ବିଧାନସଭା ଆଗରେ ପୁଣି ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ବିଧାନସଭା ସାମ୍ନାରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ହଂସପାଳ ଅଞ୍ଚଳର ବୋଲି ସୂଚନା ମିଳିଛି। ତେବେ ମଞ୍ଚେଶ୍ୱର ଥାନା କିଛି ଶୁଣୁନଥିବା ପ୍ରତିବାଦରେ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି।

ପାରିବାରିକ କଳିକୁ ନେଇ ସେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ତାଙ୍କୁ ଅନ୍ୟମାନେ ହତ୍ୟା ଉଦ୍ୟମ କରୁଥିବା ସେ ଅଭିଯୋଗ କରିଥିଲେ। ତେବେ ପୋଲିସ କିଛି ଶୁଣୁନଥିବା ପ୍ରତିବାଦରେ ଆଜି ସଂପୃକ୍ତ ବ୍ୟକ୍ତି ଆତ୍ମାହୁତି ଉଦ୍ୟମ କରିଥିଲେ। ପେଟ୍ରୋଲ ଧରି ଆତ୍ମାହୁତି ଉଦ୍ୟମ ବେଳେ ତାଙ୍କୁ ପୋଲିସ ଉଦ୍ଧାର କରିଛି। ସେ ଜଣେ ଫଳ ବ୍ୟବସାୟୀ ବୋଲି ଜଣାପଡ଼ିଛି।

ରାଜ୍ୟରୁ ଯେଉଁମାନେ ନ୍ୟାୟ ପାଇବା ପାଇଁ ଅପେକ୍ଷା କରୁଛନ୍ତି, ଆଉ ଶେଷରେ ପାଉନାହାନ୍ତି, ସେମାନେ ଅତିଷ୍ଠ ହୋଇ ବିଧାନସଭା ସାମ୍ନାରେ ଆତ୍ମାହୁତି ଉଦ୍ୟମ କରୁଛନ୍ତି। ନିକଟରେ ନୟାଗଡ଼ର ନାବାଳିକା ହତ୍ୟାକାଣ୍ଡକୁ ନେଇ ମୃତ ନାବାଳିକାର ବାପାମା ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେହିପରି ପୁଅ ହତ୍ୟାର ନ୍ୟାୟ ପାଇବା ପାଇଁ ଜଗତସିଂହପୁରରୁ ଆସି ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିପରି ଆଠଗଡର ଚାଷୀମାନେ ମଧ୍ୟ ସମାନ ଉଦ୍ୟମ କରିଥିଲେ

ସେପଟେ ବିଧାନସଭା ଆଗରେ ଆଜିର ଆତ୍ମଦାହ ଉଦ୍ୟମ ଏବଂ ଗତ ଅଧିବେଶନ ବେଳେ ଯେଉଁଭଳି ଢଙ୍ଗରେ ଗୋଟିଏ ପରେ ଗୋଟିଏ ଆତ୍ମଦାହ ଉଦ୍ୟମ ହୋଇଥିଲା। ତାକୁ ରୋକିବା ଏବେ କମିଶନରେଟ୍ ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏଥର ଅଧିବେଶନ ସମୟରେ ସେଭଳି ଅପ୍ରୀତିକର ସ୍ଥିତି ରୋକିବାକୁ ପୋଲିସ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି। ବିଧାନସଭାକୁ ସଂଯୋଗ କରୁଥିବା କିଛି ରାସ୍ତାକୁ ନୋ ମ୍ୟାନ୍ ଏରିଆ କରାଯିବ। କଟକଣା ଆସନ୍ତାକାଲିଠାରୁ ଆରମ୍ଭ କରି ବିଧାନସଭାର କାର୍ଯ୍ୟଦିବସଗୁଡ଼ିକରେ ଲାଗୁ ହେବ।

ସେପଟେ ବିଧାନସଭା ଆଗରେ ଆତ୍ମାହୂତି ଉଦ୍ୟମରୁ ନିବୃତ୍ତ ରହିବାକୁ ଲୋକମାନଙ୍କୁ ପୋଲିସ୍ କମିଶନର ଅପିଲ୍ କରିଛନ୍ତି। ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସେପଟେ ବିଧାନସଭା ଅଧିବେଶନ ପୂର୍ବରୁ ଆଜି ପୋଲିସ ଡିଜି ଅଭୟ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ମୋଟ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବ। ଗୁଇନ୍ଦା ବିଭାଗର କର୍ମଚାରୀ ସାଦା ପୋଷାକରେ ମୁତୟନ ରହିବେ। ଏଥିସହ ଅଧିବେଶନ ବେଳେ ଲୋୟର ପିଏମ୍‌ଜିରେ ବିକ୍ଷୋଭକାରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି।

You might also like