ଆଦିବାସୀଙ୍କ ନିଆରା ତଲାରୀ ଯାତ୍ରା

ରାୟଗଡ଼ା: ଆଦିବାସୀଙ୍କ ନିଆରା ତଲାରୀ ଯାତ୍ରା। ରଥଯାତ୍ରା ସମୟରେ ତାଳ ପତ୍ରରେ ପ୍ରସ୍ତୁତ ତଲାରୀ ବିକ୍ରି କରାଯାଉଥିବାରୁ ଏହାକୁ ତଲାରୀ ଯାତ୍ରା କୁହାଯାଇଥାଏ। ତଲାରୀ ବିକ୍ରି କରି ବ୍ୟବସାୟୀମାନେ ବେଶ୍ ଦୁଇ ପଇସା ରୋଜଗାର କରିଥାନ୍ତି। ଦୀର୍ଘ୨ ଶହ ବର୍ଷର ଏହି ପୁରୁଣା ଯାତ୍ରାରେ ବହୁ ଲୋକଙ୍କ ସମାଗମ ହୋଇଥାଏ ।

ରାୟଗଡ଼ା ଜିଲ୍ଲା ଗୁଣପୁର ରଥଯାତ୍ରାର ଅନନ୍ୟ ପରଂପରା। ବଡ଼ରଥକୁ ସାଧାରଣ ଲୋକେ ଟାଣୁଥିବା ବେଳେ ସାନ ରଥକୁ କେବଳ ମହିଳାମାନେ ଟାଣିଥା’ନ୍ତି। ସମଗ୍ର ଆଦିବାସୀ ଅଞ୍ଚଳ ମଧ୍ୟରୁ କେବଳ ଗୁଣପୁରରେ ଏହା ଦେଖିବାକୁ ମିଳିଥାଏ। ଏଥିପାଇଁ ଦକ୍ଷିଣ ଓଡ଼ିଶାରେ ଏହି ରଥର ସ୍ୱତନ୍ତ୍ରତା ରହିଛି। କେବଳ ଏତିକି ନୁହେଁ, ଯାତ୍ରାରେ ତଲାରୀ ବଜାରର ପସରା ମେଳିଥିଲା। ଚାଷ କାର୍ଯ୍ୟରେ ନିର୍ଭର କରୁଥିବା ଆଦିବାସୀ ଲୋକେ ମୁଣ୍ଡ ଘୋଡ଼ାଇବା ଲାଗି ତାଳପତ୍ରରେ ପ୍ରସ୍ତୁତ ତଲାରୀ କିଣିଥା’ନ୍ତି। ତେଣୁ ଏହାକୁ ତଲାରୀ ଯାତ୍ରା ମଧ୍ୟ କୁହାଯାଇଥାଏ। କେଉଁ ଆବହମାନ କାଳରୁ ଚାଲି ଆସୁଥିବା ଏହି ଯାତ୍ରାରେ ତଲାରୀ ବିକ୍ରି କରି ବେପାରୀମାନେ ମଧ୍ୟ ବେଶ ଖୁସି।

୧୮୦୦ ଖ୍ରୀଷ୍ଟାଦ୍ଧରୁ ଆରମ୍ଭ ହୋଇଥିବା ଏହି ରଥଯାତ୍ରାରେ ଗୋଟିଏ ପଥରେ ଦୁଇଟି ରଥ ଟଣା ହୋଇ ଆସୁଛି। ବଡ଼ ରଥରେ ବଡ଼ମଠର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ବିଜେ କରାଯାଉଥିବା ବେଳେ ସାନ ରଥରେ ସାନ ମଠର ଚତୁର୍ଦ୍ଧା ମୂରତିଙ୍କୁ ବିଜେ କରାଯାଇଥାଏ। ୨ ଶହ ବର୍ଷର ଏହି ପୁରୁଣା ରଥଯାତ୍ରା ଦେଖିବା ଲାଗି ବହୁ ଲୋକଙ୍କ ସମାଗମ ହୋଇଥିଲା।

ଯାତ୍ରାରେ କେବଳ ଗୁଣପୁର ଅଞ୍ଚଳର ଲୋକ ନୁହଁନ୍ତି, ପଡୋଶୀ ଗଜପତି ଓ ଆନ୍ଧ୍ରପ୍ରଦେଶ ସୀମାନ୍ତ ଅଞ୍ଚଳର ଲୋକେ ମଧ୍ୟ ସାମିଲ ହୋଇଥାନ୍ତି।

(ଗୁଣପୁରରୁ ଇନ୍ଦ୍ରଜିତ କୁମାର ପଣ୍ଡାଙ୍କ ରିପୋର୍ଟ)

You might also like