ଦାନା ବାନ୍ଧୁଛି ଲଘୁଚାପ, ୫ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଉପକୂଳରେ ପ୍ରବଳ ବର୍ଷିବା ସହ ସର୍ବାଧିକ ୫୦ କିମି ବେଗରେ ବହିବ ପବନ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

୨୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମି ବେଗରେ ପବନ ସମ୍ଭାବନା ରହିଛି।

କାଲି ପାଇଁ ୫ଟି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି। ସେହି ଜିଲ୍ଲାଗୁଡିକ ହେଲା- ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା। ଏହି ୫ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଚଳିତ ଥର ରାଜ୍ୟରେ ୧ ଦଶମିକ ୩ ପ୍ରତିଶତ ଅଧିକ ବର୍ଷା ହୋଇଛି। ଜୁନରୁ ଏଯାଏ ରାଜ୍ୟରେ ସାଧାରଣଠାରୁ ଅଧିକ ବର୍ଷା ହୋଇଥିବା ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଜୁନ୍ ମାସରେ ସାଧାରଣ ବୃଷ୍ଟିପାତଠାରୁ ୯ ଦଶମିକ ୩ ପ୍ରତିଶତ ଅଧିକ ହୋଇଥିଲା। ହେଲେ ଜୁଲାଇ ମାସରେ ଏହା ୩୪ ଦଶମିକ ୪ ପ୍ରତିଶତ କମ ଥିଲା।

ସେହିପରି ଅଗଷ୍ଟ ମାସରେ ଏଯାବତ ୪୫ ଦଶମିକ ୨ ପ୍ରତିଶତ ଅଧିକ ବର୍ଷା ହୋଇଥିବା ଏସ୍ଆରସି କହିଛନ୍ତି। ଯେଉଁ ଯେଉଁ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ଚଳିତ ମାସ ସୁଦ୍ଧା ତାହା ଭରଣା ହୋଇଯିବ।

ସେପଟେ ଲଘୁଚାପ ପ୍ରଭାବରେ ହୋଇଥିବା ବର୍ଷା ମାଲକାନଗିରିରେ ଜିଲ୍ଲାରେ ହୋଇଛି। ରାଜ୍ୟର ଏବେ ଅଧିକାଂଶ ଜିଲ୍ଲାରେ ସାମନ୍ୟ ପରିମାଣର ବର୍ଷା ହୋଇଥିବା ବେଳେ ଅଳ୍ପ କିଛି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି।

You might also like