ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବା ବାଟରେ ଚାଲିଗଲା ପୁଅର ଜୀବନ

ବୌଦ୍ଧ(ଭାର୍ଜନ ପ୍ରଧାନ): ଏମିତି ବି ଆସେ ମୃତ୍ୟୁ ! ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତରଭା ଅଞ୍ଚଳର ଅରୁଣ ମେହେର।

ସୂଚନା ଅନୁସାରେ, ବାପାଙ୍କ ଅନ୍ତିମ ସଂସ୍କାର ସାରି ଅରୁଣ, ସମ୍ପର୍କୀୟଙ୍କ ସହ ଏକ କାର୍‌ରେ ଆଜି ସକାଳେ ଫୁରୀରୁ ଫେରୁଥିଲେ। ଏହି ସମୟରେ ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣା କଟକ ଥାନା ଅନ୍ତର୍ଗତ କରଡ଼ାକୋଠା ଠାରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ କାର୍ ସାମ୍ନା ପଟୁ‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଅରୁଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଏମାନେ ଅରୁଣଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି। ୪ ଗୁରୁତର ହେଲେ-ବଲାଙ୍ଗୀର ଜିଲ୍ଲା ରୁଗୁଡିପାଲି ଅଞ୍ଚଳର ଛବି ମେହେର,ବେଳପଦରର ବିଦୁଭୂଷଣ ମେହେର,ଅଶୋକ ମେହେର ଓ ରାମ ମେହେର। ଗୁରୁତରଙ୍କୁ ପ୍ରଥମେ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

ଖବରପାଇ ହରଭଙ୍ଗା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଉଦ୍ଧାର କରିଥିଲେ। ପୁରୁଣା କଟକ ପୋଲିସ୍‌ ଘଟଣାର ତଦନ୍ତ କରୁଛି।

You might also like