ଓଦା, ମଇଳା, ଚିରା ଫଟା ନୋଟ୍‌କୁ ବଦଳାଇ ପାରିବେ

ସବୁ ବ୍ୟାଙ୍କକୁ ନିର୍ଦ୍ଦେଶ ଜାରି କଲା ରିଜର୍ଭ ବ୍ୟାଙ୍କ

ଭୁବନେଶ୍ୱର :  ବାତ୍ୟା ‘ଫୋନି’ରେ ଓଦା ହୋଇଯାଇଥିବା ନୋଟ୍‌ ବଦଳରେ ଭଲ ନୋଟ୍‌ ପାଇ ପାରିବେ ଲୋକେ। ଏନେଇ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ୍‌। ଓଦା ନୋଟ୍‌କୁ ଶୁଖାଇ ବ୍ୟାଙ୍କ୍‌ରେ ବଦଳା ଯାଇପାରିବ।

ତେବେ ମଇଳା, ଚିରା ଫଟା, ଖଣ୍ଡଖଣ୍ଡ ହୋଇଯାଇଥିବା, ଗୁଣ୍ଡ ହୋଇଯାଇଥିବା, ପୋଡ଼ିଯାଇଥିବା, ଅଠା ହୋଇ ଲାଗିଯାଇଥିବା ନୋଟ୍‌ ଗୁଡ଼ିକ ବଦଳାଇବା ପାଇଁ ଆସୁଥିବା ଜନସାଧାରଣଙ୍କୁ ସଠିକ୍‌ ଭାବେ ମାର୍ଗଦର୍ଶନ କରିବାକୁ ବ୍ୟାଙ୍କ୍‌ ଗୁଡ଼ିକୁ ରିଜର୍ଭ ବ୍ୟାଙ୍କ୍‌ ନିର୍ଦ୍ଦେଶ ଦେଇଛି। ମଳିନ, କଟା ଫଟା, ତ୍ରୁଟି ଯୁକ୍ତ ନୋଟ୍‌ ଯେକୌଣସି ବ୍ୟାଙ୍କ୍‌ ଶାଖାରେ ବଦଳାଯାଇପାରିବ।

ଯେଉଁ ନୋଟ ଗୁଡ଼ିକ ଅତି ମାତ୍ରାରେ ନଷ୍ଟ ହୋଇଯାଇଛି, ସେଗୁଡ଼ିକ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ରେ ଜମା କରାଯାଇପାରିବ। ଏହାଛଡ଼ା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଏହାର କର୍ମଚାରୀଙ୍କୁ ଗୋଟିଏ ବା ଅଧିକ ଦିନର ଦରମା ବାତ୍ୟା ବିପନ୍ନଙ୍କ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ଦାନ କରିବାକୁ ଅନୁରୋଧ କରିଛି।

 

You might also like