ରାଜ୍ୟର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାକୁ ବିଶ୍ୱସ୍ତରରେ ମିଳିଲା ପ୍ରଶଂସା

ବିଶ୍ୱସ୍ତରରେ ମିଳିଲା ପ୍ରଶଂସା

ଭୁବନେଶ୍ୱର: ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମଡେଲକୁ ବିଶ୍ୱସ୍ତରରେ ପ୍ରଶଂସା ମିଳିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଟ୍ୱିଟ୍‌ରେ ସିଏମ୍ଓ ପକ୍ଷରୁ କୁହାଯାଇଛି, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ଏକ ବିଶ୍ୱସ୍ତରୀୟ ପ୍ରକ୍ରିୟା ଓ ଢାଞ୍ଚା ପ୍ରସ୍ତୁତ କରିଥିବାରୁ ୟୁନାଇଟେଡ୍ ନ୍ୟାସନ୍ସ ଅଫିସ୍ ଫର୍ ଡିଜାଷ୍ଟର ରିସ୍କ ରିଡକ୍ସନ- UNDRR ମୁଖ୍ୟ ମାମି ମିଜୁଟୋରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି।

ଏହି ଟ୍ୱିଟ୍‌ରେ କୁହାଯାଇଛି ଯେ, ଉତ୍ତମ ବିପର୍ଯ୍ୟୟ ପରିଚାଳନା କରି ଲୋକଙ୍କ ଜୀବନ ରକ୍ଷା, ବାତ୍ୟା ବେଳେ ଲକ୍ଷ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର, ବାତ୍ୟା ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏବଂ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିରେ ନିବେଶ କରିଥିବାରୁ UNDRRର ମୁଖ୍ୟ ମାମି ମିଜୁଟୋରିଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରାଯାଇଛି। ସେପଟେ ବାତ୍ୟା ମୁକବିଲାକୁ ନେଇ ଗତକାଲି ମନ୍ତ୍ରୀ ପରିଷଦରେ ଯେଉଁ ସଂକଳ୍ପ ନିଆଯାଇଥିଲା, ତାକୁ ପ୍ରଂଶସା କରି ଅର୍ଥ ସାଇନ୍ସ ମନ୍ତ୍ରଣାଳୟର ସଚିବ ମାଧବନ ରାଜୀବନ କହିଛନ୍ତି। ୧୯୯୯ ମହାବାତ୍ୟାରୁ ଓଡ଼ିଶା ଶିକ୍ଷାଲାଭ କରି ବିପର୍ଯ୍ୟୟ ପରିଚାଳନା ପାଇଁ ଏକ ସୁଦୃଢ଼ ବ୍ୟବସ୍ଥା କରିଛି ଅନ୍ୟ ରାଜ୍ୟ ଏହା ଶିଖିବା ଉଚିତ।

ସେପଟେ,  ସ୍କୁଲ କଲେଜ ପିଲା ପଢ଼ିବେ ବିପର୍ଯ୍ୟୟ ମହାମାରୀ ମୁକାବିଲା ପାଠ। ଏନେଇ ଗତକାଲି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ପାରିତ ହୋଇଛି ସଂକଳ୍ପ । ଏହାସହ ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ, ପ୍ରତ୍ୟେକ ନିର୍ବାଚିତ ପ୍ରତିନିଧି, ସରକାରୀ ଅଫିସର, ମିଶନ ଶକ୍ତି ସଦସ୍ୟବୃନ୍ଦ ଏବଂ ସମସ୍ତେ ପ୍ରାକୃତିକ ଦୁର୍ବିପାକ ଓ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ତାଲିମ ଦିଆଯିବ ବୋଲି ବୈଠକରେ ଅଭିଭାଷଣ ରଖି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ସରକାରର ପଞ୍ଚମ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଗତକାଲି ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକର ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ଦୁଇ ବର୍ଷ ତଳେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଥର ପାଇଁ ଶପଥ ନେବା ପରଠୁ ପ୍ରଥମେ ବାତ୍ୟା ଫୋନି ଆସିଲା, ତାପରେ କରୋନା ମହାମାରୀ, ଏବେ ପୁଣି ସଦ୍ୟ ବିପର୍ଯ୍ୟୟ ଆଣିଥିବା ବାତ୍ୟା ୟାସ୍। ଏଥପାଇଁ ଜାରି ରହିଛି ରିଲିଫ ଓ ପୁନର୍ବାସ ଥଇଥାନ କାର୍ଯ୍ୟ।

You might also like