ହାତରେ ଲେଖିଥିଲେ ବାୟୋଡାଟା, ଛୁଟିଲା ଚାକିରିର ଲମ୍ବା ସୁଅ

ଭାଇରାଲ୍‌ ହାତଲେଖା ବାୟୋଡାଟା ପଛର ରୋମାଞ୍ଚକର କାହାଣୀ

ନୂଆଦିଲ୍ଲୀ: ସୋଶାଲ୍‌ ମିଡିଆରେ ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ସାମ୍ନାକୁ ଆସୁଛି। ଆଉ ଏହିସବୁ ଘଟଣାଗୁଡ଼ିକ ଭାଇରାଲ୍‌ ହେବା ପରେ ଖୁବ୍‌ ଚର୍ଚ୍ଚା ମଧ୍ୟ ସାଉଁଟୁଛି। କିଛିଦିନ ହେବ ସୋଶାଲ୍ ମିଡିଆରେ ଏମିତି ଏକ ହାତଲେଖା ବାୟୋଡ଼ାଟା ବା ରିଜ୍ୟୁମେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ଏବେ ଖୁବ୍‌ ଚର୍ଚ୍ଚା ହେଉଛି।

ତେବେ ଆପଣ ଭାବୁଥିବେ ପ୍ରିଣ୍ଟ୍ଆଉଟ୍‌ ଯୁଗରେ ଏହି ହାତଲେଖା ବାୟୋଡାଟାଟି କାହିଁକି ଭାଇରାଲ୍‌ ହେଉଛି ? ପ୍ରକୃତ କଥା ହେଲା ଏଥିପାଇଁ ବ୍ୟକ୍ତିଙ୍କ ପାଖରେ ଚାକିରିର ଲମ୍ବା ଲାଇନ୍‌ ଲାଗିଛି।

ତେବେ ଆସନ୍ତୁ ଜାଣିବା ଏହି ହାତଲେଖା ବାୟୋଡାଟା ପଛର ରୋମାଞ୍ଚକର କାହାଣୀ।

କାର୍ଲୋସ୍‌ ଟୁଆର୍ଟ୍‌ ନାମକ ଜଣେ ୨୧ ବର୍ଷୀୟ ଯୁବକ ଚାକିରି ଖୋଜି ଖୋଜି ଥକି ପଡ଼ିଥିଲେ। ଏତିକିବେଳେ କାଫେରେ କାମ କରୁଥିବା ୟୁଜୋନିଆ ଲୋପେଜ୍‌ଙ୍କ ସହିତ ତାଙ୍କର ଦେଖା ହେଲା। କାର୍ଲୋସ୍‌ ତାଙ୍କୁ ଚାକିରି କଥା କହିଥିଲେ। କିନ୍ତୁ ଲୋପେଜ୍‌ କାର୍ଲୋସ୍‌ଙ୍କୁ ଚାକିରି ଦେବାରେ ଅସମର୍ଥ ଥିଲେ।

ତଥାପି ସେ କାର୍ଲୋସ୍‌ଙ୍କୁ ତାଙ୍କର ବାୟୋଡାଟା ମାଗିଥିଲେ। ଆଉ ଚାକିରିର ବ୍ୟବସ୍ଥା ହୋଇଗଲେ ସେ ଜଣାଇବେ ବୋଲି କହିଥିଲେ।

ଏହାପରେ ଲୋପେଜ୍‌ ସେହି ହାତଲେଖା ବାୟୋଡାଟାକୁ ଫେସ୍‌ବୁକ୍‌ରେ ଶେୟାର୍‌ କରିଥିଲେ। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଥିଲେ, ’ଏହି ବ୍ୟକ୍ତିଙ୍କ ପାଖରେ ରିଜ୍ୟୁମେର ପ୍ରିଣ୍ଟ୍‌ ଆଉଟ୍‌ କାଢ଼ିବା ପାଇଁ ପଇସା ନଥିଲା। ତେଣୁ ସେ ହାତରେ ଖୁବ୍‌ ସୁନ୍ଦର ଭାବେ ନିଜ ରିଜ୍ୟୁମେ ତିଆରି କରିଛନ୍ତି।’ ଲୋପେଜ୍‌ଙ୍କର ଏହି ପୋଷ୍ଟଟି ପ୍ରାୟ ୧୦ ହଜାର ଥର ଶେୟାର୍‌ ହୋଇଥିଲା।

ଏତେ ମାତ୍ରାରେ ରିଜ୍ୟୁମେ ଶେୟାର୍‌ ହେବାପରେ ବିଭିନ୍ନ ଆଡ଼ୁ କାର୍ଲୋସ୍‌ଙ୍କ ପାଖକୁ ଚାକିରି ଲମ୍ବା ଲାଇନ୍‌ ଛୁଟିଲା। ଆଉ ସେ ଚାକିରି ମଧ୍ୟ କଲେ। ତେବେ ତାଙ୍କ ହାତ ଲେଖା ରିଜ୍ୟୁମେ ଯେ ତାଙ୍କୁ ଏତେ ସଫଳତା ଆଣିଦେବ, ତାହା ସେ ବିଶ୍ୱାସ କରିପାରି ନଥିଲେ।

 

You might also like