ଝିଅ ଦେବେ କହି ଆକାଉଣ୍ଟ ଖୋଳ କରିଦେଲେ

ଭୁବନେଶ୍ୱର: ସାଇବର ଲୁଟେରାଙ୍କ କବଳରେ ଉଚ୍ଚଶିକ୍ଷିତ। ଆଖି ପିଛୁଳାକେ ଆକାଉଣ୍ଟରୁ ଚଳୁ କରିଦେଲେ ସବୁତକ ଟଙ୍କା। ସାଇବର ଲୁଟେରାଙ୍କ ଠକେଇର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଯୁବ ଇଂଜିନିୟର।  ଯୁବତୀ ଯୋଗାଇ ଦେବାକୁ କହି ଗୁଗୁଲ ପେ ମାଧ୍ୟମରେ ତାଙ୍କଠାରୁ ୯୪ ହଜାର ଟଙ୍କା ନେଇଛନ୍ତି ଏହି ଦୁର୍ବୃତ୍ତ। ଏହା ପରେ ଇଣ୍ଡିଆ ଏସ୍କର୍ଟ ସର୍ଭିସ ନାଁରେ ସେହି ଯୁବକ ଜଣକ ମାମଲା ରୁଜୁ କରିଛନ୍ତି। ଗୁଗୁଲ ପେ ମାଧ୍ୟମରେ ତାଙ୍କଠାରୁ ଏତେ ଟଙ୍କା ନେଇ ଯାଇଥିବା ସେ କହିଛନ୍ତି। ପ୍ରାଥମିକ ସୂଚନା ଅନୁସାରେ ପଶ୍ଚିମବଙ୍ଗର ଶିଲିଗୁଡିରୁ ସେହି ଦୁର୍ବୃତ୍ତ ଜଣକ ଅପରେଟ କରୁଥିଲା ବୋଲି ଜଣାପଡ଼ିଛି।

ଗତ ୨ ଦିନରେ ମୋ ଆକାଉଣ୍ଟରୁ ୯୪ ହଜାର ଟଙ୍କା କଟିଯାଇଛି। ମୋତେ ବାରମ୍ବାର ଫୋନ୍ କଲ୍ ଆସୁଥିଲା। ପ୍ରଥମ ଦିନରେ ୭୪ ହଜାର ଓ ଦ୍ୱିତୀୟ ଦିନରେ ଅବଶିଷ୍ଟ ଟଙ୍କା କଟିଯାଇଥିଲା। ଏଣ୍ଡିଆ ଏସ୍‌କର୍ଟ ସର୍ଭିସ୍ ନାଁରେ ମୁଁ ଏତଲା ଦେଇଛି। ଏନେଇ ସାଇବର କ୍ରାଇମ ଏହାର ତଦନ୍ତ କରିବା ପାଇଁ ମୁଁ ନିବେଦନ କରୁଛି। ମୋ ଟଙ୍କା କିଭଳି ମୁଁ ଫେରିପାଇବି ଓ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମୁଁ ଦାବି କରୁଛି।
-ଲୁଟ୍‌ର ଶିକାର ହୋଇଥିବା ଯୁବ ଇଂଜିନିୟର
ଫେସବୁକ୍‌ରୁ କିଛି ଝିଅଙ୍କ ଫଟୋ ଆଣି ଏହାକୁ ଏସ୍‌କର୍ଟ ସର୍ଭିସ୍ ନାଁରେ ପଠେଇଛନ୍ତି। କଥା ହେବା ସମୟରେ ଗୁଗୁଲ ପେରୁ ପଇସା କଟିବା ଏହା ସମ୍ଭବ ନୁହେଁ। ଗୁଗଲ ପେ ରେ ଆମାଉଣ୍ଟ୍ ଓ ପାସୱାର୍ଡ ନମ୍ବର ଦେବା ପରେ ହିଁ ଆକାଉଣ୍ଟରୁ ଟଙ୍କା କଟିବ। ସେ ନିଶ୍ଚିତ ଭାବେ ଟ୍ରାନ୍ସଫର ଉପରେ କ୍ଲିକ୍ କରିଛନ୍ତି। ଅଥବା କୌଣସି ଆପ୍‌  ଇନ୍‌ଷ୍ଟାଲ କରିଥିବାରୁ ଟଙ୍କା ଟ୍ରାନ୍ସଫର ହୋଇଛି। ଏ ଦିଗରେ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ।
-ପ୍ରଶାନ୍ତ ସାହୁ, ସାଇବର ଏକ୍ସପର୍ଟ

କିଛି ଦିନ ତଳେ ଠକେଇ ଶିକାର ହୋଇଥିଲେ ଜଣେ ସପ୍ଟୱର ଇଂଜିନିୟର। ଭୁବନେଶ୍ୱର ଡମଣା ଅଞ୍ଚଳର ଜଣେ ଯୁବତୀଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଗାଏବ ହୋଇଯାଇଥିଲା। ସେ ପେଟିଏମ୍ ମାଧ୍ୟମରେ ୨୮୦ ଟଙ୍କାର ଏୟାରଟେଲ ଡିଟିଏଚ୍ ରିଚାର୍ଜ କରୁଥିଲେ। ଆକାଉଣ୍ଟରୁ ଟଙ୍କା କଟିଲା, ୨୦ ଟଙ୍କା କ୍ୟାସବ୍ୟାକ୍‌ ବି ଆସିଲା। ହେଲେ ଟିଭି ରିଚାର୍ଜ ନହେବାରୁ ସେ ଗୁଗୁଲକୁ ଯାଇ ଏୟାରଟେଲ କଷ୍ଟମର କେୟାର ନମ୍ବର ସର୍ଚ୍ଚ କରିଥିଲେ କିନ୍ତୁ ସେ ଜାଣିନଥିଲେ, ଏହା ଏକ ଫ୍ରଡ୍ ନମ୍ବର ଥିଲା ବୋଲି।

ସେହି ଫ୍ରଡ୍ ନମ୍ବରରୁ ସମ୍ପୃକ୍ତ ଯୁବତୀଙ୍କ ପାଖକୁ ଏକ ଲିଙ୍କ୍ ଆସିଥିଲା, ଯେଉଁଥିରେ ସେ ତାଙ୍କ ଆକାଉଣ୍ଟ ନମ୍ବର, IFSC କୋଡ୍ ଓ ଶେଷରେ UPI ନମ୍ବର ମଧ୍ୟ ଭୁଲରେ ଦେଇଥିଲେ। ଏହାପରେ ଆକାଉଣ୍ଟରୁ ପ୍ରଥମେ ୭୮ ହଜାର ପରେ ୨୧ ହଜାର ଏଭଳି ୨ଟି କିସ୍ତିରେ ପ୍ରାୟ ଲକ୍ଷେ ଟଙ୍କା ଆକାଉଣ୍ଟରୁ କଟିଯାଇଥିଲା। ଏନେଇ ସେ ପ୍ରଥମେ ଚନ୍ଦ୍ରଶେଖରପୁର ଥାନା ଓ ପରେ ସାଇବର ଥାନାରେ ଏତଲା ଦେଇଥିଲେ।

ରାଜ୍ୟରେ ସାଇବର ଠକେଇ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରେ ଲଗାମ ଲଗାଇବାକୁ ସାଇବର ଠକେଇ ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ ଏକ ହେଲ୍‌ପ ଡେସ୍କ ଖୋଲାଯାଇଛି। କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍‌ରେ ଆରମ୍ଭ ହୋଇଛି ଏହି ହେଲ୍‌ପ ଡେସ୍କ। ତା ସହିତ ଏକ ଫୋନ୍ ନମ୍ବର ମଧ୍ୟ ଜାରି କରାଯାଇଛି। ସାଇବର ଠକେଇର ଶିକାର ହୋଇଥିବା ବ୍ୟକ୍ତି 744-000-6709 ଏହି ନମ୍ବର ଜଣାଇବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ପୋଲିସ୍ ଆଖିରେ ଅଙ୍ଗୁଳି ଗେଞ୍ଜି ସବୁକିଛି ଲୁଟ୍ କରି ନେଇଯାଉଛନ୍ତି। ପୋଲିସ୍ ଡାଳେ ଡାଳେ ଗଲେ ଲୁଟେରା ପତ୍ରେ ପତ୍ରେ ଯାଉଛନ୍ତି।

ପୋଲିସ କମିଶନର ସୁଧାଂଷୁ ଷଡ଼ଙ୍ଗୀ କହିବାନୁସାରେ, ଠକେଇର ପ୍ରଥମ ୧ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ଥିବାରୁ ଏହି ସମୟ ମଧ୍ୟରେ ହେଲ୍‌ପ ଡେସ୍କରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଏହି ହେଲ୍‌ପ ଡେସ୍କରେ ଜଣେ ସବ୍ ଇନ୍ସପେକ୍ଟର ଏବଂ ୭ ଜଣ କନଷ୍ଟେବଲଙ୍କୁ ଦାୟିତ୍ୱ ଦିଆଯାଇଛି।

ସାଇବର ଠକାମୀ ବିଷୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ତଥ୍ୟ କହୁଛି, ଗତବର୍ଷ ଦେଶରେ କୋଲକତାରୁ ସର୍ବାଧିକ ୧୫ କୋଟି ଟଙ୍କା ସାଇବର୍ ଠକେଇ ହୋଇଥିବା ବେଳେ, ଓଡ଼ିଶାରେ ୬୨ ଲକ୍ଷରୁ ଅଧିକ ଟଙ୍କା ଗାଏବ ହୋଇଛି। ଏଭଳି ଅପରାଧ ରୋକିବାକୁ ମନ୍ତ୍ରାଳୟ ପକ୍ଷରୁ ସାଇବର୍ ସେଫ୍ ପୋର୍ଟାଲ୍ ତିଆରି କରାଯାଇ, ସେଥିରେ ଦେଶର ସବୁ ବ୍ୟାଙ୍କ୍, ଫୋନ୍ ସେବା ପ୍ରଦାନକାରୀ ସଂସ୍ଥା ଓ ସୁରକ୍ଷା ସଂସ୍ଥାକୁ ଯୋଡ଼ାଯାଇଛି। ଏହା ଦ୍ୱାରା ଏଯାବତ୍ ଠକେଇ ଲିଙ୍କରେ ୨୫ ହଜାର ମୋବାଇଲ୍ ନମ୍ବର ବ୍ୟାନ୍ କରାଗଲାଣି।
You might also like