ଦେଶର ବିଭିନ୍ନ ସ୍ଥାନରେ ଫସିଛନ୍ତି ଓଡ଼ିଆ ଶ୍ରମିକ

ଭୁବନେଶ୍ୱର: କରୋନା ଭାଇରସର ମୁକାବିଲା ପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍ ଜାରି ହୋଇଛି। ”ଘରେ ରୁହ ଆଉ କିଲର କରୋନାକୁ ମାତ୍ ଦିଅ” ଏହି ସ୍ଲୋଗାନରେ ସବୁକିଛି ଠପ୍ ହୋଇଯାଇଛି। ଲକ୍‌ଡାଉନ୍‌ ପାଇଁ ଜାରି ହୋଇଛି ବିଭିନ୍ନ କଟକଣା। ଏଥିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବ୍ୟବସାୟ,ବାଣିଜ୍ୟ ସବୁ ଅଚଳ ହୋଇଯାଇଛି। ଲକ୍‌ଡାଉନ୍‌ ପାଇଁ ରାଜ୍ୟର ବାହାରେ ଫସି ରହିଛନ୍ତି ଅନେକ ଓଡ଼ିଆ। ଫସିରହିଥିବା ଲୋକମାନେ ନିଜ ଘରକୁ ଫେରିପାରୁନାହାନ୍ତି।

ସେହିଭଳି ହାଇଦ୍ରାବାଦରେ ଫସିଛନ୍ତି ପୁରୀ କାକଟପୁର ଅଞ୍ଚଳର ପ୍ରାୟ ୨୦ରୁ ଅଧିକ ଲୋକ। ଫସି ରହିଥିବା ବ୍ୟକ୍ତିମାନେ ହାଇଦ୍ରାବାଦର ବିଭିନ୍ନ ହୋଟେଲରେ କାମ କରୁଥିଲେ। କରୋନାକୁ ନେଇ ଲକ୍‌ଡାଉନ୍‌ ଜାରି ହେବା ପରେ ସେମାନଙ୍କୁ କାମ ହରାଇବାକୁ ପଡିଛି। ରୋଜଗାର ଅଭାବରୁ ସେମାନେ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।

ସେହିପରି ଅନ୍ୟପଟେ ତାମିଲନାଡ଼ୁର କୋଏମ୍ୱାଟୁରରେ ଫସିଛନ୍ତି କଟକ ବାଙ୍କୀ ଅଞ୍ଚଳର ପ୍ରାୟ ୪୦ ଜଣ ଦାଦନ ଶ୍ରମିକ। କେରଳର କୁନୁର ଅଞ୍ଚଳରେ ଫସିଛନ୍ତି ଖୋର୍ଦ୍ଧା, କଟକ, ନୟାଗଡ଼ ଜିଲ୍ଳାର ୨୪ ଜଣ ଦାଦନ ଶ୍ରମିକ। ପାଖରେ ପଇସା ନଥିବାରୁ ସେମାନେ ଭୋକ ଉପାସରେ ଜୀବନ ବିତାଉଛନ୍ତି। ଏନେଇ ସେମାନେ ଏକ ଭିଡିଓ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଉଦ୍ଧାର ପାଇଁ ନିବେଦନ କରିଛନ୍ତି।

ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳର ପ୍ରାୟ ୨୦ ଜଣ ଶ୍ରମିକ କୋଲକାତାର ବାବନଗାଛି ଅଞ୍ଚଳରେ ଫସି ରହିଛନ୍ତି। ସେମାନେ ଗାଁକୁ ଆସିବାକୁ ଚାହୁଁଥିଲେ ମଧ୍ୟ ଆସିପାରୁନାହାନ୍ତି। ନିଜ ପରିବାର ଲୋକଙ୍କ ପାଖକୁ ଫେରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

You might also like