‘ୟାସ୍’ ଭାଙ୍ଗି ଦେଇଛି ଚାଷୀର ମେରୁଦଣ୍ଡ; ଉଜାଡ଼ି ଦେଇଛି ଫସଲ, ପାଣି ଘେରରେ ଥାଇ ବି ମେଣ୍ଟୁନି ଶୋଷ

ବାଲେଶ୍ୱର: ୪ ଦିନ ତଳେ ଓଡ଼ିଶା ଦେଇ ଯାଇଥିବା ବାତ୍ୟା ୟାସ୍, ବିପନ୍ନଙ୍କୁ ଦେଲାଣି ୪ ଯୁଗର ଯନ୍ତ୍ରଣା । କିଏ ଘର ମରାମତି କାନ୍ଥ ଆଡ଼ୁ ଆରମ୍ଭ କରିବ, ନା ଛପର ଆଡ଼ୁ ଜାଣି ପାରୁନି । କିଏ ଜଳବନ୍ଦୀ ଥାଇ ବି ଜଳ ମୁନ୍ଦେ ପାଇଁ ଡହଳ ବିକଳ, କିଏ ପାଣି ପିଇ ଶୋଷ ମେଣ୍ଟାଉଛି ତ କିଏ ଭୋକ । କାରଣ ଏବେବି ଅନେକଙ୍କ ପାଖରେ ସରକାରୀ ରିଲିଫ୍ ପହଞ୍ଚିନଥିବା ଅଭିଯୋଗ ହୋଇଛି । ସେପଟେ ଆଉ କେଇଟା ଦିନ ପରେ ପନିପରିବା ତୋଳିବା ଅପେକ୍ଷାରେ ଥିବା ଶହ ଶହ ଚାଷୀ, ଏବେ ଆଉଟୁପାଉଟୁ ହେଉଛନ୍ତି ଲୁହ ଆଉ କୋହ ଭିତରେ ।

ବାତ୍ୟାକୁ ୪ ଦିନ ବିତିଲାଣି । ଏବେବି ଜଳାର୍ଣ୍ଣବ ଚାଷ ଜମି । ଚଷାପୁଅର ଆଖି ଦେଖିଲା ବାଲାଙ୍କ ପାଇଁ ଉଜୁଡ଼ା ଫସଲ । ପଚିସଢି ଯାଇଥିବା ଭେଣ୍ଡି, ବାଇଗଣ, ପୋଟଳ ଆଦି ପନିପରିବା ହୋଇଥାଇପାରେ । ହେଲେ ଦେହକୁ ମାଟି, ରକ୍ତକୁ ଝାଳ କରି କ୍ଷେତରେ ସବୁଜିମାର ସ୍ୱପ୍ନ ବୁଣିଥିବା ଚାଷୀଟିଏ ପାଇଁ, ତାହା ମୁଣ୍ଡ ଉପରେ ଅକାଳ ଚଡ଼କଠୁ କିଛି କମ୍ ନୁହେଁ ।

ଆଉ କେଇଟା ଦିନ ପରେ ସବୁଠି ଫସଲ ଅମଳ ହୋଇଥାନ୍ତା । ଚାଷୀ ମୁହଁରେ ହସ ଫୁଟିଥାନ୍ତା । ହେଲେ ସବୁ ଖିନଭିନ କରିଦେଇଛି ଖରା ଦିନିଆ ବାତ୍ୟା ୟାସ୍ । ବହୁଳ ପନିପରିବା ଚାଷ ହେଉଥିବା ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ଜଳେଶ୍ୱର ବ୍ଲକ୍, ଭଦ୍ରକ ଜିଲ୍ଲାର ବାସୁଦେବପୁରର ସୁଦର୍ଶନପୁର ଓ ତିହିଡ଼ି ଗାଜିପୁର ଏବଂ ଯାଜପୁର ଜିଲ୍ଲାର କୋରେଇ, ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ଆଦି ବ୍ଲକରେ ହଜାର ହଜାର ଏକର ପରିବା କିଆରୀ ଶ୍ମଶାନ ପାଲଟିଛି । ବହୁ ଅଞ୍ଚଳରେ ଧାନ ଚାଷ ବି କ୍ଷତିଗ୍ରସ୍ତ ହୋଇଛି ।

ଏବେ ବି ଚାରିଆଡ଼େ ପାଣି ଅଛି । ହେଲେ ମୁନ୍ଦାଏ ପିଇବା ପାଇଁ ନାହିଁ । ଘର ଅଛି, ହେଲେ ବଖରାଏ ମୁଣ୍ଡ ଗୁଞ୍ଜିବା ପାଇଁ ନାହିଁ । ବାଲେଶ୍ୱର ଜିଲ୍ଲା ସାର୍ଥା ପଞ୍ଚାୟତର ୫ ଖଣ୍ଡ ଗାଁ ଏବେବି ଲୁଣିପାଣି ଘେରରେ । ଘରଦ୍ୱାର ଉଜୁଡ଼ି ଯାଇଛି । ସରକାରୀ ରିଲିଫ୍ ମଧ୍ୟ ମିଳିନି । ତେଣୁ କିଏ ଚାଉଳ ମାଗି ଚଳୁଛି, ତ କିଏ ଭୋକରେ ଶୋଉଛି । ବିପତ୍ତି ଏମିତି ଯେ ପାଣି ଟୋପେ ପାଇଁ ବି ଭୋଗିବାକୁ ପଡ଼ୁଛି ନାହିଁ ନଥିବା ସମସ୍ୟା । ସେହି ପଞ୍ଚାୟତର ବାଂଶୀ ଗାଁରେ ଅଧିକାଂଶ ଲୋକଙ୍କ ଝାଟିମାଟି ଘର, ଯାହାକି ଏବେ ମରାମତି ହେବା ସ୍ଥିତିରେ ବି ନାହିଁ ।

ଏପଟେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ତାଳଚୁଆରେ ବି ବିପନ୍ନଙ୍କ ସମଦଶା । ସ୍ଥିତି କେବେ ସୁଧୁରିବ, କାହାକୁ ଜଣାନାହିଁ । ତଥାପି ପିଲାଛୁଆଙ୍କ ମୁହଁକୁ ଚାହିଁ, ଭୋକିଲା ପେଟରେ ବି ଚାଲିଛି, ଭାଙ୍ଗି ପଡ଼ିଥିବା ଅଣ୍ଟାକୁ ପୁଣି ସଳଖିବାର ଚେଷ୍ଟା । ବାତ୍ୟାର ୪ ଦିନ ପରେ ବି ଏଭଳି ଦୁଃସ୍ଥିତି ଦେଇ ଗତି କରୁଥିବା ବହୁ ବିପନ୍ନଙ୍କ ପାଖରେ ଯଥାଶୀଘ୍ର ପ୍ରଶାସନର ସହାୟତା ପହଞ୍ଚିବା ନିହାତି ଜରୁରୀ ହୋଇପଡ଼ିଛି ।

You might also like