ପଟ୍ଟାମୁଣ୍ଡାଇର ରଞ୍ଜନ ସାହୁଙ୍କ ସ୍ୱାବଲମ୍ବୀ ହେବାର କାହାଣୀ

ତାଲାବନ୍ଦ ବେଳେ ଚାକିରି ହରାଇବା ପରେ ଖୋଲିଲେ ଟେକ୍ସଟାଇଲ୍ କମ୍ପାନୀ,ଗାଁରେ ୫୦ରୁ ଅଧିକ ଲୋକଙ୍କୁ କରିଛନ୍ତି ରୋଜଗାରକ୍ଷମ

ପଟ୍ଟାମୁଣ୍ଡା( ପ୍ରବୀର ନାୟକ): ସ୍ୱାବଲମ୍ବୀ କଲା କରୋନା । କରୋନା ପ୍ରଥମ ପର୍ଯ୍ୟାୟ ଲକଡାଉନ ସମୟରେ ଚାକିରି ହରାଇ ବସିଥିଲେ ଯୁବକ । ବେଙ୍ଗାଲୁରୁରେ କାମ କରୁଥିବା ବେଳେ କମ୍ପାନୀ ବନ୍ଦ ହୋଇଯାଇଥିଲା । ଅନ୍ୟ କିଛି ଉପାୟ ନପାଇ ଗାଁକୁ ଫେରିଆସିଥିଲେ । ତେବେ ଗାଁକୁ ଆସି ନିଜର ଏକ ଟେକ୍ସଟାଇଲ୍ କମ୍ପାନୀ ଖୋଲି ୫୦ରୁ ଅଧିକ ଲୋକଙ୍କୁ ରୋଜଗାରକ୍ଷମ କରିଛନ୍ତି କେନ୍ଦ୍ରାପଡାର ରଞ୍ଜନ କୁମାର ସାହୁ ।

ତାଲାବନ୍ଦ ସମୟରେ ସବୁ ଠପ୍ ହୋଇଗଲା । ଜଣଙ୍କ ରୋଜଗାର ପରିବାର ଚଳାଇବାକୁ ନିଅଣ୍ଟ ହେଉଥିଲା । ଆଉ ଏପରି ସମୟରେ  ଘରେ ବସି ରହିଥିବା ମହିଳାଙ୍କୁ ରୋଜଗାର ଯୋଗାଇଦେଲେ ରଞ୍ଜନ କୁମାର ସାହୁ । ଏବେ ମହିଳାମାନେ  ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଡ୍ରେସ୍ ତିଆରି କରୁଛନ୍ତି ।  କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗୁଣ୍ଠି ଗାଁରେ ରୁହନ୍ତି ରଞ୍ଜନ, ବୟସ ୩୬  । ସେ ବେଙ୍ଗାଲୁରୁରେ ଚାକିରି କରୁଥିଲେ ।  ତାଲାବନ୍ଦ ସମୟରେ ସେ କାମ କରୁଥିବା କମ୍ପାନୀ ବନ୍ଦ ହୋଇଗଲା । ଗାଁକୁ ଫେରି ନିଜର ଗୋଟେ ଟେକ୍ସଟାଇଲ କମ୍ପାନୀ ପ୍ରତିଷ୍ଠା କରିବା ପାଇଁ ଚିନ୍ତା କଲେ । ରଞ୍ଜନ ସାଙ୍ଗ ସାଥୀଙ୍କ ସହଯୋଗରେ ସେ କମ୍ପାନୀ ପ୍ରତିଷ୍ଠା କଲେ । ଏବେ ଅନ୍ୟ ରାଜ୍ୟରୁ କଞ୍ଚାମାଲ ଆଣି ସ୍ଥାନୀୟ ଯୁବକ ଯୁବତୀଙ୍କ ସହାୟତାରେ ଡ୍ରେସ୍ ତିଆରି କରି ବିକ୍ରି କରୁଛନ୍ତିିି ରଞ୍ଜନ ।

ରଞ୍ଜନ କହିଛନ୍ତି, ତାଲାବନ୍ଦ ସମୟରେ କମ୍ପାନୀ ରଖିଲାନି, ଘରକୁ ଚାଲିଯିବାକୁ କହିଲା । ଗାଁକୁ ଫେରିବା ପରେ ଦୁଇରୁ ତିନି ମାସ ବସିବାକୁ ପଡ଼ିଲା । ବାହାର ରାଜ୍ୟରେ କାମ କରୁଥିବା ପିଲା ବି ସବୁ ଗାଁରେ ବୁଲୁଥିଲେ । ଏପରି ସମୟରେ ଟେକ୍ପଟାଇଲ କମ୍ପାନୀ କରିଥିବାରୁ ମୁଁ ବହୁତ ଖୁସି ଅଛି । ଭଲ ରୋଜଗାର ହେବା ସହ ଲୋକଙ୍କୁ ରୋଜଗାର ମିଳୁଛି । 

ନିଜର ଏହି ଟେକ୍ସଟାଇନ୍ କମ୍ପାନୀରେ ରଞ୍ଜନ ବାହାର ରାଜ୍ୟକୁ ଦାଦନ ଖଟି ଫେରିଥିବା ୫୦ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଥମେ କଲିକତାରୁ ୩ ଜଣ ପ୍ରଶିକ୍ଷକଙ୍କୁ ଆଣି ଯୁବତୀ ମାନଙ୍କୁ କପଡା ପ୍ରସ୍ତୁତ କରିବାର ପ୍ରଶିକ୍ଷଣ ଦିଆଯାଇଥିଲା  । ଏବେ ସେହି ପ୍ରଶିକ୍ଷଣ ଆଧାରରେ ବିଭିନ୍ନ ଭେରାଇଟିର ଡ୍ରେସ୍ ପ୍ରସ୍ତୁତ କରୁଛନ୍ତି ମହିଳାମାନେ । ସେପଟେ ବାହାର ରାଜ୍ୟକୁ ନଯାଇ ଘର ପାଖରେ ରହି ରୋଜଗାରକ୍ଷମ ହୋଇପାରୁଥିବାରୁ ବେଶ୍ ଖୁସି ଅଛନ୍ତି ଏହି ଟେକ୍ସଟାଇଲ୍ କମ୍ପାନୀରେ କାମ କରୁଥିବା କର୍ମଚାରୀ । କରୋନା ଯେ କେବଳ ଜୀବନ ଜୀବିକା ନେଇଛି ତାହା ନୁହେଁ ବିପରୀତ ପରିସ୍ଥିତିରେ ଅଣ୍ଟା ଭିଡି ଛିଡ଼ା ହେବା ଶିଖେଇଛି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ରଞ୍ଜନ ସାହୁ ।

You might also like