କର୍ତ୍ତବ୍ୟନିଷ୍ଠ ଓ ସେବା ପରାୟଣ ଏହି ମଣିଷଙ୍କୁ ସାଲ୍ୟୁଟ୍

ଭଦ୍ରକ: ଦାୟିତ୍ୱ ଓ କର୍ତ୍ତବ୍ୟ ପାଇଁ ସେମାନେ ସର୍ବଦା ତତ୍ପର ଥାନ୍ତି। ଦିନ ହେଉ କି ରାତି, ଯେତେବେଳେ ଯେଉଁଠି ତାଙ୍କୁ ଖୋଜା ପଡ଼େ ସେମାନେ ଆସି ପାଖରେ ହାଜର ହୋଇଯାନ୍ତି। ଆମେ କହୁଛୁ, ଭଦ୍ରକ ପୁଲିସର ହୋମଗାର୍ଡ ବିଭାଗରେ କାର୍ଯ୍ୟରତ ପ୍ଲାଟୁନ କମାଣ୍ଡର ରମେଶ ଚନ୍ଦ୍ର ମହାନ୍ତିଙ୍କ କଥା। ଯିଏ ନିରବଚ୍ଛିନ୍ନ ଭାବେ ଜନସାଧାରଣଙ୍କ ସେବା କରି ଆସୁଛନ୍ତି।

ସେହିପରି ଆଉ ଜଣେ ନିଃସ୍ୱାର୍ଥପର ସେବକ ହେଲେ ବାଲେଶ୍ୱର ଜଳେଶ୍ୱର କୃଷନଗର ଗାଁର ଆଶା ଦିଦି ପୁଷ୍ପାଞ୍ଜଳି ଟୁଡୁ। ମାନବ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ପୁଷ୍ପାଞ୍ଜଳୀ ସ୍ଥାନୀୟ ଅଞ୍ଚଳରେ ମଦର ଟେରେସା ଭାବେ ପରିଚିତ। ନିସ୍ୱାର୍ଥପର ସେବା ପାଇଁ ନିକଟରେ ରାଜ୍ୟପାଳ ଉଭୟଙ୍କୁ ପୁରସ୍କୃତ କରିଛନ୍ତି।

 

ଏମିତିକା କର୍ତ୍ତବ୍ୟନିଷ୍ଠ ମଣିଷଟିଏ ରମେଶ

ଟ୍ରାଫିକ୍ ହେଉକି, ଜେଲ୍ କିମ୍ବା ଅଗ୍ନିଶମ ବିଭାଗ, ଯେତେବେଳେ ଯେଉଁ ଦାୟିତ୍ୱ ଦିଆଯାଇଛି, ତାକୁ ସୁଚାର ରୂପେ ତୁଲାଇଛନ୍ତି ରମେଶ ଚନ୍ଦ୍ର ମହାନ୍ତି। ପ୍ରାକୃତିକ ଦୁର୍ବିପାକ ସମୟରେ ବି ସାହସିକତାର ସହ ମୁକାବିଲା କରିଛନ୍ତି। ଦାୟିତ୍ୱ,କର୍ତ୍ତବ୍ୟ ଲାଗି ସବୁବେଳେ ତତ୍ପର ଭଦ୍ରକ ପୁଲିସର ହୋମଗାର୍ଡ ବିଭାଗରେ କାର୍ଯ୍ୟରତ ପ୍ଲାଟୁନ କମାଣ୍ଡର ରମେଶ।

କାର୍ଯ୍ୟ ଦକ୍ଷତା ଲାଗି ନିକଟରେ ତାଙ୍କୁ ଗଣତନ୍ତ୍ର ଦିବସରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରାଷ୍ଟ୍ରପତି ପଦକ ପ୍ରଦାନ କରିଛନ୍ତି। ଏନେଇ ପରିବାର ଓ ଗ୍ରାମବାସୀ ଓ ଭଦ୍ରକ ହୋମଗାର୍ଡ ବିଭାଗ ବେଶ୍‌ ଗର୍ବିତ।

୨୦୦୬ରେ ହୋମଗାର୍ଡ ଭାବେ ଯୋଗଦେଇ ଥିବା ରମେଶ କାର୍ଯ୍ୟନିଷ୍ଠା ଯୋଗୁ ସେ ୨୦୧୬ରେ ପ୍ଲାଟୁନ କମାଣ୍ଡର ପଦକୁ ଉନ୍ନୀତ ହୋଇଥିଲେ। ନିଷ୍ଠାପର ସେବା ଯୋଗୁ ତାଙ୍କୁ ଅନେକ ଥର ପୁରସ୍କୃତ କରାଯାଇଛି।

ବାଲେଶ୍ୱରର ଏଇ ମଦର ଟେରେସା ପୁଷ୍ପାଞ୍ଜଳି ଟୁଡୁ କେତେ ଦରଦୀ ସତେ !

ବାଲେଶ୍ୱରର ଜିଲ୍ଲାର ପୁଷ୍ପାଞ୍ଜଳିଙ୍କୁ ମଧ୍ୟ ତାଙ୍କ ନିଃସ୍ୱାର୍ଥପର ସେବା ପାଇଁ ଅନେକ ପ୍ରଂଶସା ଓ ପୁରସ୍କାର ମିଳିଛି। ଜଳେଶ୍ୱର କୃଷନଗର ଗାଁର ପୁଷ୍ପାଞ୍ଜଳୀଙ୍କୁ ଲୋକମାନେ ମଦର ଟେରେସା ବୋଲି କହିନ୍ତି।

୨୦୦୭ ମସିହାରେ ଆଶା କର୍ମୀ ଭାବେ ନିଯୁକ୍ତ ହୋଇଥିବା ପୁଷ୍ପାଞ୍ଜଳି ନିରବଚ୍ଛିନ୍ନ ଭାବେ ଗର୍ଭବତୀ ଓ ଶିଶୁଙ୍କ ଯତ୍ନ ନେଉଛନ୍ତି। ଠିକ୍ ସମୟରେ ପିଲାଙ୍କ ଟୀକାକରଣ ହେଉକି ରୋଗୀଙ୍କୁ ମେଡିକାଲ ନେବା ସବୁବେଳେ ସେ ନିଷ୍ଠାର ସହ କାର୍ଯ୍ୟ କରିଆସୁଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କୁଷ୍ଠ ରୋଗୀଙ୍କ ଦେଖାଶୁଣା କରିବା ସହ ଲୋକଙ୍କୁ ସତେଚନତ ମଧ୍ୟ କରିଥାନ୍ତି। ଖାସ୍ ଏଥିପାଇଁ ସେ ମଦର ଟେରେସା ନାଁରେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ତାଙ୍କର ଏ ନିଃସ୍ୱାର୍ଥପର ସେବା ପାଇଁ ନିକଟରେ ତାଙ୍କୁ ପୁରସ୍କୃତ କରିଛନ୍ତି ରାଜ୍ୟପାଳ।

ଅନେକ ସମୟରେ ବୟସ୍କମାନେ କହନ୍ତି ଦୁନିଆଁରେ ଭଲ ଲୋକ ନିଶ୍ଚିତ ଅଛନ୍ତି, ନହେଲେ ଦୁନିଆ ରୁହନ୍ତାନି। ଆଉ ଏହିଭଳି ଲୋକମାନଙ୍କୁ ଦେଖିଲେ ମନରେ ବିଶ୍ୱାସ ହୁଏ, ସତରେ ଦୁନିଆର ଭଲ ଲୋକ ଅଛନ୍ତି। ଦୁନିଆଯାକାର ଅପକର୍ମୀଙ୍କ ପାପ ଭାରକୁ ନିଜ କାନ୍ଧରେ ବୋହି ପୁଣ୍ୟ ବଳରେ ଏହିମାନେ ଦୁନିଆ ବାଣ୍ଟି ଚାଲିଛନ୍ତି ସ୍ନେହଁ ମମତା ଓ କର୍ତ୍ତବ୍ୟନିଷ୍ଠତାର ବାର୍ତ୍ତା।

You might also like