ଲକ୍ଡାଉନ୍: ଘରକୁ ଫେରିବା ପାଇଁ ଚାଲିଚାଲି ଆସିଲେ ୭୦ କିମି, ଆହୁରି ଯିବେ ୧୮୦ କିମି
ନୂଆପଡ଼ା: ଲକ୍ଡାଉନ ବେଳେ ନୂଆପଡ଼ାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ଯୋଗୁ ଭୋକ ଉପାସରେ ୧୩ ଜଣ ଶ୍ରମିକ ପ୍ରାୟ ୭୦ କିଲୋମିଟର ବାଟ ପାଦରେ ଚାଲିଚାଲି ଆସିଥିବା ଦେଖିବାକୁ ମିଳିଛି।
ଖରିଆର ରୋଡ୍ ରେଳ ଲାଇନ ଦୋହରିକରଣ କାର୍ଯ୍ୟରେ ସେମାନେ ନିୟୋଜିତ ଥିଲେ। ତେବେ ଲକ୍ଡାଉନ୍ ଯୋଗୁ ଠିକାଦାର କାମ ବନ୍ଦ କଲା ପରେ ଶ୍ରମିକ ମାନେ ସେମାନଙ୍କ ଘର କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରକୁ ଯିବାକୁ ମନସ୍ଥ କରିଥିଲେ।
ପ୍ରାୟ ୨୫୦ କିଲୋମିଟର ବାଟ ଚାଲିଚାଲି ଅତିକ୍ରମ କରିବାକୁ ସେମାନେ ଲକ୍ଷ୍ୟ ରଖି ବାହାରିଥିବା ବେଳେ, ୭୦ କିଲୋମିଟର ଅତିକ୍ରମ କଲା ପରେ ଖଡ଼ିଆଳରେ ଜଣେ ସମାଜସେବୀ ତାଙ୍କୁ କିଛି ଖାଇବାକୁ ଦେଇଥିଲେ। ସେମାନଙ୍କୁ ଘରକୁ ପଠାଇବାର ବ୍ୟବସ୍ଥା କରିବା ପାଇଁ ପୋଲିସକୁ ଅନୁରୋଧ କରିଥିଲେ।