ଦୀପାବଳି ରାତିରେ ରାଜଧାନୀରେ ଯୁବକଙ୍କୁ ପିଟି ପିଟି ହତ୍ୟା !

ଭୁବନେଶ୍ୱର: ବାଣ ଫୁଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳର କରୁଣ ପରିଣତି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି। ଗଣ୍ଡଗୋଳ ଏତେ ଉଗ୍ରରୂପ ଧାରଣ କରିଥିଲା ଯେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ଅମରେଶ୍‌ ନାୟକ। ଏୟାରଫିଲ୍ଡ ଥାନା ହାଉସିଂ ବୋଡ୍ କଲୋନୀରେ ଗତକାଲି ରାତିରେ ଏହି ଘଟଣା ଘଟିଛି।

ସୂଚନା ଅନୁସାରେ, ପୂର୍ବରୁ ଦୁଇ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ଥିଲା। ଗତକାଲି ଭୋଜି ଓ ବାଣ ଫୁଟାଇବାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ପ୍ରଥମେ ସନ୍ଧ୍ୟାବେଳେ ବଚସା ହୋଇଥିଲା। ପରେ ଏହାର ସମାଧାନ କରାଯାଇଥିଲେ ମଧ୍ୟ ପୁଣି ଏହି ଗଣ୍ଡଗୋଳ  ବିଳମ୍ବିତ ରାତିରେ ଉଗ୍ରରୂପ ଧାରଣ କରିଥିଲା। ଗୋଟିଏ ଗୋଷ୍ଠୀର ସଂଖ୍ୟା କମ୍ ଥିବାର ସୁଯୋଗ ନେଇ ଅନ୍ୟ ଏକ ଗୋଷ୍ଠୀର ପାଖାପାଖି ୨୫ରୁ ୩୦ ଜଣ ଯୁବକ ଏକତ୍ରିତ ହୋଇ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ଅମରେଶ୍‌ ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାରେ ସମ୍ପୃକ୍ତ ୨୫ରୁ ଉର୍ଦ୍ଧ୍ୱ ଲୋକଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି। ତେବେ ଏହି ଘଟଣାରେ କିଛି ରାଜନେତାଙ୍କ ହାତ ରହିଛି ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଏହି ଘଟଣାପରେ କିଛି ଯୁବକ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ଏୟାରଫିଲ୍ଡ ଥାନା ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

You might also like