ପୁଣି ବିଜୁ ସେତୁ ଅଘଟଣ, ଶ୍ରମିକ ମୃତ

ବାରିପଦା(ମାଣିକ ଲାଲ୍‌ ପାଣି): ପୁଣି ବିଜୁ ସେତୁ ଅଘଟଣ ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବାରିପଦା-ବଡ଼ସାହି ରାସ୍ତାର ଉରା ସେତୁର କାମ ଚରଲିଥିବା ବେଳେ ଆଜି ଅପରାହ୍ଣରେ ଏହି ଅଘଟଣ ଘଟିଛି। ମୃତ ଶ୍ରମିକ ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରର ଦୀପକ ସିଂ।

ସୂଚନା ଅନୁସାରେ, ସେତୁ ପିଲର୍‌ ପାଇଁ ଖୋଳା ଯାଉଥିବା ଖାତରେ ଖସି ପଡ଼ିଥିଲେ ଦୀପକ। ଗଭୀର ପାଣି ଖାତରେ ଖସି ପଡ଼ିବା ଯୋଗୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଅଘଟଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ୧୦ ଲକ୍ଷରୁ ଅଧିକ ଟଙ୍କା କ୍ଷତିପୂରଣ ଦାବି କରି ଶବ ରଖି ଧାରଣା ଦେଇଥିଲେ ଶ୍ରମିକଙ୍କ ସହ ସ୍ଥାନୀୟ ଲୋକେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। କିଛି ସମୟ ପୂର୍ବରୁ ଧାରଣାରୁ ସ୍ଥାନୀୟ ଲୋକେ ଓହରି ଥିବା ନେଇ ସୂଚନା ମିଳିଛି। ଗତ ୨୦୧୯ ଜାନୁୟାରୀ ୩୦ ତାରିଖରେ ଏହି ସେତୁର ଶିଳାନ୍ୟାସ କରାଯାଇଥିଲା

ସୂଚନାଥାଉ କି, କିଛିଦିନ ତଳେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ତାଲାପଦରରେ ବିଜୁ ସେତୁ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ସହକାରୀ ଯନ୍ତ୍ରୀ( Assistant Engineer) ଅସିତ ପାତ୍ରଙ୍କୁ ଗିରଫ କରାଯାଇଥିଲା।

You might also like