଡିଓ ମେସେଜ୍ ଅସଲ ଗୁମର ଖୋଲିଛି।

ଭାରତର ହମ୍‌ଲାରେ ସଂଗଠନକୁ ବିପୁଳ କ୍ଷତି ହୋଇଥିବା ଅମାର ଅଡ଼ିଓ ଟେପ୍‌ରେ ଉଲ୍ଲେଖ କରିଛି। ଏକ ଇସ୍‌ଲାମୀ ରାଷ୍ଟ୍ର ଓ ଇସଲାମୀୟ ସ୍କୁଲ ଉପରେ ଆକ୍ରମଣ କରି ଭାରତ ଯୁଦ୍ଧ ଘୋଷଣା କରିଥିବା ଏଥିରେ କୁହାଯାଇଛି। ଏହାର ପ୍ରତିଶୋଧ ନେବା ପାଇଁ ମେସେଜ୍‌ରେ ନିଜ ସହଯୋଗୀଙ୍କୁ ଆହ୍ୱାନ ଦେଇଛି ଅମାର।

ଫ୍ରାନ୍ସରେ ରହୁଥିବା ଜଣେ ପାକିସ୍ତାନୀ ସାମ୍ବାଦିକ ଏହି ଅଡ଼ିଓ ମେସେଜ୍‌କୁ ଟୁଇଟ୍ କରିଛନ୍ତି। ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ଏହାର ବୈଧତା ଯାଞ୍ଚ କରୁଛନ୍ତି। ଏପଟେ ଓ୍ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ R-73  କ୍ଷେପଣାସ୍ତ୍ର ମାଡ଼ରେ ହିଁ ପାକିସ୍ତାନର F-16 ଧ୍ୱଂସ ପାଇଥିବା ରେଡ଼ିଓ ମେସେଜ୍‌ରୁ ସ୍ପଷ୍ଟ ହୋଇଛି।  ଅଭିନନ୍ଦନ R-73 ମିସାଇଲକୁ  F-୧୬ରେ ମାଡ଼ କରିବାକୁ ସିଲେକଟ କରିଥିବା ସେ ଉଡାଉ ଥିବା ମିଗ୍-୨୧ ବାଇସନର ଶେଷ ରେଡିଓ ମେସେଜ୍ ରହିଛି।

ସେପଟେ ପୁରୁଣା ମିଗ୍ -୨୧ରେ ଅତ୍ୟାଧୁନିକ F-16 ଲଢୁଆ ବିମାନକୁ ଖସାଇ ଦେବାରେ ସଫଳ ହୋଇଥିବାରୁ ବିଭିନ୍ନ ମହଲରୁ ଅଭିନନ୍ଦନଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବାୟୁସେନାର ପ୍ରଥମ ପାଇଲଟ୍ ଭାବେ ସେ ଏଭଳି କାରନାମା କରିଦେଖାଇଛନ୍ତି। ତେବେ ବିମାନରୁ ଡେଇଁବା ସହ ଶତ୍ରୁପକ୍ଷ କବ୍‌ଜାରେ ରହିଥିବା କାରଣରୁ ଏବେ ତାଙ୍କ ମାନସିକ ସ୍ଥିତି କଣ ରହିଛି ବାୟୁସେନା ତାର ଅନୁଧ୍ୟାନ କରୁଛି।

ଏଣେ ଆତଙ୍କବାଦ ବିପକ୍ଷରେ ଲଢେଇକୁ ନେଇ ବିରୋଧୀଙ୍କୁ ଜୋରଦାର ଢଙ୍ଗରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖାସ୍ କରି ବାଲାକୋଟ୍ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସେ କଂଗ୍ରେସ ଉପରେ ବର୍ଷିଛନ୍ତି। ସେ  ଆତଙ୍କବାଦକୁ ମୂଳପୋଛ କରିବାକୁ ଚାହାନ୍ତି। ତେବେ ବିରୋଧୀ କେବଳ ତାଙ୍କ ପତନ ଚାହାଁନ୍ତି ବୋଲି ପାଟନା ନିର୍ବାଚନୀ ସଭାରେ ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ।

ଏପଟେ ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କୁ ମୂଳପୋଛ୍ କରିବା ଲାଗି ସେନା ଅପରେସନ୍ ଜାରି ରଖିଛି। ହାଣ୍ଡଓ୍ୱାରାରେ ୩ ଦିନ ହେବ ଚାଲିଥିବା ଗୁଳି ବିନିମୟ ଶେଷ ହୋଇଛି। ଏଥିରେ ୨ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୫ ଯବାନ ସହିଦ ହୋଇଛନ୍ତି।

କିଛି ସାଧାରଣ ଲୋକଙ୍କ ଜୀବନ ବି ଯାଇଛି। ଏଣେ ସୀମାରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଙ୍ଘନ ଜାରି ରଖିବା ସହ ପ୍ରବଳ ଗୁଳିଗୋଳା ବର୍ଷଣ କରୁଛି। ଭାରତୀୟ ସୈନ୍ୟ ତାର ମୁହଁତୋଡ୍ ଜବାବ୍ ଦେଉଥିବା ବେଳେ ସେମାନଙ୍କ ସୁରକ୍ଷା ଲାଗି ଆଉ ୪ଶହ ବଙ୍କର ନିର୍ମାଣ ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

You might also like