ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ, ଶୋଇଥିବା ବେଳେ ଯୁବକଙ୍କୁ ଗୁଳି କରି ହତ୍ୟା

ବ୍ରହ୍ମପୁର/ଗୁଣପୁର: ଗୋଟିଏପଟେ ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣି ଥିବାବେଳେ ଆଉ ଜଣେ ଯୁବକ ଶୋଇଥିବା ବେଳେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଛି। ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି।

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ବନ୍ଥପଲ୍ଲୀ ଗାଁର ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆହତ ଯୁବକ ବନ୍ଥପଲ୍ଲୀ ଗାଁ ବାଲିସାହିର ପଞ୍ଚୁ ଭୂୟାଁ। ସୂଚନା ଅନୁସାରେ, ଆଜି ସକାଳେ ପଞ୍ଚୁ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ଗାଁ ଛକ ମନ୍ଦିର ନିକଟରେ ୭ରୁ ୮ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡାଇ ଗୋଡାଇ ଖଣ୍ଡାରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ MKCG ମେଡିକାଲ୍‌ରେ ଭର୍ତ୍ତି କରଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ବନ୍ଥପଲି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନାଥାଉ କି, ପଞ୍ଚୁଙ୍କ ଭାଇ ଜେଲ୍‌ରେ ଅଛନ୍ତି। ଗତ କିଛି ଦିନ ତଳେ ବଚନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ସେ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

ସେହିପରି ରାୟଗଡ଼ା ଜିଲ୍ଲା ଗୁଡାରୀ ଥାନା ଅନ୍ତର୍ଗତ ନାଇରା ଗାଁରେ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ କିରଣ ଟାକ୍ରୀ। ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ କିରଣଙ୍କୁ କେହି ଜଣେ ଗୁଳି କରିଥିଲେ। କିଏ ଓ କାହିଁକି କିରଣଙ୍କୁ ହତ୍ୟା କଲା, ତାହା ଜଣାପଡ଼ି ନାହିଁ। ଗୁଡାରୀ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

You might also like