ମୁଖ୍ୟମନ୍ତ୍ରୀଙ୍କ କରୋନା ବାର୍ତ୍ତା : ’ବିପଦ ଟଳିନି, ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ’

ଭୁବନେଶ୍ୱର: କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଭାବେ ଟଳିନଥିବା ବେଳେ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କରୋନା ସମ୍ପର୍କରେ ସମ୍ବୋଧନ କରି କହିଛନ୍ତି, ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ । ଜନତାଙ୍କ ସହଯୋଗରେ ରାଜ୍ୟରେ ଏବେ କରୋନା ନିୟନ୍ତ୍ରଣରେ ରହିଛି । କରୋନା ମହାମାରୀରୁ ଲୋକଙ୍କୁ ରକ୍ଷା କରିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପକୁ WHO ମଧ୍ୟ ପ୍ରଶଂସା କରିଛି । ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି । ତଥାପି ଆମେ ଆହୁରି ସଚେତନ ରହି ମହାମାରୀ ସହ ଲଢ଼େଇ କରିବା। ରୋଗ କ୍ଷେତ୍ରରେ ଆତ୍ମ ସନ୍ତୋଷ ଠିକ୍‍ ନୁହେଁ କାରଣ ବିପଦ ଏବେ ବି ଟଳି ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ବର୍ତ୍ତମାନ ରାଜ୍ୟରେ କରୋନା ଟୀକାକରଣ ସଫଳ ଭାବରେ ଚାଲିଛି । ଏ ଦିଗରେ ଜନତାଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ବିରୋଧୀ ଲଢ଼େଇରେ ରାଜ୍ୟ ତଥା ଦେଶ ଅନେକ ଯୋଦ୍ଧାଙ୍କୁ ହରାଇଛି।  ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହିଁ । ସେହି ଯୋଦ୍ଧାମାନଙ୍କର ବଳିଦାନକୁ ଆମେ କେବେ ବି ବ୍ୟର୍ଥ ଯିବାକୁ ଦେବାନାହିଁ । ସତର୍କ ରହିବା ହିଁ ସହିଦ୍‍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି । କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ି ଭାବରେ ତଦାରଖ କରିବା ପାଇଁ ପ୍ରଶାସନ ଓ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ତେଣୁ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ ।

ସାରା ଦେଶରେ ଅଦୃଶ୍ୟ ଭାଇରସର ସଂକ୍ରମଣ ପୁଣି  ଥରେ ବଢ଼ିଚାଲିଛି । ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, ମଧ୍ୟପ୍ରଦେଶ ଆଦି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି । ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍‍ଡାଉନ୍‍ ପୁଣି ଫେରିଛି । ଲକ୍‍ଡାଉନ୍‍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି । ରାଜ୍ୟର ଅର୍ଥନୀତି, ଲୋକଙ୍କ ସାମାଜିକ ଜୀବନ, ପିଲାମାନଙ୍କ ପାଠ ପଢ଼ା ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି । ଜନତାଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ରାଜ୍ୟ ସ୍ୱଭାବିକ ଅବସ୍ଥାକୁ ଫେରିଛି ।

ତେବେ ଏପରି ଅବସ୍ଥାରେ ଲକ୍‍ଡାଉନ୍‍କୁ ଫେରିବା ଆଉ ଉଚିତ ନୁହେଁ । ଲକ୍‍ଡାଉନ୍‍କୁ ନଫେରିବାର ଗୋଟିଏ ମାତ୍ର ଉପାୟ ହେଉଛି ସତର୍କତା । ସତର୍କ ରହିଲେ ଲକ୍‍ଡାଉନ୍‍ ଭଳି ସ୍ଥିତି ଉପୁଜିବ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି, ସମସ୍ତେ ପୂର୍ବଭଳି କୋଭିଡ଼୍‍ ଗାଇଡ୍‍ଲାଇନ୍‍କୁ କଡ଼ାକଡ଼ି ଭାବରେ ପାଳନ କରିଚାଲିବା ।  ବାହାରକୁ ଗଲେ ମାସ୍କ୍‍ ନିଶ୍ଚୟ ପିନ୍ଧିବା । ବେକରେ ଝୁଲାଇକରି ନୁହେଁ, ଠିକ୍‍ ଭାବରେ ପାଟି ଓ ନାକକୁ ଘୋଡାଇ ରଖି ପିନ୍ଧିବା । ଘରକୁ ଫେରିଲେ ସାବୁନ୍‍ରେ ଭଲକରି ହାତ ଧୋଇବା । ମୁଁହ, ନାକ ଓ ଆଖିରେ ବାରମ୍ବାର ହାତ ମାରିବା ନାହିଁ । ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ ବୋଲି ପରାମର୍ଶ ଦେଇଛନ୍ତି ନବୀନ ।

You might also like