ଏଣିକି ପେଟ୍ରୋଲ କିମ୍ବା ଡିଜେଲରେ ନୁହେଁ ବରଂ ପାଣିରେ ହିଁ ଚାଲିବ ଆପଣଙ୍କ କାର….ଜାଣନ୍ତୁ କେବେ ଏହି କାର ବଜାରକୁ ଆସିବ?

ପେଟ୍ରୋଲ, ଡିଜେଲ ନୁହେଁ ପାଣିରେ ଚାଲିବ କାର

ଆଇଆଇଟି ବୈଜ୍ଞାନିକଙ୍କ ବଡ଼ ସଫଳତା

ନୂଆଦିଲ୍ଲୀ: ଏଣିକି ପେଟ୍ରୋଲ କିମ୍ବା ଡିଜେଲ ନୁହେଁ ବରଂ ପାଣିରେ ଚାଲିବ ଆପଣଙ୍କ କାର। ହୁଏତ ଏହି ଘଟଣା ଶୁଣିବା ପରେ ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଏହି ଘଟଣା ପୂରା ସତ ଅଟେ। କାରଣ ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲର ଦର କ୍ରମାଗତ ଭାବେ ଆକାଶଛୁଆଁ ହେବାକୁ ଲାଗିଛି । ଆଉ ଏହାର ସିଧାସଳଖ ପ୍ରଭାବ ଖାଉଟିଙ୍କ ଉପରେ ପଡୁଛି। କେବଳ ଏତିକି ନୁହେଁ ବରଂ ଏହି ସମୟ ମଧ୍ୟରେ ଯାନବାହାନ ସଂଖ୍ୟା ବୃଦ୍ଧି ହେତୁ ପ୍ରଦୂଷଣ ମଧ୍ୟ ଭୟଙ୍କର ବଢିବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ପେଟ୍ରୋଲ ଏବଂ ଡିଜେଲ ସମେତ ଜୀବାଶ୍ମ ଇନ୍ଧନର ବ୍ୟବହାର ବୃଦ୍ଧି ହେତୁ ଗ୍ରୀନ୍‌ ହାଉସ୍ ଗ୍ୟାସ୍ ନିର୍ଗତ ହୋଇଥାଏ, ଯାହା ପରିବେଶକୁ ବ୍ୟାପକ କ୍ଷତି ପହଞ୍ଚାଇଥାଏ । ହାଭାର୍ଡ ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନ ଅନୁଯାୟୀ, ଜୀବାଶ୍ମ ଇନ୍ଧନ ପ୍ରଦୂଷଣ ବିଶ୍ୱରେ ପ୍ରତି ପାଞ୍ଚ ଜଣଙ୍କ ମୃତ୍ୟୁ ମଧ୍ୟରୁ ଜଣଙ୍କ ପାଇଁ ଦାୟୀ ହୋଇଥାଏ । ଆଉ ଏଭଳି ପରିସ୍ଥିତିରେ ଏହାର ବିକଳ୍ପ ଇନ୍ଧନ ବ୍ୟବହାର କରିବା ପାଇଁ ଟେକ୍ନୋଲୋଜି ବିକଶିତ ହେବାର ଆବଶ୍ୟକ ରହିଛି ।

ତେଣୁ ଏଥିପାଇଁ ଆଇଆଇଟି ଦିଲ୍ଲୀର ବୈଜ୍ଞାନିକମାନେ ଏହି ପର୍ଯ୍ୟାୟରେ ଏକ ବଡ଼ ସଫଳତା ହାସଲ କରିଛନ୍ତି । ଆଇଆଇଟି ଦିଲ୍ଲୀର ବୈଜ୍ଞାନିକମାନେ ହାଇଡ୍ରୋଜେନ୍ ଇନ୍ଧନକୁ ଜଳରୁ ଅଲଗା କରିବା ପାଇଁ ଏକ ଟେକନିକ ଆବିଷ୍କାର କରିଛନ୍ତି । ଆଇଆଇଟି ଦିଲ୍ଲୀର ପ୍ରଫେସର ଏବଂ ଛାତ୍ରମାନଙ୍କର ଏକ ଟିମ୍ ହାଇଡ୍ରୋଜେନ୍ ପ୍ରଡକ୍‌ସନ ପାଇଲଟ୍ ପ୍ଲାଣ୍ଟରେ ଇନ୍ଧନ ପ୍ରସ୍ତୁତ କରିଛନ୍ତି ।

ଏନେଇ ଆଇଆଇଟି ଦିଲ୍ଲୀର ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଶ୍ରୀଦେବୀ ଉପାଧ୍ୟାୟୁଲା କହିଛନ୍ତି ଯେ, ଏହା ଭବିଷ୍ୟତର ଇନ୍ଧନ ଅଟେ । ପେଟ୍ରୋଲିୟମ ଇନ୍ଧନ ପାଇଁ ଏହା ଏକ ଉତ୍ତମ ବିକଳ୍ପ ବୋଲି ପ୍ରମାଣିତ ହେବ । ଏହା କମ୍ ଗ୍ରୀନ୍ ହାଉସ୍ ଗ୍ୟାସ୍ ମୁକ୍ତ କରିବ । ଏଲପିଜି ସିଲିଣ୍ଡର ପରି ହାଇଡ୍ରୋଜେନ ଇନ୍ଧନ ମଧ୍ୟ ବ୍ୟବହାର କରାଯାଇପାରିବ । ସେ କହିଛନ୍ତି ଯେ ସାଧାରଣତଃ ଜଳରୁ ୨୦୦୦ଡିଗ୍ରୀ ସେଲସିୟସରେ ଅମ୍ଳଜାନ ଏବଂ ହାଇଡ୍ରୋଜେନ ଅଲଗା କରାଯାଇଥାଏ ।

କିନ୍ତୁ ଆଇଆଇଟି ଦିଲ୍ଲୀର ଦଳ ସଲଫର ଆୟୋଡିନ୍ ଥର୍ମୋକେମିକାଲ୍ ହାଇଡ୍ରୋଜେନ୍ ପ୍ରୋସେସ ମାଧ୍ୟମରେ ଏହାକୁ ସହଜ କରିଛି । ଏହି ପ୍ରକ୍ରିୟାରେ ଜଳକୁ ହାଇଡ୍ରୋଜେନ୍ ଏବଂ ଅମ୍ଳଜାନରେ ପ୍ରାୟ 150 ° C ରେ ଅଲଗା କରି ଆୟୋଡିନ୍ ଏବଂ ସଲଫର୍ ବ୍ୟବହାର କରାଯାଏ । କେବଳ ଏତିକି ନୁହେଁ, ଆୟୋଡିନ୍ ଏବଂ ସଲଫର୍ ମଧ୍ୟ ପୁନବ୍ୟବହାର କରାଯାଇପାରିବ। ଏଭଳି ପରିସ୍ଥିତିରେ ଖୁବଶୀଘ୍ର ଆପଣଙ୍କ କାର୍ ପେଟ୍ରୋଲ କିମ୍ବା ଡିଜେଲ ନୁହେଁ ବରଂ ପାଣିରେ ଚାଲିପାରିବ । ଏହି ୯ ଷ୍ଟେପ୍ ପ୍ରୋଜେକ୍ଟର ୬ ଟି ଷ୍ଟେପ୍ ସମାପ୍ତ ହୋଇଛି। ତେବେ ଏହି ଖବର ଜଣାପଡିବା ପରେ ସମସ୍ତେ ଅପେକ୍ଷା କରିଛନ୍ତି ଯେ କେବେ ପାଣିରେ କାର ଚାଲିବ?

You might also like