କୋରାନ, ଭାଗବତ, ତୁଳସୀ ଗଛ ରଖି ଧାରଣାରେ ମୁସ୍‌ଲିମ ଦମ୍ପତି

ଢେଙ୍କାନାଳ(ରିପୋର୍ଟ: ରାଜଶ୍ରୀ ଶତପଥୀ): ଖୋଲା ଆକାଶ ତଳେ ବିତିଲାଣି ୬ ରାତି, ୫ ଦିନ।  କିଟି କିଟି ଅନ୍ଧାର ସାଙ୍ଗକୁ  ହାଡଭଙ୍ଗା ଶୀତ। ତା ସହିତ ଘନ କୁଡୁଡି । ପ୍ରକୃତିର ଏପରି ପ୍ରହାରରେ ତଥାପି ହାରି ନାହାନ୍ତି  ଏହି ଦମ୍ପତି। ନ୍ୟାୟ ପାଇଁ ତାଙ୍କ ଲଢେଇ ଜାରି ରଖିଛନ୍ତି। ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ରାତି ଦିନ ପଡି ରହିଛନ୍ତି। ସର୍ବଧର୍ମର ଦ୍ୱାହିରେ ନ୍ୟାୟ  ଭିକ୍ଷା କରୁଛନ୍ତି। ଏହି ଦମ୍ପତ୍ତି ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ମହମ୍ମଦ ତାରିଫ ହୁସେନ ଓ ତାଙ୍କ ଧର୍ମପତ୍ନୀ।

ହୁସେନ ଦମ୍ପତି ଧାରଣାସ୍ଥଳରେ ନିଜ ପାଖରେ ରଖିଛନ୍ତି ଶାନ୍ତିର ବାର୍ତ୍ତାବହ, ଅହିଂସାର ମାର୍ଗଦର୍ଶକ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ। ଅହୁରି ରଖିଛନ୍ତି ପୋଥୀ ପୁରାଣ ଆଉ ତୁଳସୀ ଗଛ, ଭାଗବତ, କୋରାନ… । ହାଡ଼ଭଙ୍ଗା ଶୀତରେ ଖୋଲା ଆକାଶ ତଳେ  ସ୍ୱାମୀ-ସ୍ତ୍ରୀଙ୍କର ଏହି ଦୟନୀୟ ସ୍ଥିତି ଯିଏ ଦେଖୁଛି, ପାଟିରୁ ବାହାରି ଆସୁଛି ‘ଆହା…’  । ହେଲେ ଏ ଦୃଶ୍ୟ ଦେଖି  ସରକାରଙ୍କ ମନ ତରଳୁନି।

ସାଲ, କମ୍ବଳ ଘୋଡ଼ି ହୋଇ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସିଛନ୍ତି ମହମ୍ମଦ ତାରିଫ ହୁସେନ ଓ ତାଙ୍କ ଧର୍ମପତ୍ନୀ। କେତେବେଳେ ରାତି ପାହୁଛି, ପୁଣି ସନ୍ଧ୍ୟା ଯାଇ ରାତି ଆସି ଯାଉଛି ଜାଣି ପାରୁନାହାନ୍ତି। ତାଙ୍କର ନ୍ୟାୟ ଦରକାର।  ଯେଉଁ ଜମି ସରକାର ତାଙ୍କଠାରୁ ଛଡ଼େଇ ନେଉଛନ୍ତି ସେହି ଜମି ତାଙ୍କର ଦରକାର।

ଦମ୍ପତି ଅଭିଯୋଗ କରିଛନ୍ତି, ଏମାନଙ୍କ ରେକର୍ଡ଼ ଭୁକ୍ତ ଜମି ଉପରେ ସରକାର ଜବରଦସ୍ତ କଲେଜ ନିର୍ମାଣ କରୁଛନ୍ତି । କାମାକ୍ଷାନଗର ବ୍ଲକ ଜନ୍ତାରିବୋଲ ତହସିଲ ଅଧିନରେ ତାଙ୍କର ରହିଛି ନିଜସ୍ଵ ରେକର୍ଡ଼ ଭୁକ୍ତ ଜାଗା। ତା‘ ଉପରେ ସରକାର ଜୋର ଜବରଦସ୍ତ ଡିଗ୍ରୀ କଲେଜ ନିର୍ମାଣ କରୁଥିବା ଅଭିଯୋଗ କରିଛନ୍ତି ମହମ୍ମଦ ତାରିଫ ହୁସେନ । ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଜଣାଇଥିଲେ  ମଧ୍ୟ କୌଣସି ସୁଫଳ ମିଳି ନଥିବା  କହିଛନ୍ତି। ଏପରିକି ସିଧାସଳଖ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମ୍ପୃକ୍ତିକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଅଭିଯୋଗକାରୀ ।

ନ୍ୟାୟ ପାଇଁ ହାଡ ଭଙ୍ଗା ଶୀତରେ ବି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବସିଛନ୍ତି ମହମ୍ମଦ । ସେହି ବାଟ ଦେଇ ସମସ୍ତ ପ୍ରଶାସନିକ ଅଧିକାରୀ ଓ ଖୋଦ୍ ଜିଲ୍ଲାପାଳ ଯିବାଆସିବା କରୁଥିଲେ ମଧ୍ୟ ଯେମିତି କାହାରି ନଜର ପଡୁନାହିଁ ଏମାନଙ୍କ ଉପରେ। ସରକାରଙ୍କ ଏପରି ଉଦାସୀନ ପ୍ରକୃତି ନେଇ କ୍ଷୋଭ ପ୍ରକାଶ ପ୍ରକାଶ କରିଛନ୍ତି ତାରିଫ ହୁସେନ। 

ତେବେ ଏ ସମ୍ପର୍କରେ ପ୍ରଶାସନ କି ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । 

 

You might also like