ସେଲ୍‌ଫି ନେଲେ, ସାଙ୍ଗକୁ ଭିଡିଓ କଲିଂ କରି Waterfall ଦୃଶ୍ୟ ଦେଖାଉଥିଲେ, ହଠାତ୍‌…

ଦେବଗଡ଼: କାଳ ହେଲା ସେଲ୍‌ଫି ନିଶା। ସେଲ୍‌ଫି ନେବା ସହ ଭିଡିଓ କଲିଂ ବେଳେ ଝରଣାରେ ବୁଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଦେବଗଡ ଜିଲ୍ଲା ସଦର ମହକୁମା ସ୍ଥିତ ପ୍ରଧାନପାଟ ଜଳ ପ୍ରପାତର ୧ ନମ୍ବର ଜଳକୁଣ୍ଡରେ ଏହି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଦେବଗଡ଼ର ବ୍ୟବସାୟୀ ସ୍ୱର୍ଗତଃ କ୍ରିଷ୍ନା ପ୍ରସାଦଙ୍କ ପୁଅ ଶୁଭମ ପ୍ରସାଦ ଗତକାଲି ସକାଳେ ପ୍ରଧାନପାଟ ଜଳପ୍ରପାତର ଉପର ମୁଣ୍ଡରେ ପାହାଡ ଉପରେ ଥିବା ଜଳକୁଣ୍ଡକୁ ଯାଇଥିଲେ। ଜଳକୁଣ୍ଡ ନିକଟରେ ଠିଆ ହୋଇ ସେଲ୍‌ଫି ନେବା ସହ ତାଙ୍କର ଜଣେ ବନ୍ଧୁଙ୍କ ସହ ଭିଡିଓ କଲିଂ କରି ଜଳପ୍ରପାତର ଦୃଶ୍ୟ ଦେଖାଉଥିଲେ। ଏହି ସମୟରେ ତାଙ୍କର ଗୋଡ଼ ଖସି ଯିବାରୁ ସେ ଜଳକୁଣ୍ଡରେ ପଡ଼ିଯିବା ସହ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିଲେ।

ତାଙ୍କ ମୋବାଇଲ୍‌ ସୁଇଚ୍‌ ଅଫ୍‌ ଆସିବାରୁ ବ୍ୟତିବ୍ୟସ୍ତ ହୋଇ ପରିବାର ଲୋକେ ଗତକାଲି ଶୁଭମ୍‌ଙ୍କୁ ବହୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ନ ପାଇବାରୁ ଆଜି ସକାଳୁ ଖବର ପାଇ ଜଳପ୍ରପାତ ନିକଟକୁ ଯାଇଥିଲେ। ଏହି ସମୟରେ ମୃତଦେହ ଜଳକୁଣ୍ଡରେ ଭାସୁଥିବା ଦେଖିବାକୁ ପାଇଥିଲେ। ଖବରପାଇ ପୋଲିସ୍‌ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।

ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଶୁଭମ୍‌ ତାଙ୍କର ଯେଉଁ ସାଙ୍ଗଙ୍କ ଭିଡିଓ କଲିଂରେ  କଥା ହେଉଥିଲେ, ତାଙ୍କ କଥାରୁ ଜଣାପଡ଼ିଛି, ଶୁଭମ୍‌ ସେଲଫି ନେଉଥିବା ବେଳେ ଖସିପଡ଼ି ଜଳକୁଣ୍ଡରେ ପଡ଼ିଯିବା ସହ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

You might also like