ଗୁଳିଠାରୁ ଅଧିକ ବେଗରେ ମାଡ଼ି ଆସୁଛି ଉଲ୍‌କାପିଣ୍ଡ; ପଡ଼ିବ କି ପୃଥିବୀ ପୃଷ୍ଠରେ ? ନାସା କହିଲା…

ନୂଆଦିଲ୍ଲୀ: ବର୍ଷ ୨୦୨୦ ପୃଥିବୀବାସୀଙ୍କ ପାଇଁ ବିପଦ ପରେ ବିପଦ ଆଣି ଦେଉଛି। କେତେବେଳେ ପାଗ ବିଗୁଡ଼ୁଛି ତ କେତେବେଳେ ଯୁଦ୍ଧ ପାଇଁ ପୋଡ଼ୋଶୀକୁ ନାଲି ଆଖି ଦେଖାଉଛି ପଡ଼ୋଶୀ। ସାରା ବିଶ୍ୱକୁ ଘାଣ୍ଟୁଛି କରୋନା। ପ୍ରତିଦିନ କୁଢ଼ କୁଢ଼ ଶବ ଯାଉଛି ମାଶାଣି। ଯୁଈର ଧୂଆଁରେ ଆକାଶ ବି ଆକ୍ତାମାକ୍ତା। ଏପରିସ୍ଥଳେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଶୁଣିଲେ ଚିନ୍ତା ଆହୁରି ବଢ଼ିଯାଉଛି।

ବର୍ଷ ଶେଷ ବେଳକୁ ପୃଥିବୀ ପୃଷ୍ଠ ଆଡ଼କୁ ମାଡ଼ି ଆସୁଛି ବିଶାଳ ଉଲ୍‌କାପିଣ୍ଡ। ଇଏ ଛୋଟମୋଟ ଉଲ୍‌କାପିଣ୍ଡ ନୁହେଁ, ବିଶ୍ୱର ସବୁଠାରୁ ଉଚ୍ଚା ବିଲ୍‌ଡିଂ ବୁର୍ଜ ଖଲିଫା ଟାୱାର ଭଳି ବଡ଼।

ନାସାର ସୂଚନା ଅନୁସାରେ, 153201 2000 WO107 ନାମକ ଏକ ବିଶାଳ ଉଲ୍‌କା ନଭେମ୍ବର ୨୯ ତାରିଖରେ ପୃଥିବୀ ପାଖ ଦେଇ ଗତି କରିବ। ୮୨୦ ମିଟର ସାଇଜ୍‌ର ଏହି ଉଲ୍‌କାପିଣ୍ଡଟି ବର୍ତ୍ତମାନ ଘଣ୍ଟାପ୍ରତି ୯୦ ହଜାର କିମି ବେଗରେ ମାଡ଼ିଆସୁଛି। ବୁର୍ଜ ଖଲିଫା ଉଚ୍ଚତା ୮୨୯ ମିଟର ହୋଇଥିବା ବେଳେ ଉଲ୍‌କାଟି ଏହାଠାରୁ ମାତ୍ର ୯ ମିଟର ଛୋଟ।

ଏହାର ଦ୍ରୁତ ଗତିକୁ ତୁଳନା କଲେ ଏକ ବନ୍ଧୁକର ଗୁଳି ଘଣ୍ଟାପ୍ରତି ସାଢ଼େ ୪ ହଜାର କିମି ଯାଇଥାଏ। କିନ୍ତୁ ଉଲ୍‌କାର ଗତି ଏହାଠାରୁ ବି ଅଧିକ। ଏତେ ତୀବ୍ର ବେଗର ଆସୁଥିବା ଉଲ୍‌କାଟି ଯଦି ପୃଥିବୀ ପୃଷ୍ଠରେ ପଡ଼େ ତେବେ ସ୍ଥିତି କେତେ ଭୟଙ୍କର ହେବ ତାହା ଅନୁମାନ କରନ୍ତୁ।

ଆସୁଥିବା ଉଲ୍‌କାପିଣ୍ଡକୁ ଦେଖି ମନରେ ନାନା ଆଶଙ୍କା ସୃଷ୍ଟି ହେବା ସ୍ୱାଭାବିକ। କିନ୍ତୁ ଏଥିପାଇଁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଉଲ୍‌କାପିଣ୍ଡଟି ପୃଥିବୀ ପୃଷ୍ଠରେ ପଡ଼ିବ ନାହିଁ। ଏହା ପୃଥିବୀ ପାଖ ଦେଇ ଗତି କରିବ ବୋଲି ନାସା କହିଛି। ଏଣୁ ଏହି ଉଲ୍‌କାପିଣ୍ଡଟିକୁ ନିୟର ଆର୍ଥ ଅବ୍‌ଜେକ୍ଟିଭ୍‌(ଏନ୍‌ଇଓ) କ୍ୟାଟେଗୋରୀରେ ସ୍ଥାନିତ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା।

ନାସାର ଅନୁସାରେ, ୪.୬ ବିଲିୟନ ବର୍ଷ ପୂର୍ବେ ତିଆରି ହୋଇଥିବା ଆମ ସୋଲାର ସିଷ୍ଟମର ଚଟାଣ ବା ବାୟୁହୀନ ଅବଶେଷକୁ ଉଲ୍‌କା କୁହାଯାଏ। ନାସା ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ଉଲ୍‌କାପିଣ୍ଡ ବିଷୟରେ ସୂଚନା ପାଇସାରିଲାଣି। ବର୍ଷ ୨୦୨୦ ଅନେକ ଛୋଟବଡ଼ ଉଲ୍‌କାପିଣ୍ଡ ମଧ୍ୟ ପୃଥିବୀ ପୃଷ୍ଠା ଦେଇ ଗତି କରିସାରିଛି।

You might also like