ରାସ୍ତା କଡ଼ ଡ୍ରେନ୍ ଉପରେ ବସିଥିବା ବେଳେ ଚଢ଼ିଗଲା ଟ୍ରକ୍‌

ତେଲକୋଇ: ରାସ୍ତା କଡ଼ରେ ଥିବା ଡ୍ରେନ୍ ଉପରେ ବସିଥିବା ବେଳେ ମିନି ଟ୍ରକ୍‌ ଚଢ଼ି ଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଖକନ କୁମାର ସାହୁ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କତରାପାଲି ଗାଁରେ। ଗତକାଲି ରାତିରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ, କାଲି ରାତି ପ୍ରାୟ ୧୧ଟା ସମୟରେ ବିଦ୍ୟୁତ୍‌ ନ ଥିବାରୁ ଖକନ ରାସ୍ତା କଡ଼ରେ ଥିବା ଡ୍ରେନ୍ ଉପରେ ବସିଥିଲେ। ଏହି ସମୟରେ ଏକ ମିନି ଟ୍ରକ୍‌ ହଠାତ୍ ଭାରସାମ୍ୟ ହରାଇ ଖକନଙ୍କ ଉପରେ ଚଢ଼ି ଯାଇ ତାଙ୍କୁ ଘୋଷାଡ଼ି ନେଇ ଯାଇଥିଲା। ଖକନଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମେଡିକାଲ୍‌କୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାକୁ ନେଇ ଗ୍ରାମବାସୀମାନେ କ୍ଷତିପୂରଣ ଓ ହମ୍ପସ ନିର୍ମାଣ ଦାବିରେ ଆଜି ସକାଳେ ତେଲକୋଇ-କାଞ୍ଜିପାଣି ରାସ୍ତା ଅବରୋଧ କରିଥିଲେ। ତେବେ ତହସିଲଦାର ଓ ପୁଲିସ୍‌ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତାରୋକ ହଟିଥିଲା।

You might also like