ହଳଦିଆ ରଙ୍ଗର ତାଇୱାନ ତରଭୁଜ : ଖାଲି ରଙ୍ଗ ଭିନ୍ନ ତା ନୁହେଁ ସ୍ୱାଦ ମଧ୍ୟ ଅଧିକ

ଗ୍ରାହକଙ୍କ ମଧ୍ୟରେ ବେଶ ଡିମାଣ୍ଡ

ବାରିପଦା(ମାଣିକଲାଲ୍ ପାଣି) : ଖରାଦିନେ ବଢିଯାଏ ତରଭୁଜର ଚାହିଦା । ରୌଦ୍ର ତାପରୁ ରକ୍ଷା ପାଇଁ ଲାଲ ଟହ ଟହ ତରଭୁଜ ଖାଇବାକୁ କାହାବୁ ବା ଭଲ ନଲାଗେ । ହେଲେ ତରଭୁଜ କେବେ ହଳଦିଆ ରଙ୍ଗର ଦେଖିଛନ୍ତି ? ଖାଲି ରଙ୍ଗ ଭିନ୍ନ ନୁହେଁ, ଏହା ସୁସ୍ୱାଦୁ ଓ ମିଠା ମଧ୍ୟ । ତେବେ ଏହି ତରଭୁଜକୁ ତାଇୱାନ ବ୍ରିଡର କୁହାଯାଉଥିବା । ଗ୍ରାହକଙ୍କ ମଧ୍ୟରେ ଏହି ହଳଦିଆ ତରଭୁଜର ବେଶ ଡିମାଣ୍ଡ ଦେଖିବାକୁ ମିଳୁଛି ।

ସବୁଜ କ୍ଷେତରେ ଯେଉଁ ଆଡେ ଦେଖିବ ଖାଲି ତରଭୁଜ ଆଉ ତରଭୁଜ । ହେଲେ ସାଧାରଣତଃ ମିଳୁଥିବା ତରଭୁଜ ଠାରୁ ଏହା ଟିକେ ଭିନ୍ନ । ଲାଲ ବଦଳରେ ହଳଦିଆ ତରଭୁଜ ଚାଷ କରିଛନ୍ତି ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ମଛପଦା ଗାଁର ଦୁଇ ଜଣ ଚାଷୀ । ଖାଲି ରଙ୍ଗ ଭିନ୍ନ ତା ନୁହେଁ ସ୍ୱାଦ ଓ ମିଠା ବି ଅଧିକ । ନାଲି ଅପେକ୍ଷା ହଳଦିଆ ତରଭୁଜରରେ ମଞ୍ଜି ବି କମ୍ । ତେଣୁ ଖାଇ‍ବାକୁ ବେଶ୍ ସହଜ ହୋଇଛି । ହଳଦିଆ ତରଭୁଜ ଭଲ ଅମଳ ହେବା ସହ ଏଥିରେ ଲାଭ ବି ଅଧିକ ବୋଲି ସେମାନେ କହିଛନ୍ତି ।

ଚାଷୀ କମଳାକାନ୍ତ ଦତ୍ତ କହିଛନ୍ତି, ୟୁଟ୍ୟୁବରେ ହଳଦିଆ ତରଭୁଜ ବିଷୟରେ ଦେଖିଥିଲେ । ଆଉ ତା’ପରେ ଭିନ୍ନ ରଙ୍ଗର ତରଭୁଜ ଚାଷ କରିବା ପାଇଁ ମନ ବଳାଇଥିଲେ । ହଳଦିଆ ତରଭୁଜକୁ ଆରୋହି ନାମ ଦିଆଯାଇଛି । ପାଖାପାଖି ୮୦ରୁ ୮୫ ଦିନ ଭିତରେ ଏହି ଭିନ୍ନ ରଙ୍ଗର ତରଭୁଜ ଅମଳ ହେଉଛି । 

ଅନ୍ୟପଟେ ଆଉ ଜଣେ ଚାଷୀ ଅମୂଲ୍ୟ ଦତ୍ତ କହିଛନ୍ତି, ଏହି ଚାଷରେ ସଫଳତା ମିଳିଛି । ଆଗାମୀ ଦିନରେ ହଳଦିଆ ତରଭୁଜର ଡିମାଣ୍ଡ ବଢ଼ିବ ବୋଲି ଆଶା କରୁଛୁ । ତେବେ ଏହି ଚାଷରେ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨ ଲକ୍ଷ ଲାଭ ହୋଇଥିବା ସେ କହିଛନ୍ତି । 

ଏହି ତରଭୁଜ କୃତ୍ରିମ କି ରଙ୍ଗଯୁକ୍ତ ନୁହେଁ ଏହାକୁ ତାଇଓ୍ୱାନ୍ ବ୍ରିଡର ତରଭୁଜ ବୋଲି କୁହାଯାଉଛି । କମ୍ ଖର୍ଚ୍ଚରେ ଭଲ ଅମଳ ହେବା ସହ ଅଧିକ ଲାଭ ବି ହେଉଛି । ସ୍ଥାନୀୟ ବଜାରକୁ ପ୍ରଥମ କରି ଆସିଥିବାରୁ ଚାହିଦା ବି ବେଶ ରହିଛି । ସ୍ଥାନୀୟ ମାର୍କେଟରେ କିଲୋପ୍ରତି ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି ଏହି ହଳଦିଆ ତରଭୁଜ ।

You might also like