ଚାଷୀ ପୁଅଙ୍କ ସଫଳଯାତ୍ରା: ଝାରପାଲି ଗାଁରୁ ଇସ୍ରୋ ବୈଜ୍ଞାନିକ

ବରଗଡ଼: ବଡ ମଣିଷ ହେବା ପାଇଁ, ସଫଳତାକୁ ହାତମୁଠାରେ ପାଇବା ପାଇଁ  ସବୁବେଳେ ଆମ ପାଖରେ ସୁବିଧା ସୁଯୋଗ ଉପଲବ୍ଧ ନ ଥାଏ । କିନ୍ତୁ ଉପରକୁ ଉଠିବାର ଲକ୍ଷ୍ୟ ଯଦି ଦୃଢ ଥାଏ ତେବେ ସବୁ ଅସୁବିଧା କେତେବେଳେ ସୁବିଧାରେ ପରିଣତ ହୋଇଯାଏ ଜାଣି ହୁଏନି। ନଷ୍ଠା, ଆତ୍ମବିଶ୍ୱାସ ଏବଂ ଦୃଢ ଇଚ୍ଛାଶକ୍ତି ହିଁ ସଫଳତାର ଚାବିକାଠି। ଏଇ ଚାବିକାଠିରେ ଏକ ବଡ ସଫଳତାକୁ ହାତମୁଠାରେ ପାଇ ପାରିଛନ୍ତି  ବରଗଡ଼ ଜିଲ୍ଲାର ଜଣେ ଚାଷୀ ପୁଅ।  ଦୃଢ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ଏଇ ଚଷା ପୁଅ ଆଜି ଇସ୍ରୋର ବୈଜ୍ଞାନିକ ହୋଇପାରିଛନ୍ତି ।

ବରଗଡ଼ ଜିଲ୍ଲା ଆମ୍ବଭନା ବ୍ଲକର ଝାରପାଲି ଗାଁର ନିହାର ରଞ୍ଜନ ପ୍ରଧାନ । ପିଲାଟି ବେଳରୁ ତାଙ୍କର ବିଜ୍ଞାନ ପ୍ରତି ଥିଲା ଆଗ୍ରହ।   ବାପା ରାଜକୁମାର ପ୍ରଧାନ ଓ ମା’ ପଙ୍କଜିନୀ ସାନ ପୁଅ ନିହାରଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିଜ ସାମର୍ଥ୍ୟ ଅନୁସାରେ ସହଯୋଗ କରିଛନ୍ତି।

ନିହାର ଗାଁ ସ୍କୁଲରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ। ପରେ ଅମ୍ବାଭୋନାସ୍ଥିତ କେଦାରନାଥ ଆଦିବାସୀ ହାଇସ୍କୁଲରେ ଅଷ୍ଟମରୁ ୧୦ମ ଶ୍ରେଣୀ ଯାଏ ପଢିଛନ୍ତି। ହାଇସ୍କୁଲ ଶିକ୍ଷା ସମାପ୍ତ ପରେ ନିହାର ବରଗଡ ବିକାଶ ଜୁନିୟର କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢିଲେ।

ଯୁକ୍ତ ଦୁଇ ପରେ ସେ ଜେଇଇ ମେନ୍‌ ଓ ଆଡ୍‌ଭାନ୍ସରେ ସଫଳ ହେବା ପରେ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ ଅଫ ସ୍ପେଶ ସାଇନ୍ସ ଆଣ୍ଡ ଟେକ୍ନୋଲଜି(ଆଇଆଇଏସ୍‌ଟି)ର ଏରୋସ୍ପେଶ ଇଞ୍ଜିନିୟରିଂ ବିଭାଗରେ ନାମ ଲେଖାଇଥିଲେ। ଚଳିତବର୍ଷ ସେଥିରେ ଗ୍ରାଜୁଏସନ ଶେଷ କରିଥିଲେ ନିହାର।

ପିଲାବେଳେ ନୂଆ ନୂଆ ଜିନିଷ ତିଆରି କରିବାର ଆଗ୍ରହ ଥିଲା ନିହାରଙ୍କର। ନୂଆ ନୂଆ ଜିନିଷ ବାହାର କରିବା ତାଙ୍କର ଖେଳ ଥିଲା। ପିଲାଦିନର ସେହି ଖେଳ ତାଙ୍କ ବୈଜ୍ଞାନିକ ଚିନ୍ତାଶକ୍ତିକୁ ଅଧିକ ପ୍ରଖର କରିଥିଲା। ପରେ ପରେ  ଜଣେ ବୈଜ୍ଞନିକ ହେବାର ସ୍ୱପ୍ନ ଦେଖିବାକୁ ଲାଗିଲେ ନିହାର। ଏବେ ବିକ୍ରମ ସରାବାଇ ସ୍ପେଶ ସେଣ୍ଟରରେ ସାଇଣ୍ଟିଷ୍ଟ ଇଞ୍ଜିନିୟର ଭାବେ ନିଯୁକ୍ତି ପାଇଛନ୍ତି। ରକେଟ ଟେକ୍ନୋଲଜିର ଅଧିକ ଡେଭଲପ କରିବା ପାଇଁ ସେ ତାଙ୍କର ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି।

ବରଗଡ ଜିଲ୍ଲା ଝାରପାଲି ଗାଁରୁ ଇସ୍ରୋ ସେଣ୍ଟର- ଏଇ ଲମ୍ବା ରାସ୍ତା ଏତେ ସହଜ ନ ଥିଲା। କିନ୍ତୁ ବାପା, ମା’ ଭାଇ, ଭଉଣୀଙ୍କ ସହଯୋଗ, ସହାୟତା ତାଙ୍କ ରାସ୍ତାକୁ ସୁଗମ କରି ଦେଇଥିଲା। ସବୁ ବାଧାବିଘ୍ନକୁ ସାମ୍ନା କରିବା ପାଇଁ ସାହସ ଯୋଗାଇଥିଲା।  ତେଣୁ  ନିଜର ଏଇ ସଫଳତା ପାଇଁ ବାପା-ମାଆ ଓ ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି ନିହାର।

ନିହାରଙ୍କ ସଫଳତା ଖବର ଶୁଣିବା ପରେ ଖାଲି  ପରିବାରରେ ନୁହେଁ,  ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

You might also like