‘ଦେବଦାସଙ୍କ ସିନେମା ଗୀତ’… ପଢ଼ି ପଢ଼ି ଗୀତ ଶୁଣନ୍ତୁ…

ପୁସ୍ତକ ସମୀକ୍ଷା: ସୁମନ ଦାଶ

ପ୍ରସିଦ୍ଧ ଗାୟକ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଆପଣ ଶୁଣିଥିବା ଅନେକ ଓଡ଼ିଆ ସିନେମାର ଲୋକପ୍ରିୟ ଗୀତ ଲେଖିଥିଲେ ଏଇ ଗୀତିକାର। ସେ ହେଲେ ପ୍ରସିଦ୍ଧ ଲେଖକ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପ୍ରସିଦ୍ଧ ନାଟ୍ୟକାର ଗୋପାଳ ଛୋଟ୍ଟରାୟଙ୍କ ପୁଅ ଦେବଦାସ ଛୋଟରାୟ। ଏବେ ତାଙ୍କର ପ୍ରସିଦ୍ଧ ଗୀତ ସବୁ ପୁସ୍ତକ ଆକାରରେ ପ୍ରକାଶ ପାଇଛି, ଯାହାର ନାଁ ହେଲା ‘ଦେବଦାସଙ୍କ ସିନେମା ଗୀତ’। ଏହି ବହିଟିର ସମୀକ୍ଷା କରିଛନ୍ତି ଯୁବ ଗାଳ୍ପିକ ସୁମନ ଦାଶ।

ଜୀବନରେ ଯେଉଁ କେତୋଟି ହାତଗଣତି ସୁଖ ହାତପାଆନ୍ତାରେ ଥାଏ, ଯାହା ସିଧାସଳଖ ମଗଜ ପଟେ ପଶି ହୃଦୟକୁ ଦ୍ରବିଭୂତ କରିପାରେ, ସିଧା ପାର୍ଥିବ ପୃଥିବୀରୁ ନେଇ କେଉଁ ଏକ ଅପାର୍ଥିବ ଜଗତରେ ପହଞ୍ଚେଇ ଦେଇପାରେ, ଯେକୌଣସି ସମୟରେ ଭାରାକ୍ରାନ୍ତ ମନକୁ ଶାନ୍ତ କରିଦେଇପାରେ, ସେଇ ଭିତରେ ପ୍ରିୟ ବହି ପଢ଼ିବା, ପ୍ରିୟ ଗୀତ ଶୁଣିବା ଓ ପେଟପୂରା ସୁଖାଦ୍ୟ ଖାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସୁଖନିଦ୍ରା ମୋ ଦୃଷ୍ଟିରେ ନିଶ୍ଚୟ ରହିବ। (ଏ ତାଲିକାର ଚୟନ ଓ କ୍ରମାଙ୍କ ବ୍ୟକ୍ତିବିଶେଷରେ ପରିବର୍ତ୍ତନଶୀଳ। ପରୀକ୍ଷା ପ୍ରାର୍ଥନୀୟ!)

ସୌଭାଗ୍ୟକୁ ଯଦି ନିଜ ଭାଷାରେ ନିଜର କିଛି ପ୍ରିୟ ଗୀତର ସୁଦୃଶ୍ୟ ମର୍ଯ୍ୟାଦାବନ୍ତ ସଂକଳନଟିଏ ହାତରେ ପଡ଼େ, ସେଥିରେ ପୁଣି ମାର୍ଚ୍ଚ ମାସର ଆକାଶରେ ଘୋଟିଥାଏ ଅଦିନିଆ କଳାମେଘ ଓ ଅଫିସ ଛୁଟି ଥାଏ ଏବଂ ତା ସାଙ୍ଗରେ ଯଦି ବହିର ପ୍ରତି ଗୀତକୁ ୟୁଟ୍ୟୁବରେ ଖୋଜି ବଜେଇ, ନିରୋଳାରେ ଗୁଣୁଗୁଣେଇ ହୁଏ (ସେ ସ୍ୱର ହେଉ ପଛେ କର୍କଶ) ତାହେଲେ ୟାଠାରୁ ଆଉ ପ୍ରାଣଉଲ୍ଲୁସା ସୁଖ କ’ଣ ହେଇପାରେ!

ମୋ ହାତରେ ଏବେ “ଦେବଦାସ ଛୋଟରାୟଙ୍କ ସିନେମା ଗୀତ”। ବହିଟିର ପ୍ରଚ୍ଛଦରେ ରହିଛି ସୁତା ଛିଣ୍ଡି ଯାଇଥିବା କଳା, ଧଳା, ନାଲି ଗୁଡ଼ି। ପଛପଟ ଫ୍ଲିପ୍ କଭରରେ ଗୀତିକାରଙ୍କ ମୁହଁକୁ ଲୁଚେଇ ଦେଇଛି ଗୋଟେ ହଳଦିଆ ଗୁଡ଼ି। ବହିରେ ଅଛି ଗୀତିକାରଙ୍କ ରଚିତ, ଗତ ଚାରି ଦଶନ୍ଧି ଧରି ବିଭିନ୍ନ ଓଡ଼ିଆ ସିନେମାରେ ବାଜିଥିବା ଶହେଟି ଓଡ଼ିଆ ସିନେମା ଗୀତ। ପ୍ରତି ଗୀତ ତଳେ ଲିପିବଦ୍ଧ ରହିଛି, ସମ୍ପୃକ୍ତ ସିନେମାର ନାଁ ଓ ମସିହା। ୧୯୧ ପୃଷ୍ଠାର ଏଇ ବହିଟି ଖୋଲିଲେ, ଏକ ଅନ୍ତରଙ୍ଗ ଉତ୍ସର୍ଗ ସହ ପଢ଼ିବାକୁ ମିଳିବ “ଗୀତ ର ନିଜ ନିଜ ଭାଗ୍ୟ” ଶୀର୍ଷକରେ ଗୀତ, ଜୀବନ ଓ ଅକ୍ଷୟ ମହାନ୍ତିଙ୍କୁ ନେଇ ଦେବଦାସ ଛୋଟରାୟଙ୍କ ରଚିତ ଏକ ନିବିଡ଼ ସ୍ମୃତିଚାରଣ।

ତାପରେ ବହି ଖୋଲିଲେ ଆସିଯାଏ, ସେଇସବୁ ଗୀତ ଯାହାକୁ ଆମେ ଶୁଣିଶୁଣି ବଡ଼ ହେଇଚୁ, ଯୋଉ ଗୀତମାନେ କେତେ ଭଙ୍ଗୀରେ କେତେ ବାଗରେ ଏ ଲୋଚାକୋଚା ଜୀବନର ଭାଙ୍ଗ ସଜାଡ଼ିଛନ୍ତି। କେତେ ଗୀତର ଧାଡ଼ିମାନ କେତେ ନିରବି ଆସୁଥିବା ସ୍ମୃତିମାନଙ୍କର ମୁକସାକ୍ଷୀ ରହିଛନ୍ତି।

କୋଉ କୋଉ ଗୀତ କେବେ କେମିତି ଛିଡ଼ା ହୋଇଛନ୍ତି ମନ୍ତ୍ର ପରି, ଅଭୟବାଣୀ ପରି। ପୁଣି କୋଉକୋଉ ଗୀତ ସୁଦ୍ଦୁ ଖୁସିବେଳର, ଉତଫୁଲ୍ଲିତ ମୁହୂର୍ତ୍ତର, ଚଟୁଳ ରସିକତାର ସାକ୍ଷୀ ହେଇ ଆଜିଯାଏ ଜୀବନକୁ ଟାଣି ଆଣିଛନ୍ତି ସୁରୁଖୁରୁରେ।

ଏ ବହିରେ “ମନ ଖରାପର ଫୁଲ”, “ହେ ମୋର ଜୀବନ” କିମ୍ୱା “ହଜାର ଆଶା” ପରି ସିରିୟସ୍ ଗୀତ ଅଛି। “ପରଦେଶୀ ବନ୍ଧୁ ତୁମେ”, “ସାଇକେଲ ନାଗର”, “ବଗିଚାର ନାଁ ତିନିକୋଣିଆ” ପରି ଲୋକଗୀତର ଅତର ଛିଞ୍ଚା ସିନେମାଗୀତ ବି ଅଛି। ଏବଂ “ମୁଁ ଯିବି ମୁଁ ଯିବି”, “ଜ୍ୟୋସ୍ନା ଆଣେ ପ୍ରଜାପତି”, “ହଜାରେ ଏଇ ମଣିଷ ଭିଡ଼ ଭିତରେ” ପରି ବି କିଛି ଗୀତ ଅଛି ଯାହାର ତାରକସି ଗୀତ ଓ କବିତାର ବିଭାଜନ ରେଖାଟିକୁ ନ୍ୟୁନ କରିଦେଇଛି।

ଯେମିତି କିଛି ବହି ପଢ଼ିବା ସହ କିଛି କିଛି ନିର୍ଦ୍ଦିଷ୍ଟ ବାସ୍ନା ଅନୁଭବ କରିବାର ବା ପଢ଼ିବା ବେଳର ସମୟରୁ ସ୍ମୃତିକୋଠରୀରେ ସାଇତି ରଖନ୍ତି, ସେମିତି କିଛି ଗୀତର ଯେଉଁ ଧାଡ଼ିମାନେ ମନ ଭିତରେ ଯେଉଁ ଗାର ଟାଣନ୍ତି, ସେଇ ସମୟକୁ, ଅବସ୍ଥାକୁ ଲିପିବଦ୍ଧ କରିବାର ଯେଉଁ କ୍ଷମତା ରଖନ୍ତି ତାକୁ ସାରା ଜୀବନ ମଣିଷ ନିଜ ସାଙ୍ଗେ ନିଏ। ଯୌବନରେ ଭଲ ଲାଗିଥିବା ଗୀତ.. ବାର୍ଦ୍ଧକ୍ୟରେ ଯୌବନର ପୁଲକ ଦେବାର ପ୍ରତିଶୃତି ରଖେ।

ମୋଟାମୋଟି କହିବାକୁ ଗଲେ, ଭଲ ଗୀତର ଧାଡ଼ି ଓ ଭଲ ଗୀତର ସ୍ୱର ଯେଉଁ ବାସ୍ନା ତିଆରି କରେ, ଯେଉଁ ଅନୁଭବ ତିଆରି କରେ ତାହା ସମୟ ଦାଢ଼ରେ ଘୋରି ହୁଏ ନାଇଁ। ଏଇ ଯେମିତି “କିଛି ଲୋକ ଦେଇ ଜାଣନ୍ତି ଖାଲି ଦୁଃଖ” ଗୀତର ସେଇ ଧାଡ଼ି-

“ଯାହା ଥିଲା ସବୁଠାରୁ ବଡ଼ ସୁଖ
ଏବେ କେହି ନାଇଁ ନାଇଁ
ବୁଝିବା ପାଇଁ
ମନ ତଳ ସବୁ ଦୁଃଖ ”

ଏ କେଇ ଧାଡ଼ି, ଅକ୍ଷୟ ମହାନ୍ତିଙ୍କ ସ୍ୱର.. ଏ ଗୀତ ମୁଁ ଯେବେବି ଶୁଣେ, ଲାଗେ ଉଣେଇଶ ବର୍ଷର ଗୋଟେ କଲେଜ ପଢୁଆ ପିଲା ଯାହାର କୈଶୋର ଚାଲିଯାଇଛି, ଯୌବନ ଏଇ ଏବେ ଆସି ବାରଣ୍ଡାରେ ଚେୟାର ପକେଇ ବସିଛି, ସେ ଢେଙ୍କାନାଳର କୋଉ ଗୋଟେ ମେସ୍ ବାହାରେ ଗୋଟେ ଅଧା ତିଆରି ଘରର ପଥର କାନ୍ଥ ଉପରେ ବସିଛି। ଚାରିପାଖେ ବିଛେଇ ହେଇ ପଡ଼ିଛି ଆଉଟା ସୁନା ପରି ଖରା ଓ ସେ ଅଜଣା ଦୁଃଖରେ ଆଉଟୁପାଉଟୁ ହେଇଯାଉଛି, ସେଇ ଝିଅ ପାଇଁ ଯିଏ ତାର ଫୋନ କୁ ହଠାତ କାଟି ଦିଏ ଓ ମେସେଜ ଦେଇଥାଏ “ଆମେ ବରଂ ଦୂରେଇ ରହିବା ଭଲ”। ସେମିତି “ଝିଅ ଦେଖିଲି ତିନିଟି…” ଗୀତ ଶୁଣିଲେ ମତେ ଆଜକୁ ପନ୍ଦର ବର୍ଷ ତଳେ କଟକର କୌଣସି ଏକ ଶୀତାର୍ତ ସନ୍ଧ୍ୟା ମନେପଡ଼େ, ଯେବେ ଅରୁଣୋଦୟ ମାର୍କେଟ ପାଖରେ ଆମେ, ମାନେ ମୁଁ ଓ ମୋ ସିନିଅର ବାନାଭାଇ ଛିଡ଼ା ହେଇଥାଉ ସାଇକେଲ ଧରି.. ଦଳଦଳ ହେଇ ମେଡିକାଲ କୋଚିଂ ନେଉଥିବା ଝିଅ ବାହାରି ଆସୁଥାନ୍ତି… ବାନାଭାଇ ବଡ଼ପାଟି କରି ଗାଉଥାଏ “ଝିଅ ଦେଖିଲି ତିନିଟି”। ସେଇ ନିର୍ଦ୍ଦିଷ୍ଟ ଝିଅ, ଯିଏ ତିନି ନମ୍ବର ଥାଏ… ତାକୁ ଛାଡ଼ି ବାକିମାନଙ୍କର ମୁହଁରେ ଚଟୁଳ ପ୍ରତିକ୍ରିୟା ଦିଶୁଥାଏ।

ହଳଦିଆ ଷ୍ଟ୍ରୀଟ୍ ଆଲୁଅ ରାସ୍ତାସାରା ବିଛେଇ ହେଇ ପଡ଼ିଥାଏ। ହଠାତ ଏ.ଆର.ସି. ଚୌଦ୍ୱାରର ଗୋଟେ ଟାଉନ୍ ବସ୍ ଆସି ଛିଡ଼ାହୁଏ… ସେ ଝିଅ ଉଠି ପଳାଏ। “ପ୍ରେମ ଗୋଟେ ଟାଉନ୍ ବସ୍” କହି ବାନାଭାଇ ହସିଦିଏ… ବସ୍ ଧୂଳି ଉଡ଼େଇ ଚାଲିଗଲା ପରେ ଆମେ ସାଇକେଲ ବୁଲାଉ ଖାନନଗର ଆଡ଼େ। ବାନାଭାଇ ବାଟ ଯାକ ନୂଆ ନୂଆ ଜୋକ୍ କହେ ଓ ରାତି ବଢୁଥାଏ।

ମୁଁ ଯେବେବି ଏଇ ଗୀତ ଶୁଣେ.. ପବନରେ ସେଇ ପରିଚିତ ବାସ୍ନା ଆସେ… ସେଇସବୁ ଦିନ ମୁହଁ ଲେଉଟାଏ.. ବାନାଭାଇ କଥା ମନେପଡ଼େ… ଲାଗେ ଏବେବି କ’ଣ କେହିଜଣେ ସେମିତି ଗୋଡ଼ ଢିରା ଦେଇ ରାସ୍ତା କଡ଼ରେ ଗୀତ ଗାଉଥିବ… ଆଉ ସାମ୍ନାରେ ଗୋଟେ ପ୍ରେମକୁ ଲଦି ଦେଇ ବସ୍ ଟିଏ କଟକର ସନ୍ଧ୍ୟାରେ ଧୂଳି ଉଡ଼େଇ ଚାଲି ଯାଉଥିବ !

ପ୍ରିୟ ଗୀତର ଧାଡ଼ିକୁ ଟିପି ପକେଇବାର ଅଭ୍ୟାସଟି ହେତୁ, ପାଇବା ଦିନରୁ ‘ଆଜନ୍ମ’… ଯଦିଓ ବେଳେବେଳେ କୋଉ କୋଉ ଗୀତର ସୁରଟି ଏତେ ପ୍ରାଣବନ୍ତ ଥାଏ ଯେ, ଗାଇଲା ବେଳେ ତା’ର ଶବ୍ଦମାନେ ଅପଭ୍ରଂଶ ହେଇ ଗୀତର ଅର୍ଥକୁ କଦର୍ଥ କରିପକାନ୍ତି। କିନ୍ତୁ ଏମିତି ବି କିଛି ଗୀତ ଅଛନ୍ତି ଯାହାର ଶବ୍ଦମାନେ ହାତ ଧରାଧରି ହେଇ, ଏମିତି ଆକସ୍ମିକ ପରିଣତି ଆଣନ୍ତି, ଏମିତି ଭାବକୁ ପରିପ୍ରକାଶ କରନ୍ତି ତାହା ସଂଗୀତକାର, ବାଦ୍ୟଯନ୍ତ୍ର, କଣ୍ଠଶିଳ୍ପୀଙ୍କୁ ମାତ୍ ଦିଏ ଓ ଗୀତିକାର ବାଜି ମାରିନିଏ। ଏଥିରେ ଦେବଦାସ ଛୋଟରାୟ ଓ ଅକ୍ଷୟ ମହାନ୍ତିଙ୍କ ଗୀତଲେଖାର ପ୍ରାବଲ୍ୟ ବେଶୀ। ଏଇ ଯେମିତି କଣ୍ଢେଇ ଗୀତର ଧାଡ଼ି… ପଢ଼ନ୍ତୁ…

“ତତେ ସିନା ମିଳିଗଲା
ପାଟଲୁଗା, କମକୁଟ ଆଇନା
ମୋ ପାଖରୁ ହଜିଗଲା
ଜିଇଁବାର ଥିଲା ଯେତେ ବାହାନା
ତୁ ଏଠି ଝଟକୁ ଆଜି ବିଜୁଳି ପରିକା ସିନା
ମତେ ଦେଲୁ ମେଘ ପରି କନ୍ଦେଇ”

ଏଇ ମେଘ ପରି କନ୍ଦେଇ ଦେବା… ଯୋଉ ଚିତ୍ରକଳ୍ପ ତିଆରି କରେ.. ସୁରର ପ୍ରାବଲ୍ୟରେ ଶବ୍ଦ ବସାଣର ଗାରିମା କ୍ଷୁଣ୍ଣ ନହେଇ ଆଉ ଗୀତକୁ ଉଜ୍ଜ୍ୱଳ କରିଦିଏ.. ସେମିତି…

“ଚୁପ୍ କରି ଶୁଣୁଛି ବୋଲି ମୁଁ
ଦୁନିଆ ଯାଉଛି କହି
ମୁଁ କହିଲେ ସାରା ଦୁନିଆର ମୁହଁ
ରହିଯିବ ଚୁପ ହେଇ”

ଏଇ ଗୀତରେ ଦୁନିଆକୁ ଚୁପ୍ କରି ଦେବାର ଠାଣି ଶ୍ରୋତାକୁ ଆଚମ୍ବିତ କରିପକାଏ।
ଦେବଦାସଙ୍କ ଗୀତମାନଙ୍କରେ କବିତ୍ଵ ଅଛି, ଲାଳିତ୍ୟ ବି ଅଛି। ପ୍ରଚୁର ଆକସ୍ମିକତା ସହ ଛାତି କୋରି ଦେଉଥିବା ବିଷାଦକୁ ଫୁ କରି ଉଡ଼େଇ ଦେବାର ପୌରୁଷ ବି ଅଛି। ଆଉ ସବୁଠୁ ଲକ୍ଷଣୀୟ ଦିଗଟି ହେଲା, ସାଧାରଣ ସରଳ ଭାଷାରେ ଗାଉଁଲି ଚଳଣିକୁ, ମଧ୍ୟବିତ୍ତ ମଣିଷର ସୁଖ, ଦୁଃଖ, ପ୍ରେମ, ଲୁହକୁ, ଲୋକକଥାକୁ ଗୀତରେ ଫୁଟେଇ ପାରିବାର ଅନନ୍ୟ କଳା ବି ଅଛି।

“ବାଲମା”, “ନୟେନା”, “ଇସ୍କ ସୁଫିଆନା”, “mad for you”, “crazy dil” ପରି ଅନେକ ହିନ୍ଦୀ ଓ ଇଂରାଜୀ ଶବ୍ଦମାନଙ୍କର ଓଡ଼ିଆ ଗୀତ ଭିତରକୁ ଅନୁପ୍ରବେଶ ସମୟରେ ମୌଳିକ ଓଡ଼ିଆ ଗୀତର ଏଭଳି ସଂକଳନଟିଏର ପ୍ରଚୁର ଆବଶ୍ୟକତା ଥିଲା। ସେଥିପାଇଁ “କେତକୀ” ଫାଉଣ୍ଡେସନ ଆମର ଧନ୍ୟବାଦାର୍ହ। ବେଶ୍ କିଛିବର୍ଷ ଧରି ପ୍ରକାଶନ ଶିଳ୍ପରେ ଜଡ଼ିତ ଥିବା ଜ୍ୟୋତିରଞ୍ଜନ ସ୍ୱାଇଁଙ୍କ “କେତକୀ ଫାଉଣ୍ଡେସନ” ୟା ଭିତରେ ଜୟନ୍ତ ମହାପାତ୍ର ଓ ଗୋପାଳ ଛୋଟରାୟଙ୍କ ପରି ବିଶିଷ୍ଟ ସାରସ୍ୱତ ସାଧକମାନଙ୍କର କୃତିକୁ ପୁନଃମୁଦ୍ରଣ କରିଛି। ତାଙ୍କର ସବୁ ବହି ପରି ଏଇ ବହିଟି ମଧ୍ୟ, ପରିପାଟୀ, କାଗଜର ଗୁଣାତ୍ମକ ମାନ, ବନ୍ଧେଇ ସବୁଥିରେ ସମ୍ଭ୍ରାନ୍ତ ଓ ରୁଚିପୂର୍ଣ୍ଣ ହେଇପାରିଛି। ପ୍ରକାଶନ ଶିଳ୍ପରେ ଏପରି ବହିମାନଙ୍କର ପ୍ରଡକ୍ସନ ସବୁବେଳେ ପ୍ରଶଂସନୀୟ ଓ ଉଲ୍ଲେଖଯୋଗ୍ୟ।
ବହିର ଶେଷ ଆଡ଼କୁ ଅଛି ବହିରେ ଥିବା ଶହେଟି ଗୀତର ପ୍ରଥମ ଧାଡ଼ି, ଗୀତ ସମ୍ପର୍କରେ ଗୀତିକାରଙ୍କ ତିନୋଟି ଚମତ୍କାର ଆଲେଖ୍ୟ ଏବଂ ତା ସହିତ ଦେବଦାସ ଛୋଟରାୟଙ୍କ ଗୀତର ଗଢ଼ଣ, ସ୍ଥାପତ୍ୟ ଓ ମୌଳିକତା ସମ୍ପର୍କରେ ଅଛି ଗବେଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ଏକ ମନନଶୀଳ ଗଦ୍ୟ। ବହିଟିକୁ ଯେକୌଣସି ସମୟରେ ଧରି, ମାନେ ବସ୍ ଭିତରେ ,ଟ୍ରେନରେ ବା ଘରେ ନିରୋଳାରେ ପଢ଼ାଯାଇ ପାରେ ଓ ବହିର ମଜା ଆଉରି ଚାରିଗୁଣା କରାଯାଇ ପାରେ, ଯଦି ସେଇସବୁ ଗୀତକୁ ପାଖରେ କିଛି ଅଡିଓ ସିଷ୍ଟମରେ ବଜା ଯାଉଥାଏ ଓ ସଂସାରର ଗତାନୁଗତିକତାକୁ ଖାତିର ନକରି ନିଜ ସ୍ୱରରେ ଗୁଣଗୁଣେଇ ଗୀତର ତଲ୍ଲିନତାରେ ଭାସିଯିବାରେ।

(ସମୀକ୍ଷକ ସୁମନ ଦାଶ ଓଡ଼ିଆ ସାହିତ୍ୟର ଜଣେ ଜଣାଶୁଣା ଯୁବ ଗାଳ୍ପିକ)

Phone 87634 96892

You might also like