ଶେଷ ଚିଠିରେ ଶେଷ କଥା ; ଜାଣିବି ଜୀବନ ହାରିଲେ ଶୁଭମ୍‌

ଭଦ୍ରକ : ଚର୍ଚ୍ଚାରେ ଶୁଭମର ମୃତ୍ୟୁ ଏବଂ ସବୁଠୁ ଆଶ୍ଚର୍ଯ୍ୟକର ସେ  ଲେଖିଥିବା ଚିଠି। ତେବେ କିଏ ଏହି ଶୁଭମ୍‌ ? କେମିତି ହେଲା ତାଙ୍କର ମୃତ୍ୟୁ ଏବଂ କାହାକୁ ଲେଖିଛନ୍ତି ସେ ଶେଷ ଚିଠି ?

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଗଢିଆଳି ପଞ୍ଚାୟତ ଝାରଡ଼ିଆ ଗାଁର ଶୁଭମ ପ୍ରଧାନ। ସେ କୋରୁଆ ଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ୨୭ ତାରିଖରେ ଶୁଭମ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ।

ଗତ ୨୮ ତାରିଖରେ ପରିବାର ଲୋକ ଏନେଇ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ୩୧ ତାରିଖରେ ଚୁଡାଖିଆ ନଦୀ ପଠା ନିକଟରେ ଏକ ଗଛରୁ ଶୁଭମର ଝୁଲନ୍ତା ଅବସ୍ଥାରେ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ଅପହରଣ କରି ପରେ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ।

ଏପଟେ ଶୁଭମଙ୍କର ଶେଷ ଚିଠି ହିଁ ତାଙ୍କର ମୃତ୍ୟୁ ପୂର୍ବର ସବୁ କଥା ସୂଚନା ଦେଇଛି । ଯାହାକୁ ସେ ପକେଟ୍‌ରେ ରଖି ଯାଇଛନ୍ତି। ନିଖୋଜ ହେବାର ୪ ଦିନ ପରେ ତାଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି। ଆଉ ମୃତଦେହ ପକେଟ୍‌ରୁ ଏକ ଚିଠି ପାଇଛି। ମାତ୍ର ଏପର୍ଯ୍ୟନ୍ତ ହତ୍ୟାର ଗୁମର ଖୋଲି ପାରିନି ପୁଲିସ। ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଶୁଭମ ଲେଖିଥିବା ଚିଠି –

“….ମୁଁ ସକାଳେ ଟ୍ୟୁସନ୍‌ ଯାଇଥିଲି। ସେ ମୋତେ ଦେଖାଦେଲା। ମୋତେ ଚିଠିଟିଏ ଧରାଇ ଦେଇ ପଳାଇଗଲା। ତାକୁ ଖୋଲି ପଢ଼େ ତ ବହୁତ ଖରାପ କଥା ଲେଖାଯାଇଛି। ଧମକ ମଧ୍ୟ ଦେଇଥିଲା। ଆଉ କହିଥିଲା ତୁ ଆଜି ୪.୧୫ ମିନିଟ୍‌ରେ ପୋଲ ପାଖରେ ଦେଖା କରିବୁ। ମୁଁ ତା’ କଥା ମାନି ପୋଲ ପାଖକୁ ଚାଲିଗଲି। ସିଏ, ଆଉ ୪ ଜଣ ଯୁବକ ମୁହଁରେ କପାଡ଼ା ବାନ୍ଧି ସେଠାରେ ଥିଲେ। ସେମାନେ ଟୋନ୍‌ ବଦଳାଇ ମୋ ସହିତ କଥା ହେଲେ। ମୁଁ ସେମାନଙ୍କୁ କିଛି କହିଲା ବେଳକୁ ମୋ ହାତରେ ଗୋଟିଏ ଚିଠି ଧରାଇ ଦେଲେ। ମୁଁ ତାକୁ ଧରି ଘରକୁ ଫେରି ପଢ଼ିଲି। ସେଥିରେ ସେମାନେ ଲେଖିଥିଲେ, ୭ ଦିନ ପରେ ଅର୍ଥାତ ଅଷ୍ଟମ ଦିନରେ ସେହି ପୋଲ ପାଖକୁ ଆସିବୁ। ସେହିଦିନ ତୁ ମରିବୁ। ଆଉ ତୁ ନଆସିଲେ ସକାଳେ ଟ୍ୟୁସନ୍‌ ଗଲା ବେଳେ ଉଠାଇ ଆଣି ଛଟ୍‌ପଟ୍‌ କରି ମାରିବୁ। ଚିଠି ପଢ଼ି ସାରିବା ପରେ ମୁଁ ଛାତ ଉପରକୁ ଗଲି। ସେଠାରେ ବହୁତ କାନ୍ଦିଲି।

ସବୁ ଦୁଃଖକୁ ମନ ଭିତରେ ଚାପି ରଖିଲି। ଦିନ ପରେ ଦିନ ବିତିଲା। ଅଷ୍ଟମ ଦିନ ଆସି ପହଞ୍ଚିଲା। ମୁଁ ପୋଲ ପାଖକୁ ଯିବା ପାଇଁ ବାହାରିଲି। କିନ୍ତୁ ଜାଣିନଥିଲି ସେଦିନ କେତେବେଳେ ଯିବି? ସେମାନେ ମୋତେ ତାଙ୍କ ଫୋନ୍‌ ନମ୍ୱର ଲେଖି ଦେଇଥିଲି। ବଡ଼ ମାମୁଙ୍କ ଫୋନ୍‌ରେ ସେହି ନମ୍ୱରରେ ତାଙ୍କୁ ଫୋନ୍‌ କଲି। ସେମାନେ ୪.୨୦ରେ ଆସିବାକୁ କହିଲେ। ହୁସିଆର୍‌ ତା’ପୂର୍ବରୁ ମୋବାଇଲ୍‌ରୁ ଫୋନ୍‌ ନମ୍ୱର ଡିଲିଟ୍‌ ମାରିବାକୁ। ମୁଁ କେଡେ ବଡ଼ ବୋକା ସତେ, ସେମାନଙ୍କ କଥା ମାନି ମାମୁଙ୍କ ମୋବାଇଲ୍‌ରୁ ଫୋନ୍‌ ନମ୍ୱର ଡିଲିଟ୍‌ ମାରିଦେଲି। ଏପରିକି ଫୋନ୍‌ ନମ୍ୱର ଲେଖାଥିବା କାଗଜଟି ମଧ୍ୟ ଚିରିଦେଲି।

ଏବେ ମୋତେ ଲାଗିଲା ମୁଁ ମସ୍ତବଡ଼ ଭୁଲ କରିଦେଲି। ସେହି ନମ୍ୱର ଥିଲେ ହୁଏତ ସେମାନେ ଧରାପଡ଼ିଥାଆନ୍ତେ। ସମୟ ୪.୨୦ ମିନିଟ୍‌ ହେଲା। ପ୍ରଥମେ ଭାବିଲି ମୁଁ ଯିବିନି। ମୁଁ ମରିବାକୁ ଚାହେଁନା, ହେଲେ ତାଙ୍କ ଧମକ ମନେ ପଡ଼ିଲା। ଭୟରେ ମୋ ଛାତି ଧଡ୍‌ ଧଡ୍‌ ହେଲା। ଆଉ କଣ ଲେଖିବି। ମୁଁ ଏବେ ଯାଉଛି।”   

 

You might also like