ବିଶାଳ ଗଛରେ ଭାଇଙ୍କ ଖବର ପାଇଲେ ଭଉଣୀ

ନୂଆଦିଲ୍ଲୀ : ୪୦ ବର୍ଷ ପୂର୍ବେ ତାଙ୍କୁ ହତ୍ୟା କରାଯାଇଥିଲା। କିନ୍ତୁ ତାଙ୍କ ପେଟରେ ରହିଯାଇଥିଲା ଏକ ଡିମିରି ଫଳର ମଞ୍ଜି। ଯାହା ପର ମୁହୂର୍ତ୍ତରେ ଏକ ବିଶାଳ ଗଛର ରୂପ ନେଇଛି। ଏଇ ଦୁଇଧାଡ଼ି ପଢ଼ିସାରିବା ପରେ କଥାଟା ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଚୟ। କିନ୍ତୁ କାହାଣୀଟି ସମ୍ପୂର୍ଣ୍ଣ ସତ। ପୂରା ଘଟଣା କ’ଣ ଜାଣିବା ପାଇଁ ଆଗକୁ ପଢ଼ନ୍ତୁ।

ଏହି ଘଟଣା ହେଉଛି ସାଇପ୍ରସ୍‌ ଆଇସ୍‌ଲାଣ୍ଡ୍‌ର। ୧୯୭୪ ମସିହାର କଥା। ସେତେବେଳେ ଗ୍ରୀକ୍‌ ଓ ତୁର୍କୀ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିଲା। ଏହି ସଂଘର୍ଷରେ ଅହମେଟ୍ ହର୍‌ଗୁନର୍‌ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ବର୍ଷ ବର୍ଷ ଧରି ହର୍‌ଗୁନର୍‌ଙ୍କ ମୃତଦେହ ମିଳିନଥିଲା। କିନ୍ତୁ ଯେଉଁଠି ତାଙ୍କର ମୃତ୍ୟୁ ହୋଇଥିଲା ସେଇଠି ଗୋଟେ ବିଶାଳ ଡିମିରି ଗଛ ହୋଇ ସାରିଥିଲା। ଯେତେବେଳେ ତଦନ୍ତ ଆରମ୍ଭ ହେଲା, ସେତେବେଳେ ଏହି ରହସ୍ୟମୟ ଗଛର କାହାଣୀ ସାମ୍ନାକୁ ଆସିଥିଲା।

୨୦୧୧ ମସିହାରେ ଜଣେ ବିଶେଷଜ୍ଞଙ୍କ ନଜର ପ୍ରଥମେ ଏହି ବିଶାଳ ଡିମିରି ଗଛ ଉପରେ ପଡ଼ିଥିଲା। ଗୁମ୍ଫା ଭିତରେ ଏତେବଡ଼ ଡିମିରି ଗଛ କିପରି ହୋଇପାରିବ? ତାହା ପୁଣି ପାହାଡ଼ିଆ ଅଞ୍ଚଳରେ, ଯେଉଁଠାରେ ସାଧାରଣତଃ ଡିମିରି ଗଛ ଦେଖାଯାଏ ନାହିଁ। ଏକଥା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ରିସର୍ଚ୍ଚ ପାଇଁ ଗଛ ମୂଳକୁ ଖୋଳିବାରୁ ମୃତଦେହ ପୋତି ହୋଇ ଥିବା ଜଣାପଡ଼ିଥିଲା। ଅଧିକ ଖୋଳିବାରୁ ପୁଲିସ୍‌ ୩ଟି ଶବର ଅବଶେଷ ଉଦ୍ଧାର କରିଥିଲା। ଏହାପରେ ରିସର୍ଚ୍ଚରୁ ଜଣାପଡ଼ିଥିଲା ଯେ, ଗୁମ୍ଫାରେ ହର୍‌ଗୁନର୍‌ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଅନ୍ୟ ତିନିଜଣଙ୍କୁ ଡିନାମାଇଟ୍‌ ଲଗାଇ ଉଡ଼ାଇ ଦେଇଥିଲେ। ଡିନାମାଇଟ୍‌ର ବିସ୍ଫୋରଣ ଯୋଗୁ ଗୁମ୍ଫାର ଉପରି ଭାଗରେ ଗୋଟିଏ ଗାତ ହୋଇଯାଇଥିଲା। ଏହି ଗାତ ଦେଇ ସୂର୍ଯ୍ୟ କିରଣ ଓ ବର୍ଷା ପାଣି ଗୁମ୍ଫା ଭିତରକୁ ପ୍ରବେଶ କରିବାରୁ ହର୍‌ଗୁନ୍‌ରଙ୍କ ପେଟରେ ଥିବା ଡିମିରି ଫଳର ମଞ୍ଜିଟି ଗଜା ଧରି ଗଛରେ ପରିଣତ ହୋଇଥିଲା। ମୃତ୍ୟୁ ପୂର୍ବରୁ ହର୍‌ଗୁନର୍‌ ଡିମିରି ଖାଇଥିଲେ ବୋଲି କୁହାଯାଉଛି।

ହର୍‌ଗୁନର୍‌ଙ୍କ ଭଉଣୀ ମୁନୁର ହର୍‌ଗୁନରଙ୍କ ଅନୁସାରେ, ତାଙ୍କ ପରିବାର ଯେଉଁଠାରେ ରହୁଥିଲେ ସେଠାରେ ପାଖାପାଖି ୪ ହଜାର ଲୋକ ରହୁଥିଲେ। ସେଥିମଧ୍ୟରୁ ଅଧେ ଲୋକ ଗ୍ରୀକ୍‌ ଦେଶର ହୋଇ ଥିବା ବେଳେ ଆଉ ଅଧେ ତୁର୍କିର ଥିଲେ । ୧୯୭୪ରେ ଦୁଇଦେଶ ମଧ୍ୟରେ ଶତ୍ରୁତା  ଆରମ୍ଭ ହୋଇଗଲା। ହର୍‌ଗୁନର୍‌ ତୁର୍କୀ ସହିତ ମିଶିବାରୁ ଗ୍ରୀକ୍‌ ଲୋକ ତାଙ୍କୁ ଉଠାଇ ନେଇଥିଲେ। ଏହାପର ଠାରୁ ସେ ତାଙ୍କ ଭାଇଙ୍କୁ ଅନେକ ଖୋଜାଖୋଜି କରିଥିଲେ, କିନ୍ତୁ ଭାଇଙ୍କର କୌଣସି ପତ୍ତା ମିଳି ନଥିଲା।

ମୁନୁର୍‌ଙ୍କ କହିବାନୁସାରେ ତାଙ୍କ ରକ୍ତ ନମୁନା ସହିତ ମିଳିଥିବା ଶବର ଡିଏନ୍‌ଏ ମିଶିଯାଇଥିବାରୁ ତାଙ୍କ ଭାଇ ଶେଷ ସମୟ ଏହି ଗୁମ୍ଫାରେ କାଟି ଥିଲେ ବୋଲି ସେ ଜାଣିବାକୁ ପାଇଥିଲେ। ଏହି ଡିମିରି ଫଳ ପାଇଁ ସେ ତାଙ୍କ ଭାଇଙ୍କ ଖବର ପାଇ ପାରିଲେ ବୋଲି ମୁନୁର୍ କହିଥିଲେ।

You might also like