ପଶ୍ଚିମବଙ୍ଗକୁ ବାହା ହେବାକୁ ଯାଇଥିବା ଯୁବକଙ୍କୁ ‘କରୋନା’, ସାରା ଗାଁ ଏବେ ସମ୍ପୂର୍ଣ୍ଣ ସଟ୍‌ଡାଉନ୍

ଜଳେଶ୍ୱର: କଟକଣା ସତ୍ତ୍ୱେ ବିବାହ କଲେ, କରୋନାକୁ ଡାକି ଆଣିଲେ। କରୋନା କଟକଣା ସତ୍ତ୍ୱେ ବିବାହ କରି ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱର ଭୋଗରାଇ ବ୍ଲକ ସୁନାଧରବସାଣ ପଞ୍ଚାୟତ ଅଞ୍ଚଳର ଜଣେ ଯୁବକ ପଶ୍ଚିମବଂଗର ଜଣେ ଯୁବତୀଙ୍କୁ ବିବାହ କରି କରୋନା ଆକ୍ରାନ୍ତ ହୋଇଛନ୍ତି।

ସମ୍ପୃକ୍ତ ଯୁବକ ଜଣକ ଯୁବତୀଙ୍କୁ ପଶ୍ଚିମବଂଗରେ ଯାଇ ବିବାହ କରି ପତ୍ନୀ ଓ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ନେଇ ଆସିଥିଲେ। ତେବେ ଏହି ବିବାହ ସମ୍ପୃକ୍ତ ଯୁବଙ୍କ ପାଇଁ ବିପଦ ପାଲଟିଥିଲା। ଯୁବକ ଜଣଙ୍କ ପଶ୍ଚିମବଂଗ ଫେରନ୍ତା ହୋଇଥିବାରୁ ପତ୍ନୀ ଓ ସମ୍ପର୍କୀୟଙ୍କ ସହ ୩ ଜଣଙ୍କ ସ୍ୱାବ ସଂଗ୍ରହ ହୋଇଥିଲା। ସେଥିରୁ ଯୁବକ ଜଣକ ପଜିଟିଭ ଚିହ୍ନଟ ହୋଇଥିଲେ।

ଏହାପରେ ଯୁବକଙ୍କ ସମ୍ପର୍କରେ ଆସିଥିବା ସେହି ଅଂଚଳର ପ୍ରାୟ ୧୩୦ ଜଣଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା। ଯୁବକଙ୍କ ଭୁଲ୍ ପାଇଁ ଗ୍ରାମବାସୀଙ୍କୁ ହଟହଟା ହେବାକୁ ପଡିଛି। ସୁନାଧର ପଞ୍ଚାୟତ ସହ ଭୋଗରାଇ ପଞ୍ଚାୟତର ବିଭିନ୍ନ ଗାଁକୁ ୭୨ ଘଣ୍ଟା ଲାଗି ସଟଡାଉନ ଘୋଷଣା କରିଛନ୍ତି ସରପଞ୍ଚ।

You might also like