ଜଣେ ନିଃସ୍ୱାର୍ଥପର ମଣିଷର ତ୍ୟାଗକୁ ସଲାମ୍ ! ଚାକିରି ଛାଡ଼ି ଯୁବକଙ୍କୁ ମାଗଣାରେ ଆର୍ମି ଟ୍ରେନିଂ ଦେଉଛନ୍ତି ୨୮ବର୍ଷୀୟ ଯୁବକ ସିଲୁ

ନଦୀ କୂଳରେ ବାଲିପଠା ଉପରେ ଖୋଲିଛି ଆର୍ମି ବାରାକ୍

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ନଦୀ କୂଳରେ ବାଲିପଠା ଉପରେ ଖୋଲିଛି ଆର୍ମି ବାରାକ୍। ସେନା ପ୍ରଶିକ୍ଷଣ ପାଇଁ ହୋଇଛି ବିପୁଳ ବ୍ୟବସ୍ଥା। ପାରିଶ୍ରମିକ ଦେବାକୁ ପଡ଼ୁନି। ଜଣେ ନିସ୍ୱାର୍ଥପର ମଣିଷର ତ୍ୟାଗରେ ଚାଲିଛି ପ୍ରଶିକ୍ଷଣ। ଚାକିରି ଛାଡ଼ି ନିଜ ଅଂଚଳର ପିଲାଙ୍କୁ ମାଗଣାରରେ ଟ୍ରେନିଂ ଦେଉଛନ୍ତି ସିଲୁ ନାୟକ। ଶିକ୍ଷିତ ଯୁବକମାନଙ୍କୁ ଭାରତୀୟ ସେନାବାହିନୀ ଏବଂ ପୋଲିସରେ ଭର୍ତ୍ତି କରିବା ଉଦ୍ଦେଶ୍ୟରେ ଜଗତସିଂହପୁର ଜିଲ୍ଳା ନାଉଗାଁ ଥାନା ଅନ୍ତର୍ଗତ ଦେବୀ ନଦୀକୂଳରେ ପ୍ରତିଷ୍ଠା କରାଯାଇଛି ମହାଗୁରୁ ବାଟାଲିଅନ। ୨୦୧୬ ମସିହା ଠାରୁ ଏହି ବାଟାଲିଅନ ପ୍ରତିଷ୍ଠା କରି ନାଉଗାଁ,ବାଲିକୁଦା ପ୍ରଭୃତି ଅଞ୍ଚଳର ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇ ଆସୁଛନ୍ତି ୨୮ ବର୍ଷୀୟ ଯୁବକ।

ଜଗତସିଂହପୁର ଜିଲ୍ଳା ନାଉଗାଁ ଥାନା ଅନ୍ତର୍ଗତ ଅରଖକୁଦ ଗ୍ରାମର ବାଲୁଙ୍କି ନାୟକଙ୍କ ପୁଅ ସିଲୁ ନାୟକ । ପିଲାଟି ଦିନରୁ ସମାଜ ପାଇଁ କିଛି କରିବାର ତାଙ୍କର ଅଭିଳାଷ ଥିଲା। ମାତ୍ର ୨୩ ବର୍ଷ ବୟସରେ ସେ ରାଉରକେଲାରେ ପୋଲିସ୍ ଟ୍ରେନିଂ ନେଉଥିଲେ। ଫିଜିକାଲ ଟେଷ୍ଟ ସମୟରେ ଅନେକ ଭଲ ପିଲା ବିଫଳ ହେଉଥିବା ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ଫଳରେ ସେ ଟ୍ରେନିଂ ଅଧାରୁ ଘରକୁ ପଳାଇ ଆସି ଅରଖକୁଦ ଦେବୀ ନଦୀ କୂଳରେ ପ୍ରତିଷ୍ଠା କଲେ ମହାଗୁରୁ ବାଟାଲିଅନ। ଆଉ ତା’ପରେ ଆରମ୍ଭ ହୋଇଗଲା ସାଧନା।୫ ବର୍ଷ ଧରି ସକାଳେ ଓ ଅପରାହ୍ନରେ ବିନା ମୂଲ୍ୟରେ ନାଉଗାଁ ବ୍ଲକ ଏବଂ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ହାଇଜମ୍ପ, ଲଙ୍ଗଜମ୍ପ, ଦୈାଡ ପ୍ରଭୃତି ପ୍ରଶିକ୍ଷଣ ପ୍ରଦାନ କରି ଆସୁଛନ୍ତି ସିଲୁ ।

କେବଳ ଏତିକି ନୁହେଁ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତି ହେବାକୁ ମଧ୍ୟ ଏଠାରେ ବ୍ୟବସ୍ଥା କରାଯାଇଛି। ସାଧାରଣ ଜ୍ଞାନ,ଆରିଥମେଟିକ୍ ପ୍ରଭୃତି ଶିକ୍ଷା ଦିଆଯାଉଛି ଏହି ବାଟାଲିଅନ ଗୃହରେ। ସବୁଠାରୁ ଖୁସିର କଥା ହେଲା ଏହିଠାରେ ପ୍ରଶିକ୍ଷଣ ନେଇଥିବା ୪୦ରୁ ଉର୍ଦ୍ଧ୍ୱ ଯୁବକ ଏବେ ଭାରତୀୟ ସେନା, ଓଡିଶା ପୋଲିସ ଏବଂ ଅନ୍ୟ ସିକ୍ୟୁରିଟି ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଏବେ ପ୍ରାୟ ୬୦ ଜଣ ପିଲା ଏଠାରେ ପ୍ରଶିକ୍ଷଣ ନେଉଥିବା ବେଳେ ସରକାରୀ ସ୍ତରରେ ତାଙ୍କ ସଂସ୍ଥାକୁ ସ୍ୱୀକୃତି କିମ୍ବା କୈାଣସି ପ୍ରୋତ୍ସାହନ ମିଳିନଥିବାରୁ ଅବଶୋଷ ବ୍ୟକ୍ତ କରିଛନ୍ତି ସିଲୁ ।

ସିଲୁ ଭାଇ ଜଣେ ଦରଦୀ ମଣିଷ। ନାଉଗାଁ ତଥା ଆଖପାଖ ଅଞ୍ଚଳର ଯୁବକମାନେ କିଭଳି ବିପଥଗାମୀ ନହୋଇ ଅଧିକରୁ ଅଧିକ ଭାରତୀୟ ସେନା ତଥା ଅନ୍ୟ ସଂସ୍ଥାରେ ନିଯୁକ୍ତି ପାଇ ଦେଶସେବାରେ ଲାଗିପାରିବେ ସେଥିପାଇଁ ସେ ଉଦ୍ୟମ ଜାରି ରଖିଥିବା କହିଛନ୍ତି ଏଠାରେ ପ୍ରଶିକ୍ଷଣ ନେଇ ନିଯୁକ୍ତି ପାଇଥିବା ଯୁବକମାନେ । ଏପରିକି କୁସଙ୍ଗରେ ପଡି ଖରାପ ରାସ୍ତାକୁ ଚାଲି ଯାଇଥିବା ଯୁବକଙ୍କୁ ମଧ୍ୟ ସିଲୁ ନାୟକ ଏଠାରେ ପ୍ରଶିକ୍ଷଣ ଦେଇ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିଥିବା ଏହି ଯୁବକମାନେ କହିଛନ୍ତି ।

ସାଂମ୍ପ୍ରତିକ ସମାଜରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ କର୍ମସଂସ୍ଥାନ ନପାଇ ଅନେକ ଯୁବକ ବିପଥଗାମୀ ହୋଇ ପଡୁଥିବା ଲକ୍ଷ୍ୟ କରାଯାଉଛି। ଗୋଟିଏ ପଟେ ଆମେ ଯୁବ ଶକ୍ତି ରାଷ୍ଟ୍ର ଶକ୍ତି ବୋଲି ନାରା ଦେଉଥିବା ବେଳେ ଉପଯୁକ୍ତ ମାର୍ଗଦର୍ଶନ ଏବଂ ପ୍ରୋତ୍ସାହନ ଅଭାବରୁ ଆଜିର ଯୁବକମାନେ ନିଜ ପରିବାର ଓ ସମାଜ ପାଇଁ କିଛି କରିବା ପରିବର୍ତ୍ତେ ସମସ୍ୟା ହୋଇ ଉଭା ହେଉଛନ୍ତି । ତେବେ ଏହିଭଳି ସମୟରେ ନିଜ କଥା ଚିନ୍ତା ନକରି ସମସ୍ତଙ୍କ ପାଇଁ ଜୀବନକୁ ଉତ୍ସର୍ଗ କରିଥିବା ଏହି ଯୁବକଙ୍କୁ ଶତ ଶତ ପ୍ରଣାମ।

You might also like