ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ବିଶାଳ ପଡିଆରେ ତାଲିମ ନେଉଛନ୍ତି ଯୁବକ । ଦୌଡ଼, ଲଙ୍ଗ ଜମ୍ପ ,ହାଇ ଜମ୍ପ, ରଶି ସାହାଯ୍ୟରେ ଗଛ ଚଢିବା ,ଟାୟାର ତଳେ ଶୋଇ ଶୋଇ ଯିବା ଆଦି ସବୁ ପ୍ରକାରର ଶାରୀରିକ ତାଲିମ ଦିଆଯାଉଛି  ଭାରତୀୟ ସେନା ବାହିନୀରେ ଯୋଗ ଦେଇ ଦେଶ ସେବା ପାଇଁ ରାଜ୍ୟର ଯୁବକ ମାନଙ୍କୁ ଉତ୍ସାହିତ କରୁଛନ୍ତି ନୟାଗଡ଼ ରାଜ ସୁନାଖଳାର ଶ୍ରୀକାନ୍ତ ସାହୁ । ନିଃସ୍ୱାର୍ଥପର ଭାବନାରେ ପରିପୂର୍ଣ୍ଣ ମଣିଷ । ପାଇବାର ଆଶା ନାହିଁ, କିନ୍ତୁ ଦେବାରେ ଆନନ୍ଦ ମିଳୁଛି । ତାଙ୍କ ଠାରୁ ନିଃଶୁକ୍ଳ ତାଲିମ ପାଇ ଆଜି ଶତାଧିକ ଯୁବକ ସେନାରେ ଚାକିରୀ ମଧ୍ୟ କରିଛନ୍ତି ।

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ରାଜ ସୁନାଖଳାର ଶ୍ରୀକାନ୍ତ କୁମାର ସାହୁ । ପେଷାରେ ଜଣେ କ୍ଷୁଦ୍ର ବ୍ୟବସାୟୀ । ହେଲେ ନିଶା ସେନାରେ ସାମିଲ ହେବା ପାଇଁ ଯୁବକ ଯୁବତୀଙ୍କୁ ତାଲିମ ଦେବା । ତାହା ପୁଣି ବିନା ମୂଲ୍ୟରେ । ଶ୍ରୀକାନ୍ତ କିଶୋର ଜୀବନରେ ସେନାରେ ଚାକିରୀ ପାଇଁ ଅଭ୍ୟାସ କରିଥିଲେ କିନ୍ତୁ ପାରିବାରିକ ସମସ୍ୟା କାରଣରୁ ଦେଶ ସେବା କରିବାର ଅବସର ମିଳିପାରି ନଥିଲା । ହେଲେ ଜଣେ ସୈନିକ ମନୋଭାବ ନେଇ ତାଙ୍କ ଭିତରେ ସେନା ପାଇଁ ଥିବା ଦୁର୍ବଳତାକୁ ମାରି ପାରି ନଥିଲେ ଶ୍ରୀକାନ୍ତ । ଆଉ ଏଥିପାଇଁ ଦୀର୍ଘ ୪ ବର୍ଷ ହେବ ସେ ବିନା ମୂଲ୍ୟରେ ଶହ ଶହ ଯୁବକ ଯୁବତୀଙ୍କୁ ଗାଁ ପଡିଆ ମଧୁବନରେ ତାଲିମ ଦେଇ ଆସୁଛନ୍ତି ।

କେବଳ ଶାରୀରିକ, ଲିଖିତ,ସାଧାରଣ ଜ୍ଞାନ ନୁହେଁ ଶୃଙ୍ଖଳିତ ଜୀବନ ବଞ୍ଚିବାର ଶିକ୍ଷା ମଧ୍ୟ ଦିଆ ଯାଉଛି । ଦୀର୍ଘ ୪ ବର୍ଷ ହେବ ପଡିଆ ଭିତରେ ଥିବା ଏଇ ଛୋଟ ଘରେ ଚାଲିଛି ତାଲିମ ଏଠାରୁ ତାଲିମ ପାଇ ଆଜି ଶତାଧିକ ଯୁବକ ଭାରତୀୟ ସେନାରେ ଯୋଗ ଦେଇ ସେବା ଯୋଗାଉଛନ୍ତି । ଅଧିକ ସଂଖ୍ୟାରେ ଯୁବପିଢ଼ି ଏଠାରେ ତାଲିମ୍ ନେବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ତେବେ ବିନା ସରକାରୀ ପ୍ରୋତ୍ସାହନରେ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଏକାବେଳେ ଶିକ୍ଷା ଦେବା ସମ୍ଭବ ହୋଇ ପାରୁନି । ଆବଶ୍ୟକୀୟ ଶ୍ରେଣୀଗୃହ ନଥିବାରୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ତେବେ ବିନା ପ୍ରୋତ୍ସାହନ ଏବଂ ବିନା ମୂଲ୍ୟରେ ଶ୍ରୀକାନ୍ତଙ୍କ ଏହି ନିଃଶୁକ୍ଳ ସେବା ପାଇଁ ସେ ବେଶ ଚର୍ଚ୍ଚାରେ ରହିଛନ୍ତି ।

Other Stories