ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ସହଯୋଗୀ ସଲ୍ଲୁ

କଟକ : ଆତ୍ମସମର୍ପଣ କଲା ହାଇଦରର ସହଯୋଗୀ । ଗ୍ୟାଙ୍ଗଷ୍ଟର ଫେରାର ଥିବାବେଳେ ତା’ର ସହଯୋଗୀ ଆଜି ପୋଲିସ ହାତରେ ଧରାଦେଇଛି । କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ହାଇଦରର ଘନିଷ୍ଠ ସହଯୋଗୀ ସଲ୍ଲୁ ଓରଫ୍ ୟାକୁବ ଖାନ୍। SCB ମେଡିକାଲରେ ଚିକିତ୍ସା ଚାଲିଥିବା ସମୟରେ ହାଇଦରକୁ ଭେଟୁଥିଲା ୟାକୁବ। ଏହା ସହ ସେ ତାକୁ ବିରିୟାନୀ ମଧ୍ୟ ଖୁଆଇଥିଲା। ତେବେ ଆତ୍ମସମର୍ପଣ କରିବା ସହ ସେ ପୋଲିସକୁ ସମସ୍ତ ପ୍ରକାରର ସହଯୋଗ କରିବ ବୋଲି କହିଛିି ୟାକୁବ।

ହାଇଦର ଫେରାର ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଜେଲ୍ ଡିଆଇଜିଙ୍କ ଶୁଭକାନ୍ତ ମିଶ୍ର । ପୋଲିସକୁ ତଦନ୍ତରେ ସମସ୍ତ ସହଯୋଗ କରାଯାଉଛି । ଜେଲ୍ ବିଭାଗ ପକ୍ଷରୁ କୌଣସି ତ୍ରୁଟି ଥିଲେ ତଥା ଅବହେଳା କିମ୍ବା ଷଡ଼ଯନ୍ତ୍ର ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ତେବେ ଏନେଇ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । 

ସେପଟେ ଫେରାର ହେବାର ୩୬ ଘଣ୍ଟା ପରେ ବି ଗ୍ୟାଙ୍ଗଷ୍ଟର ହାଇଦର ସମ୍ପର୍କରେ ପୋଲିସ ଟେର୍ ପାଇପାରୁନଥିବା ବେଳେ ଏସସିବିରୁ ଆସିଛି ହାଇଦର ଫେରାର ପୂର୍ବର ଫଟୋ । ଓଟିଭି ହାତରେ ଲାଗିଥିବା ଏହି ଫଟୋରେ ହାଇଦର ହସପିଟାଲ ବେଡରେ ବସିଥିବା ନଜର ଆସିଛି । ଏସସିବି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଫେରାର ହୋଇଯାଇଛି  କୁଖ୍ୟାତ ଗ୍ୟାଙ୍ଗଷ୍ଟର ।

ହାଇଦର ଏବେ କେଉଁଠି, ରାଜ୍ୟ ଭିତରେ ନା ବାହାରେ ସେ ନେଇ କୌଣସି ବି ସୂଚନା ମିଳିପାରିନି । ତେବେ ଏସସିବିରୁ ସେ ଫେରାର ମାରିବା ସମୟର ସିସିଟିଭି ଫୁଟେଜ ଦେଖି ତନାଘନା କରୁଛି ପୋଲିସ । ସେ କେମିତି, କାହା ସହ ଏବଂ କୁଆଡ଼େ ଗଲା ସେ ନେଇ ସିସିଟିଭି ଫୁଟେଜରୁ ତଥ୍ୟ ସଂଗ୍ରହ କରାଯାଉଛି ।  ତାକୁ ଧରିବାକୁ ଓଡ଼ିଶା ପୋଲିସ୍ ଚଳାଇଛି ବଡ଼ ଧରଣର ଅପରେସନ ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ପୋଲିସ ସହ ଚଳାଇଛି ଯୋଗାଯୋଗ

ଏପଟେ ଉଭୟ ପୋଲିସ କମିଶନର ଓ କ୍ରାଇମବ୍ରାଞ୍ଚ ଏଡିଜି ହାଇଦର ଶୀଘ୍ର ଧରାପଡ଼ିବା ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର୍ ପୋଲିସକୁ ଚକମା ଦେଇ ଫେରାର ହେବା ସ୍ୱାଭାବିକ ନା ଷଡ଼ଯନ୍ତ୍ର? ତାକୁ ନେଇ ଉଠିଛି ପ୍ରଶ୍ନ। କୁଖ୍ୟାତ ହାଇଦରକୁ ବୁର୍ଲା ମେଡିକାଲରୁ SCB ଅଣାଯିବା ଓ ଏକାଧିକ ସୁରକ୍ଷାକର୍ମୀଙ୍କ ବଦଳରେ ଜଣେ ସୁରକ୍ଷାକର୍ମୀ ମୁତୟନ କରାଯିବା ସହ ହାଇଦରକୁ ଦେଖା କରିବାକୁ ଓ୍ୱାର୍ଡ ଭିତରକୁ ଏକାଧିକ ଲୋକଙ୍କୁ ଅନୁମତି ମିଳିବା ଯେମିତି ପୁରା ଘଟଣାକୁ ଅଧିକ ରହସ୍ୟାବୃତ୍ତ କରୁଛି।

You might also like