ମୃତ୍ୟୁ ପରେ ବି ଅମର ଧନିଷ୍ଠା, ୫ ଜଣଙ୍କୁ ଜୀବଦାନ ଦେଲା ୨୦ ମାସର ଶିଶୁ କନ୍ୟା

ମୃତ୍ୟୁ ପରେ ଅମର ହୋଇଗଲେ କୁନି ଝିଅ ଧନିଷ୍ଠା । ବୟସ ମାତ୍ର ୨୦ ମାସ । ଦୁନିଆକୁ ଅଲବିଦା କହିବା ପୂର୍ବରୁ ମାତ୍ର ୨୦ ମାସର ଛୋଟିଆ  ଝିଅଟି ଅଙ୍ଗଦାନ ପରି ମହତକର୍ମ କରି ୫ ଜଣଙ୍କୁ ନୂଆ ଜୀବନ ଦେଇଛି ।  ହସକୁରି କୁନି ଝିଅଟି ତା’ ହସକୁ ଆଜି ୫ଜଣଙ୍କ  ପରିବାର ସହ ବାଣ୍ଟି ଦେଇଛି । ସବୁଠୁ କମ୍‌ ବୟସରେ ଅଙ୍ଗଦାନ କରିଥିବା ପ୍ରଥମ ଝିଅ ହେଲା ଧନିଷ୍ଠା । ତା’ର ହାର୍ଟ, ଲିଭର, ଦୁଇଟି କିଡ୍‌ନୀ ଏବଂ ଦୁଇଟି ଚକ୍ଷୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ୫ ଜଣଙ୍କଠାରେ ପ୍ରତିରୋପଣ କରାଯାଇଛି।

ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରହୁଥିବା ଧନିଷ୍ଠା ଜାନୁଆରୀ ୮ ତାରିଖରେ ନିଜ ଘରେ ଖେଳୁ ଖେଳୁ ପ୍ରଥମ ମହଲାରୁ ତଳକୁ ଖସି ପଡ଼ିଥିଲେ । ଚେତାଶୂନ୍ୟ ଅବସ୍ଥାରେ କୁନି ଝିଅକୁ ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ୱେ ବିଫଳ ହେବାକୁ ପଡ଼ିଲା । ଜୀବନ ଯୁଦ୍ଧରେ ହାରିଗଲା ଧନିଷ୍ଠା ।  ୧୧ ତାରିଖରେ ଡାକ୍ତର ଘନିଷ୍ଠାକୁ ବ୍ରେନ୍‌ ଡେଡ୍‌ ଘୋଷଣା କରିଥିଲେ । ତେବେ ସେତେବେଳକୁ ଧନିଷ୍ଠାର ମସ୍ତିଷ୍କକୁ ଛାଡ଼ି ସବୁ ଅଙ୍ଗପ୍ରତ୍ୟେଙ୍ଗ ଭଲ ଭାବେ କାମ କରୁଥିଲା ।

ଝିଅର ମୃତ୍ୟୁକୁ ହଠାତ୍ ଗ୍ରହଣ କରିପାରୁନଥିଲେ ପରିବାର ଲୋକ । ବାପାମା’ ପରିବାର ଲୋକ ତା’ର ହସ ହସ ମୁହଁକୁ ଝୁରି ହେଉଥିଲେ । ତେବେ ଝିଅକୁ ସବୁବେଳେ ନିଜ ଗହଣରେ ଅନୁଭବ କରିବାକୁ ଧନିଷ୍ଠାଙ୍କ ବାପାମା’  ନିଜ କୁନି ଝିଅର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ । ବାପାମା’ଙ୍କ ଅନୁମତି ପରେ ଧନିଷ୍ଠାଙ୍କ ହାର୍ଟ, ଲିଭର୍‌, ଦୁଇ କିଡ୍‌ନୀ ଏବଂ ଆଖିକୁ  ଡାକ୍ତର ପାଞ୍ଚ ଜଣ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରିଥିଲେ ।

ଧନିଷ୍ଠାଙ୍କ ପିତା କହିଛନ୍ତି, ଧନିଷ୍ଠା ଚିକିତ୍ସିତ ହଉଥିବା ହସ୍ପିଟାଲ ରେ ରହିବା ସମୟ ଭିତରେ ଅନେକ ରୋଗୀଙ୍କ ଅଙ୍ଗ ଆବଶ୍ୟକତାକୁ ହୃଦୟଙ୍ଗମ କରିପାରିଥିଲେ ।  ଧନିଷ୍ଠାଙ୍କୁ ହରାଇଥିବାର ଦୁଃଖକୁ ହୃଦୟରେ  ଚାପି ଝିଅର ଅଙ୍ଗଦାନ କରି କିଛି ଲୋକଙ୍କୁ ନୂଆ ଜୀବନ ଦେବାପାଇଁ ନିଷ୍ପତ୍ତି ନେଇଥିଲେ ।

ଭାରତର ପୂର୍ବରୁ ଲୋକମାନେ ଏପରି ଉପାୟରେ ଅଙ୍ଗଦାନ କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନ ଗତ କିଛି ବର୍ଷ ମଧ୍ୟରେ ଅଙ୍ଗଦାନ କରିବାକୁ ପରମ୍ପରା ବୃଦ୍ଧି ପାଇଛି। ଲୋକମାନେ  ନିଜେ ଆଗେଇ ଆସି ଅଙ୍ଗ ଦାନ ପରି ମହତ କାମ କରୁଛନ୍ତି । 

You might also like